ଉପାଠାରୁ ଏନଡିଏ ସରକାର ଓଡ଼ିଶାକୁ ଦେଇଛନ୍ତି ଅଧିକ ମରୁଡ଼ି ସହାୟତା: କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ

centralagriculturଭୁବନେଶ୍ୱର: ଉପା ସରକାରଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏନଡିଏ ସରକାର ଓଡ଼ିଶାକୁ ଅଧିକ ମରୁଡ଼ି ସହାୟତା ଯୋଗାଇ ଦେଇଛନ୍ତି ବୋଲି ଗୁରୁବାର କହିଛନ୍ତି କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ ମୋହନ ଭାଇ କୁନ୍ଦରିଆ। ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଭୁବନେଶ୍ୱର ଆସିଥିବା ବେଳେ ବିଜେପି କାର୍ଯ୍ୟାଳୟଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏହି କଥା କହିଛନ୍ତି।

କୁନ୍ଦରିଆ କହିଛନ୍ତି, ଉପା ସରକାର ଅମଳରେ ଓଡ଼ିଶା ମରୁଡ଼ି ନେଇ ଯେତିକି ଆର୍ଥିକ ସହାୟତା ମାଗୁଥିଲା ତା’ର ୫ ପ୍ରତିଶତ ମିଳୁଥିଲା। କିନ୍ତୁ ଏନଡିଏ ସରକାରଙ୍କ ଅମଳରେ ଏଥିରେ ପରିବର୍ତ୍ତନ ଆସିଛି। ବର୍ତ୍ତମାନର ସରକାର ଓଡ଼ିଶାକୁ ୩୫ ରୁ ୩୭ % ପର୍ଯ୍ୟନ୍ତ ମରୁଡ଼ି ସହାୟତା ଯୋଗାଇ ଦେଇଛନ୍ତି। ଏଥର ମରୁଡ଼ି ସହାୟତା ପାଇଁ ରାଜ୍ୟ ସରକାର ପ୍ରାୟ ୨୨୦୦ କୋଟି ଟଙ୍କା ମାଗିଥିଲେ। ସେଥିରୁ ୮୧୫ କୋଟି ଟଙ୍କା କେନ୍ଦ୍ର ସରକାର ଓଡ଼ିଶା ପାଇଁ ମଂଜୁରୀ ଦେଇ ସାରିଛନ୍ତି।

ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ ଓଡ଼ିଶାରେ ଚାଷୀ ଆତ୍ମହତ୍ୟା ନେଇ ଦୁଃଖ ପ୍ରକାଶ କରିବା ସହିତ କୃଷକମାନଙ୍କ ପାଇଁ କେନ୍ଦ୍ର ସରକାର କରିଥିବା ବିଭିନ୍ନ ଯୋଜନା ସଂପର୍କରେ ଆଲୋକପାତ କରିଥିଲେ। ବିଶେଷ କରି ସେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଉପରେ ଅଧିକ ଜୋର ଦେଇଥିଲେ। ସେ କହିଥିଲେ, ୪ ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହା ଚାଷୀଙ୍କ ପାଇଁ ଏକ ପ୍ରେରଣା ଦାୟୀ ଓ ଉତ୍ତମ ଯୋଜନା। ଦେଶରେ କ୍ରପ୍ ଇନସ୍ୟୁରାନ୍ସ ଯୋଜନା ବର୍ଷ ବର୍ଷ ଧରି ଚାଲି ଆସୁଛି। କିନ୍ତୁ ଏହି ନୂଆ ଯୋଜନାଟି ପୂର୍ବ ଯୋଜନା ଅପେକ୍ଷା ଭଲ। କାରଣ କ୍ରପ୍ ଇନସ୍ୟୁରାନ୍ସ ଯୋଜନାରେ ଚାଷୀଙ୍କୁ ୭ ରୁ ୨୨ ପ୍ରତିଶତ ପର୍ଯ୍ୟନ୍ତ ପ୍ରିମିୟମ୍ ଦେବାକୁ ପଡୁଥିଲା। ତେଣୁ ଏହି ଯୋଜନାରେ ଦେଶର କେବଳ ୨୦ ପ୍ରତିଶତ ଚାଷୀ ଯୋଡ଼ି ହେଉଥିଲେ। କିନ୍ତୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଭାରତ ସରକାର ପ୍ରିମିୟମ ବହନ କରିବେ। ଏହି ପ୍ରିମିୟମର କିଛି ଭାଗ ରାଜ୍ୟ ସରକାରମାନେ ମଧ୍ୟ ବହନ କରିବେ। ଖରିଫ ଫସଲରେ ୨ ପ୍ରତିଶତ ଓ ରବି ଫସଲରେ ୧.୫ ପ୍ରତିଶତ ପ୍ରିମିୟମ ରହିବ। କୌଣସି ପ୍ରାକୃତିକ ବିପର୍ଯ୍ୟୟରେ ଫସଲହାନି ହେଲେ ଚାଷୀକୁ ମିଳିବାକୁ ଥିବା ମୋଟ ବୀମା ରାଶିର ୨୫ ପ୍ରତିଶତ ତୁରନ୍ତ ତା’ ଆକାଉଣ୍ଟକୁ ଚାଲି ଯିବ। ବାକି ୭୫ ପ୍ରତିଶତ ରାଶି ୩୦ରୁ ୪୫ ଦିନ ମଧ୍ୟରେ ଚାଷୀର ଆକାଉଣ୍ଟକୁ ଚାଲିଯିବ।

ସେହିପରି ପ୍ରଧାନମନ୍ତ୍ରୀ ସିଞ୍ଚନ ଯୋଜନା ଓ ଜୈବିକ କୃଷି ଉପରେ କୁନ୍ଦରିଆ ଗୁରୁତ୍ୱ ଦେଇ କହିଥିଲେ ଯେ ପ୍ରଧାନମନ୍ତ୍ରୀ ସଞ୍ଚନ ଯୋଜନା ଯୋଗୁଁ ଚାଷୀମାନେ ବର୍ଷରେ ଦୁଇ ତିନି ଥର ଚାଷ କରି ପାରିବେ। ପ୍ରଧାନମନ୍ତ୍ରୀ ଜୈବିକ କୃଷି ଉପରେ ଅଧିକ ଜୋର ଦେଉଥିବା ସେ କହିଥିଲେ।

ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ଓ ବରିଷ୍ଠ ନେତା ସଜ୍ଜନ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ।