ରାଜନୈତିକ ଦଳର ବର୍ଷ ପୁରାଣି ରାଜନୀତି: ପ୍ଳଟ୍‌ କୃଷି, ମୋହରା କୃଷକ

ଭୁବନେଶ୍ୱର: ଚାଷର ଆଧାର ହେଉଛି ପାଣି। ମାତ୍ର ଆଜିପର୍ଯ୍ୟନ୍ତ ଚାଷ ଜମିରେ ପାଣି ପହଞ୍ଚି ପାରିନି। ୨୦୦୦ ମସିହାରେ ୨୫ ପ୍ରତିଶତ ଜଳସେଚନ ବ୍ୟବସ୍ଥା ଲକ୍ଷ୍ୟ ରଖିଥିଲେ ଓଡ଼ିଶା ସରକାର। ପରେ ଅର୍ଥାତ ୨୦୦୪ରେ ୨୫%, ୨୦୦୯ରେ ପ୍ରତି ବ୍ଲକରେ ୩୫% ଓ ୨୦୧୪ରେ ୧୦ ଲକ୍ଷ ହେକ୍ଟର ଜମିରେ ଜଳସେଚନ ହେବାର ପ୍ରତିଶ୍ରୁତି ଦେଇଥିଲେ। ହେଲେ ଏପର୍ଯ୍ୟନ୍ତ ଡିସିମିଲ୍‌ ଜମିରେ ପାଣି ମାଡ଼ି ନାହିଁ। ଫଳରେ ଚାଷୀ ତଳି ତଳାନ୍ତ ହୋଇ ଗଲେଣି ବୋଲି ବିଜେପି ଅଭିଯୋଗ କରିଛି।

ଆଜି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିଜେପି ବିଧାୟକ ପ୍ରଦୀପ ପୂରୋହିତ କହିଛନ୍ତି,“୨୦୧୫ ମରୁଡ଼ି ସମୟରେ ରାଜ୍ୟର ମୋଟ୍‌ ଚାଷ ଜମିର ୧୮ ପ୍ରତିଶତ ଜମିରେ ପାଣି ପହଞ୍ଚଇବା ଲକ୍ଷ୍ୟ ରଖାଯାଇଥିଲା। ଏନେଇ ମୁଖ୍ୟମନ୍ତ୍ରୀ ବିଧାନସଭାରେ ଉତ୍ତର ରଖିଥିଲେ। ହେଲେ ଏପର୍ଯ୍ୟନ୍ତ ଜମିରେ ପାଣି ପହଞ୍ଚି ପାରିନି। ଫଳରେ ଚାଷୀ ବିଭିନ୍ନ ସମସ୍ୟାରେ ଛନ୍ଦି ହୋଇ ଚାଷୀ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛି। ହେଲେ ରାଜ୍ୟ ସରକାର ଚାଷୀ ଆତ୍ମହତ୍ୟାକୁ ସ୍ୱୀକାର କରୁନାହିଁ।”

ସେ କହିଛନ୍ତି,“୨୦୦୦ ମସିହାରେ ସମବାୟ ବିଭାଗ ଅଧିନରେ ୫ ସଚଳ ଓ ୧୨ ଅଚଳ ଏବଂ ୨୦୧୭ରେ ୫ ସଚଳ ଓ ୧୩ ଅଚଳ ଶୀଳଭଣ୍ଡାର ରହିଥିଲା। ଏନେଇ ସମବାୟ ମନ୍ତ୍ରୀ ବିଧାନସଭାରେ ଉତ୍ତର ରଖିଥିଲେ। ଏଥିରୁ ଜଣାପଡ଼ୁଛି ଶୀଳଭଣ୍ଡାର ବିକାଶ ଦିଗରେ ରାଜ୍ୟ ସରକାରଙ୍କ ଭୂମିକା ଶୂନ୍ୟ।”

ସେ କହିଛନ୍ତି,“ବିଭିନ୍ନ ଯୋଜନାରେ କେନ୍ଦ୍ରରୁ ଓଡ଼ିଶାକୁ ପ୍ରଚୁର ପରିମାଣର ଅର୍ଥ ଆସୁଛି। ପ୍ରଶାସନିକ ଅଧିକାରୀଙ୍କ ନିଷ୍କ୍ରିୟତା କାରଣରୁ ଅନୁଦାନ ଖର୍ଚ୍ଚ ହୋଇପାରୁନି। ଯାହାଫଳରେ ବହୁ ଅର୍ଥ ଫେରିଯାଉଛି। ଏଥିରୁ ସ୍ପଷ୍ଟ ଭାବେ ବାରି ହେଉଛି ରାଜ୍ୟ ସରକାର ଚାଷୀଙ୍କ ବିକାଶ ପାଇଁ କିଛି କରିନାହାନ୍ତି।”

ସେ କହିଛନ୍ତି,“ଦୁଗ୍ଧ ଓ ପିଆଜ ଉତ୍ପାଦନ କ୍ଷେତ୍ରରେ ଆମ ରାଜ୍ୟ ବହୁ ପଛରେ ପଡ଼ିଛି। ଏହାକୁ ରାଜ୍ୟ ସରକାର ମଧ୍ୟ ସ୍ୱୀକାର କରିଛନ୍ତି।”

ଏହାର ଜବାବ ରଖିଛନ୍ତି କୃଷିମନ୍ତ୍ରୀ ଦାମୋଦର ରାଉତ। ସେ କହିଛନ୍ତି,“ଖାଦ୍ୟଶସ୍ୟ ଉତ୍ପାଦନ ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଛି। ଗତବର୍ଷ ୧ କୋଟି ୧୮ ଲକ୍ଷ ମେଟ୍ରିକ ଟନ୍ ଖାଦ୍ୟଶସ୍ୟ ଉତ୍ପାଦିତ ହୋଇଛି। ୨୦୦୧ ତୁଳନାରେ ଉତ୍ପାଦନ ପରିମାଣ ଅଢେଇ ଗୁଣ ବଢ଼ିଛି। ପ୍ରଥମ ଥର ପାଇଁ ଚାଉଳ ଉତ୍ପାଦନ ୧ କୋଟି ମେଟ୍ରିକ ଟନ୍ ହେଲା। ଦୁଗ୍ଧ ଉତ୍ପାଦନରେ ଓଡ଼ିଶା ବଳକା ରାଜ୍ୟ ହୋଇପାରିଛି। ଦୈନିକ ୫୦ ହଜାରରୁ ୧ ଲକ୍ଷ ଲିଟର ଦୁଗ୍ଧ ପଡ଼ୋଶୀ ରାଜ୍ୟକୁ ରପ୍ତାନୀ ହେଉଛି। ଦେଶର ଦ୍ୱିତୀୟ ରାଜ୍ୟ ଭାବେ କୃଷି ପାଇଁ ସ୍ୱତନ୍ତ୍ର ବଜେଟ ହେଉଛି। ଗତବର୍ଷ କୃଷି ପାଇଁ ୧୩ ହଜାର କୋଟି ବଜେଟ ଥିଲା, ଏବର୍ଷ ବଢ଼ିଛି ଆଦିବାସୀ ଅଞ୍ଚଳରେ କ୍ଷୁଦ୍ର ଶସ୍ୟ ଚାଷକୁ ପ୍ରୋତ୍ସାହନ ଦିଆଯାଉଛି।”