ସୂଚନା କମିଶନରଙ୍କୁ ଦିଆଯାଇଛି ଫୁଡ୍ କମିଶନ ଅଧ୍ୟକ୍ଷ ଦାୟିତ୍ୱ: ଖାଦ୍ୟ ଓ ଯୋଗାଣ ସଚିବ

madhu-padhee
ଖାଦ୍ୟ ଓ ଯୋଗାଣ ସଚିବ ମଧୁସୂଦନ ପାଢ଼ୀ

ଭୁବନେଶ୍ୱର: ଅକ୍ଟୋବର ମାସରେ ରାଜ୍ୟରେ ଖାଦ୍ୟ ସୁରକ୍ଷା ଆଇନ୍ କାର୍ଯ୍ୟକାରୀ କରାଯିବା ପୂର୍ବରୁ ରାଜ୍ୟ ସୂଚନା କମିଶନଙ୍କୁ ଫୁଡ୍ କମିଶନ୍ ଅଧ୍ୟକ୍ଷ ଦାୟିତ୍ୱ  ଦିଆଯାଇଥିବା ନେଇ ବିଜ୍ଞପ୍ତି ଦିଆଯାଇଛି। ସେହିପରି ଜିଲ୍ଲାଗୁଡ଼ିକରେ ପିଡି ଡିଆରଡିଏମାନଙ୍କୁ ଅଭିଯୋଗ ଶୁଣାଣି ଅଧିକାରୀ ଭାବେ ବିଜ୍ଞପ୍ତି ଜାରି କରାଯାଇଛି।  ରାଜ୍ୟରେ ଖାଦ୍ୟ ସୁରକ୍ଷା ଯୋଜନା କାର୍ଯ୍ୟକାରୀ କରିବା ପୂର୍ବରୁ ସରକାର ଫୁଡ୍ କମିଶନ ଓ ଜିଲ୍ଲା ସ୍ତରରେ ଭିଜିଲାନ୍ସ କମିଟି ଗଠନ ନ କରି ଆଇନର ଉଲ୍ଲଂଘନ କରିଛନ୍ତି ବୋଲି ବିରୋଧୀ ବିଜେପି ଓ କଂଗ୍ରେସ ଅଭିଯୋଗ କରି ଆସୁଥିବା ବେଳେ ଖାଦ୍ୟ ଓ ଯୋଗାଣ ସଚିବ ମଧୁସୂଦନ ପାଢ଼ୀ ସୋମବାର ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଜାତୀୟ ଖାଦ୍ୟ ସୁରକ୍ଷା ଆଇନ-୨୦୧୩ରେ କୁହାଯାଇଛି ରାଜ୍ୟ ସରକାର ଏହି ଆଇନ ପ୍ରଣୟନ କରିବା ପାଇଁ ଫୁଡ୍ କମିଶନ୍ ଗଠନ କରିବା ନିହାତି ଆବଶ୍ୟକ। ସେହିଭଳି ଜିଲ୍ଲା ସ୍ତରରେ ମଧ୍ୟ ଅଭିଯୋଗ ଶୁଣାଣି ଅଧିକାରୀ ନିଯୁକ୍ତ କରିବା ଆବଶ୍ୟକ। ଏହି ଆଇନରେ ଆହୁରି ମଧ୍ୟ କୁହାଯାଇଛି ଯେ ଯେଉଁ ରାଜ୍ୟ ସରକାରମାନେ ଫୁଡ୍ କମିଶନ୍ ଗଠନ କରିବେ ନାହିଁ, ସେମାନେ ମାନବାଧିକାର କମିଶନ, ମହିଳା କମିଶନ ଅବା ସୂଚନା କମିଶନଙ୍କୁ ଏହି ଦାୟିତ୍ୱ ଦେଇପାରିବେ। ସେହି ଅନୁସାରେ ଓଡ଼ିଶା ସରକାର ସୂଚନା କମିଶନରଙ୍କୁ ଫୁଡ୍ କମିଶନର ଭାବେ ଦାୟିତ୍ୱ ଦେଇଛନ୍ତି। ରାଜ୍ୟ ସରକାର ଫୁଡ୍ କମିଶନର ଓ ଜିଲ୍ଲାଗୁଡ଼ିକରେ ପିଡି ଡିଆରଡିଏମାନଙ୍କୁ ଅଭିଯୋଗ ଶୁଣାଣି ଅଧିକାରୀ ଭାବେ ଦାୟିତ୍ୱ ଦେବା ପରେ ଯାଇ କେଦ୍ର ସରକାର ଖାଦ୍ୟ ସୁରକ୍ଷା ଆଇନ୍ କାର୍ଯ୍ୟକାରୀ କରିବାକୁ ଅନୁମତି ଦେଇଛନ୍ତି। ତା’ସହିତ ଖାଦ୍ୟ ଶସ୍ୟର ମଧ୍ୟ ବ୍ୟବସ୍ଥା କରିଛନ୍ତି।

