‘ମହାନଦୀ ବିବାଦ ସମାଧାନ ଓଡ଼ିଶା ଚାହୁନି’

ଭୁବନେଶ୍ୱର: ଓଡ଼ିଶା ସରକାର ମହାନଦୀ ବିବାଦର ସମାଧାନ ଚାହୁନାହିଁ। ଏହାକୁ ନେଇ କେବଳ ରାଜନୀତି କରୁଛନ୍ତି। ମହାନଦୀ ବିବାଦକୁ ନେଇ ରାଜ୍ୟ ସରକାର ସୁପ୍ରିମ୍‌କୋର୍ଟରେ ଇନ୍‌ଜଙ୍କସନ ସୁଟ୍‌ ଫାଇଲ କରିବା ପରେ ଏପରି ପ୍ରତିକ୍ରିୟା ଦେଇଛନ୍ତି ଛତିଶଗଡ଼ ଜଳ ସମ୍ପଦ ମନ୍ତ୍ରୀ ବ୍ରୀଜମୋହନ ଅଗ୍ରୱାଲ।

ସେ କହିଛନ୍ତି,“ମହାନଦୀ ବିବାଦ ସମାଧାନ କରିବା ପରିବର୍ତ୍ତେ ଓଡ଼ିଶା ସରକାର ସୁପ୍ରିମ୍‌କୋର୍ଟ ଗଲେ ମଧ୍ୟ ଆମର କୌଣସି ଆପତ୍ତି ନାହିଁ। ଓଡ଼ିଶା ସରକାର ଯୁଆଡ଼େ ଚାହିଁବେ ଯାଇପାରନ୍ତି। ଏହି ବିବାଦର ସମାଧାନ ପାଇଁ ଛତିଶଗଡ଼ ସରକାର ସବୁବେଳେ ଚାହୁଛି। ଏବେ ମଧ୍ୟ ଛତିଶଗଡ଼ର ସବୁ ଦ୍ୱାର ଖୋଲା ରଖିଛି।”

ବିଜେଡି ମୁଖପାତ୍ର ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି,“ମହାନଦୀ ଉପର ମୁଣ୍ଡରେ ଛତିଶଗଡ଼ ସରକାର ଯେଉଁ ନିର୍ମାଣ କାର୍ଯ୍ୟ କରୁଛନ୍ତି ସେ ସବୁ ବନ୍ଦ କରିବା ପାଇଁ ଆମେ ସୁପ୍ରିମ୍‌କୋର୍ଟଙ୍କ ପାଖରେ ଆବେଦନ କରିଛୁ। ଆମର ବିଶ୍ୱାସ ସୁପ୍ରିମ୍‌କୋର୍ଟ ଆମ କଥାକୁ ବିଚାରକୁ ନେଇ ନିର୍ମାଣ କାର୍ଯ୍ୟ ବନ୍ଦ କରିବେ।”

ରାଜ୍ୟ ସରକାର ଟ୍ରିବ୍ୟୁନାଲ ଗଠନ ପାଇଁ କେନ୍ଦ୍ର ନିକଟରେ ଅପିଲ କରିଥିବା ବେଳେ ସୁପ୍ରିମ୍‌କୋର୍ଟରେ ସୁଟ୍‌ ଫାଇଲକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଆଇନ୍‌ ବିଶେଷଜ୍ଞ। ଅନ୍ୟପକ୍ଷରେ ବିଳମ୍ୱରେ ହେଲେ ମଧ୍ୟ ରାଜ୍ୟ ସରକାର ଠିକ୍‌ ନିଷ୍ପତ୍ତି ନେଇଛନ୍ତି ଓ ଉପଯୁକ୍ତ ଯୁକ୍ତି ଉପସ୍ଥାପନ କରିପାରିଲେ ଲାଭ ମିଳିବ ବୋଲି ଜଳ ସମ୍ପଦ ବିଶେଷଜ୍ଞ କହିଛନ୍ତି।

ଜଳ ସମ୍ପଦ ବିଭାଗର ପୂର୍ବତନ ଚିଫ୍‌ ଇଞ୍ଜିନିୟର ବି.ପି. ଦାସ କହିଛନ୍ତି,“ଓଡ଼ିଶା ଯଦି ଠିକ୍‌ ଭାବେ ଯୁକ୍ତି ଉପସ୍ଥାପନ କରେ ତାହାହେଲେ ସୁପ୍ରିମ୍‌କୋର୍ଟରେ ଦାଖଲ ହୋଇଥିବା ଇନ୍‌ଜଙ୍କସନ୍‌ ସୁଟ୍‌ ଫାଇଦା ମିଳିବ।  ସେଠାରେ ଆମକୁ ଉପଯୁକ୍ତ ତଥ୍ୟ ଉପସ୍ଥାପନ କରିବାକୁ ପଡ଼ିବ।”