ଚିନ୍ତା ବଢ଼ାଉଛି ନିରୀହ ଲୋକଙ୍କୁ ମାଓବାଦୀଙ୍କ ହତ୍ୟା, ମୁକାବିଲା ପାଇଁ ଉଚ୍ଚସ୍ତରୀୟ ବୈଠକ

mao mukkabilaଭୁବନେଶ୍ୱର: ଦୁର୍ଗମ ଅଞ୍ଚଳରେ ନିରିହ ଲୋକଙ୍କୁ ମାଓବାଦୀଙ୍କ ହତ୍ୟା ଏବେ ସରକାରଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଏହାକୁ କାଉଣ୍ଟର୍ କରିବାକୁ ପ୍ରସ୍ତୁତ ହେଉଛି ବ୍ଲୁ ପ୍ରିଣ୍ଟ। ଏ ନେଇ ଆଜି ସଚିବାଳୟରେ ଗୃହ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିଲା ଉଚ୍ଚସ୍ତରୀୟ ବୈଠକ।

କୋରାପୁଟରେ ଗଲା ପ୍ରାୟ ମାସେ ଭିତରେ ପୋଲିସ୍ ଇନଫର୍ମର ସନ୍ଦେହରେ ୪ ଜଣଙ୍କୁ ହତ୍ୟା କରିଛନ୍ତି ମାଓବାଦୀ। ଲ୍ୟାଣ୍ଡମାଇନ ବିସ୍ଫୋରଣରେ ୨ ବିଏସଏଫ୍ ଯବାନ ସହିଦ ହୋଇଥିଲେ। ବର୍ଷ ଆରମ୍ଭରୁ ଲାଲବାହିନୀର ଏଭଳି ହିଂସାକାଣ୍ଡକୁ ନେଇ ଚିନ୍ତାରେ ରାଜ୍ୟ ସରକାର। ଲାଲବାହିନୀକୁ କଡ଼ା ଜବାବ ଦେବା ପାଇଁ ଆଜି ସଚିବାଳୟରେ ଗୃହ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ରୁଦ୍ଧଦ୍ୱାର ବୈଠକ ବସିଥିଲା । ବୈଠକରେ ମାଓ ଦମନ ପାଇଁ ଆଗକୁ କ’ଣ ରହିବ ରଣନୀତି ସେନେଇ ହୋଇଛି ବିସ୍ତୃତ ଭାବେ ଆଲୋଚନା ହୋଇଛି। ଅନ୍ୟପକ୍ଷରେ ଆଗକୁ କେନ୍ଦ୍ର ସରକାର, ମାଓ ମୁକାବିଲା ନେଇ ବୈଠକ ଡାକିଥିବାରୁ ସେ ସଂପର୍କରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା।

ଏନେଇ ପୋଲିସ ଡିଜି କେ.ବି.ସିଂହ କହିଛନ୍ତି, ରାଜ୍ୟର ମାଓ ପ୍ରଭାବିତ ଅଞ୍ଚଳର ସମସ୍ୟା ନେଇ ସମୀକ୍ଷା କରାଯାଇଛି। ୨୦୧୫ରେ ମାଓବାଦୀଙ୍କ ଶକ୍ତି ହ୍ରାସ ପାଇଥିଲା। କିନ୍ତୁ ୨୦୧୬ର ଆରମ୍ଭରେ ସେମାନେ ବେଶୀ ପ୍ରତିକ୍ରିୟାଶୀଳ ହୋଇ ଉଠିଛନ୍ତି। ରାଜ୍ୟରେ ସେମାନଙ୍କ ଶକ୍ତି ହ୍ରାସ ହୋଇଛି। ହତୋତ୍ସାହିତ ହୋଇ ସେମାନେ ସୁରକ୍ଷାକର୍ମୀ ଓ ନିରୀହ ଆଦିବାସୀଙ୍କ ଉପରକୁ ଆକ୍ରମଣ କରୁଛନ୍ତି।

ଅନ୍ୟପକ୍ଷରେ ଗ୍ରାଉଣ୍ଡ ଜିରୋରେ ସ୍ଥିତିର ସମୀକ୍ଷା ପାଇଁ କୋରାପୁଟ ଜିଲ୍ଲା ନାରାୟପାଟଣାରେ ଦକ୍ଷିଣ ପଶ୍ଚିମାଚଂଳ ଡିଆଇଜି ଏସ୍.କେ. ସାଇନି ପହଞ୍ଚିଥିଲା ବେଳେ ସିଆରପିଏଫ୍ ଆଇଜି ପୀୟୁଷ ଆନନ୍ଦ ମଧ୍ୟ ରାୟଗଡ଼ା ଯାଇ ମାଓ କାର୍ଯ୍ୟକଳାପର ସମୀକ୍ଷା କରିଛନ୍ତି।

ସୂଚନାଯୋଗ୍ୟ, ଗତବର୍ଷ ୭୨ଟି ମାଓ ହିଂସା ଘଟି ୨୬ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଯବାନ ସହିଦ ହୋଇଥିଲେ। ପୋଲିସ୍ ଏନକାଉଣ୍ଟରରେ ନିହତ ହୋଇଥିଲେ ୯ ମାଓବାଦୀ। ୬୪ ମାଓବାଦୀ ଆତ୍ମସମର୍ପଣ କରିବା ସହ ପ୍ରାୟ ୧୧ ଶହ ମାଓ ସମର୍ଥକ ମୁଖ୍ୟସ୍ରୋତକୁ ଫେରିଥିଲେ।