ମଧୁସୂଦନ ପାଢ଼ୀ କହିଛନ୍ତି, ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନୁସାରେ ଫୁଡ୍ କମିଶନରେ ଜଣେ ଅଧ୍ୟକ୍ଷ ରହିବେ ଓ ୫ ଜଣ ସଦସ୍ୟ ରହିବେ। ଜଣେ ସଦସ୍ୟ ସଂପାଦକ ରହିବେ। ଏହାର ମଧ୍ୟ କେତେଗୁଡ଼ିଏ ନୀତି ନିୟମ ରହିଛି। ସେଥିପାଇଁ ରାଜ୍ୟରେ ଫୁଡ୍ କମିଶନ ଗଠନ କରିବା ପାଇଁ ରୁଲ୍ସ ଫ୍ରେମ୍ ଚାଲିଛି। ଏହାକୁ ଆଇନ ବିଭାଗର ଅନୁମୋଦନ ପାଇଁ ପଠାଯାଇଛି। ଆଇନ ବିଭାଗର ଅନୁମୋଦନ ପାଇବା ପରେ ଏହାକୁ ରାଜ୍ୟ କ୍ୟାବିନେଟକୁ ପଠାଯିବ। ସେଠାରେ ଅନୁମୋଦନ ପାଇବା ପରେ ଫୁଡ୍ କମିଶନ ଗଠନ କରାଯିବା ନେଇ ବିଜ୍ଞପ୍ତି ଜାରି କରାଯିବ। ସେଥିରେ ଥିବା ନିୟମ ଅନୁଯାୟୀ କମିଶନର ଅଧ୍ୟକ୍ଷ ଓ ଅନ୍ୟ ସଦସ୍ୟମାନଙ୍କୁ ଚୟନ କରାଯିବ। କିନ୍ତୁ ଏହି ପ୍ରକ୍ରିୟା ଟିକେ ସମୟ ନେଉଛି। ତେଣୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନର ନିୟମ ଅନୁସାରେ ବର୍ତ୍ତମାନ ପାଇଁ ସୂଚନା କମିଶନରଙ୍କୁ ଫୁଡ୍ କମିଶନର ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଛି।

ଫୁଡ୍ କମିଶନ୍ ଓ ଜିଲ୍ଲା ସ୍ତରରେ ନିଯୁକ୍ତ କରାଯାଇଥିବା ଅଭିଯୋଗ ଶୁଣାଣି ଅଧିକାରୀମାନେ ଏପର୍ଯ୍ୟନ୍ତ ଅଭିଯୋଗ ଶୁଣିବା କାର୍ଯ୍ୟ ଆରମ୍ଭ କରି ନାହାନ୍ତି ବୋଲି କହିଛନ୍ତି ଖାଦ୍ୟ ଓ ଯୋଗାଣ ସଚିବ ମଧୁସୂଦନ ପାଢ଼ୀ। ସେ କହିଛନ୍ତି, ଏପର୍ଯ୍ୟନ୍ତ ଶୁଣାଣି ପାଇଁ ସେମାନଙ୍କ ନିକଟରେ କୌଣସି ଆବେଦନ ହୋଇନାହିଁ।  ବର୍ତ୍ତମାନ ରାଜ୍ୟରେ ଖାଦ୍ୟ ସୁରକ୍ଷା ଯୋଜନା ସେ ସ୍ତରକୁ ଆସିନାହିଁ। ବର୍ତ୍ତମାନ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ୍ ଦିଆଯିବା ପ୍ରକ୍ରିୟା ଚାଲିଛି। ଏ ପ୍ରକ୍ରିୟା ପଞ୍ଚାୟତ ଓ ବ୍ଲକ୍ ସ୍ତରରେ ଚାଲିଛି। ନିକଟ ଭବିଷ୍ୟତରେ ଫୁଡ୍ କମିଶନର୍ ଓ ଜିଲ୍ଲା ସ୍ତରରେ ନିଯୁକ୍ତ ଅଭିଯୋଗ ଶୁଣାଣି ଅଧିକାରୀମାନେ ଶୁଣାଣି ଆରମ୍ଭ କରିବେ।

