ଭୁବନେଶ୍ୱର: ଦୁର୍ନୀତି କର। ପଦୋନ୍ନତି ନିଅ। ଏମିତି ଏକ ସାଂଘାତିକ ସତକୁ ନେଇ ସମବାୟ ବିଭାଗର ଏବେ ଅକଲ ଗୁଡୁମ। ଆଳୁ ଖୋଳୁଖୋଳୁ ମହାଦେବ ବାହାରିବା ପରି ମାଲକାନଗିରିରେ ଚାଷୀଙ୍କ ଋଣ ଜାଲିଆତି ଓ ଶସ୍ୟବୀମା ହଡପର ଖୋଳତାଡ଼ କରୁକରୁ ଏ ତଥ୍ୟ ପଦାକୁ ଆସିଛି। ଗତ ସପ୍ତାହରେ ଏନେଇ ଓଟିଭିରେ ଖବର ପ୍ରସାରଣ ପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ସମବାୟ ବିଭାଗ। ପୁରା ଘୋଟାଲାର ତଦନ୍ତ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖାକୁ ଦିଆଯାଇଛି।
ମାଲକାନଗିରି ଜିଲ୍ଲାର କାଲିମେଳା, ଶିଖପାଲି ଓ ପଡିଆ ଲ୍ୟାମ୍ପସରେ ପ୍ରାୟ ୮୫୯ ଜଣ ଚାଷୀଙ୍କ ନାଁରେ ୫ କୋଟି ୨୫ ଲକ୍ଷ ଟଙ୍କାର ଋଣ ଟଙ୍କାକୁ କେତେକ କର୍ମଚାରୀ ଓ ଦଲାଲ ହଡପ କରିଥିଲେ। ସେହିପରି ଶସ୍ୟ ବୀମା ପାଇଁ ଆସିଥିବା ଏକ କୋଟିରୁ ଅଧିକ ଟଙ୍କାକୁ ମଧ୍ୟ ଚଳୁ କରିଦେଇଥିଲେ। ଯାହାର କାର୍ପଟଦାର ଥିଲେ କାଲିମେଳା ଲ୍ୟାମ୍ପସର ଏମ.ଡି. ବିଦ୍ୟାଧର ପ୍ରଧାନ ଓ ଅନ୍ୟ କିଛି ଅଧିକାରୀ। ବିଡ଼ମ୍ବନା ବିଷୟ ବିଦ୍ୟାଧର ମାଲାକାନଗିର କେସିସି ବ୍ୟାଙ୍କର ମ୍ୟାନେଜର ଭାବେ ପଦୋନ୍ନତି ପାଇଛନ୍ତି। ସେହିପରି ବିଭିନ୍ନ ସମୟରେ କୋରାପୁଟ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଅଧୀନରେ ଥିବା ବିଭିନ୍ନ ଲ୍ୟାମ୍ପରେ ଆର୍ଥିକ ଅନିୟମିତତାରେ ଅଭିଯୁକ୍ତ ଅନେକ ଅଧିକାରୀ ପାଇଛନ୍ତି ଡବଲ ପ୍ରମୋଶନ। ଏଥିରେ ୮ ଜଣଙ୍କ ନାଁ ମାମଲା ଥିବା ସତ୍ତ୍ୱେ ଆସିଣ୍ଟାଣ୍ଡ ମ୍ୟାନଜରରୁ ମ୍ୟାନେଜର ପଦକୁ ଯାଇଛନ୍ତି। ଏମାନଙ୍କ ବାଦ ଚାଷୀଙ୍କ ଅର୍ଥ ତୋଷରପାତ କରିବା ଅଭିଯୋଗ ଆସିଥିବା ଅଧିକାରୀ ତାରିଣୀ ବିଷୋୟୀ ଓ ବିନୋଦ ଷଡଙ୍ଗୀଙ୍କ ସମେତ ପ୍ରାୟ ୪୦ ଜଣ କର୍ମଚାରୀଙ୍କୁ ଦିଆଯାଇଛି ପଦୋନ୍ନତି। ଗତ ସପ୍ତାହରେ ଏନେଇ ଖବର ପ୍ରକାଶ ପାଇବା ପରେ ଖୋଳତାଡ ଆରମ୍ଭ ହେବା ବେଳେ ଅଭିଯୁକ୍ତଙ୍କୁ ପଦୋନ୍ନତି ମିଳିଥିବା ଜଣାପଡ଼ିଥିଲା।
ସମବାୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି,“ଜାଲିଆତି ଅଭିଯୋଗର ତଦନ୍ତ ସରିଛି। ତଦନ୍ତ ରିପୋର୍ଟ ମୋ’ ପାଖକୁ ଆସିଛି। ଯେଉଁ ୩ ଜଣ ଅଧିକାରୀ ଏହି ଘଟଣାରେ ସମ୍ପୃକ୍ତ ଅଛନ୍ତି ସେମାନଙ୍କୁ ସସ୍ପେଣ୍ଡ କରିବାକୁ ନିର୍ଦ୍ଦେଶ ଦେଇଛି। ଏହାଛଡ଼ା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖାକୁ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛି।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।