ସେହିପରି ଅଯୋଗ୍ୟ ହିତାଧିକାରୀଙ୍କ ରାସନ କାର୍ଡ ଫେରସ୍ତ ପ୍ରସଙ୍ଗ ଉପରେ ସୂଚନା ଦେଇ କହିଛନ୍ତି ଯେ ଏବେ ବି ବିଭିନ୍ନ ଜିଲ୍ଲାରେ ଅଯୋଗ୍ୟ ବ୍ୟକ୍ତିମାନେ ରାସନ କାର୍ଡ ଫେରାଇବା ଧାରା ଜାରି ରହିଛି। ଅଯୋଗ୍ୟ ହିତାଧିକାରୀ ଜାନୁଆରୀ ୧୫ ତାରିଖ ପୂର୍ବରୁ ରାସନ କାର୍ଡ ଫେରାଇ ଦେବା ପାଇଁ ଅନୁରୋଧ କରିଛନ୍ତି। ଯେଉଁମାନେ ନ ଫେରାଇବେ ସେମାନଙ୍କ ବିରୋଧରେ ପରବର୍ତ୍ତୀ ମୁହୂର୍ତ୍ତରେ ପଦକ୍ଷେପ ନିଆଯିବ।

ଖାଦ୍ୟ ସୁରକ୍ଷା ଆଇନରେ ସରକାର ଗଠନ କରିଥିବା ଫୁଟ କମିଶନକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି। ସରକାରଙ୍କ ବିଜ୍ଞପ୍ତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ। ଅକ୍ଟୋବର ମାସରୁ କମିଶନ ଗଠନ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ୱେବସାଇଟରେ କାହିଁକି ତଥ୍ୟ ଦିଆଯାଇନାହିଁ ବୋଲି ଜାଣିବାକୁ ଚାହିଁଛି କଂଗ୍ରେସ। ବିରୋଧୀଙ୍କ ଚାପରେ ସରକାର ପଛୁଆ ତାରିଖରେ ବିଜ୍ଞପ୍ତି ପ୍ରକାଶ କରିଥିବା ଦଳ ଅଭିଯୋଗ କରିଛି। ମୁଖ୍ୟ ସୂଚନା କମିଶନର ପଦ ଖାଲି ଥିବା ବେଳେ କିଏ ଫୁଡ୍ କମିଶନର ଅଧ୍ୟକ୍ଷ ରହିବେ ସେ ନେଇ ମଧ୍ୟ କଂଗ୍ରେସ ପ୍ରଶ୍ନ ଉଠାଇଛି। ଫୁଡ୍ କମିଶନଙ୍କୁ ନେଇ ବିଜେପି ମଧ୍ୟ ସମାନ ଅଭିଯୋଗ ଆଣିଛି।

କଂଗ୍ରେସ ବିଧାୟକ ପ୍ରଫୁଲ୍ଲ ମାଝି କହିଛନ୍ତି, ସରକାର ଡାହା ମିଛ କହୁଛନ୍ତି। ସୂଚନା କମିଶନର ନିଜ ଦାୟିତ୍ୱ ତୁଲାଇ ପାରୁନାହାନ୍ତି। ତାଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଗଲେ ସେ କ’ଣ କରିବେ ବୋଲି ମାଝି ପ୍ରଶ୍ନ କରିଛନ୍ତି।

ବିଜେପି ବିଧାୟକ ପ୍ରଦୀପ ପୂରୋହିତ କହିଛନ୍ତି, ରାଜ୍ୟ ସରକାର ଫୁଡ କମିଶନ ଗଠନ କରିବା ନେଇ କୌଣସି ତଥ୍ୟ ନାହିଁ। ଯେହେତୁ କୋର୍ଟଙ୍କ ପ୍ରସଙ୍ଗ ଉଠିଛି, ଭୟଭିତ ହୋଇ ଏପରି ବିଜ୍ଞପ୍ତି କରୁଛୁ ବୋଲି ଘୋଷଣା କରୁଛନ୍ତି।

ବିଜେଡି ମୁଖପାତ୍ର ପ୍ରତାପ ଜେନା କହିଛନ୍ତି, ଯେଉଁମାନଙ୍କ ଅଭିଯୋଗ ଅଛି ସେମାନେ ତାଙ୍କ ଅଭିଯୋଗ ଉପସ୍ଥାପନ କରିବା ପାଇଁ ରାଜ୍ୟ, ଜିଲ୍ଲା ଓ ବ୍ଲକ ସ୍ତରରେ କମିଟି କରାଯାଇଛି। ଏହାକୁ ରାଜନୀତିକରଣ କରିବାକୁ ଯୋଜନା କରାଯାଉଛି।