କେନ୍ଦ୍ର ଜଳସଂପଦ ମନ୍ତ୍ରୀଙ୍କ ପୋଲାଭରମ୍‌ ଅଞ୍ଚଳ ଗସ୍ତ ପରେ ତେଜିଲା ରାଜନୀତି

ନୂଆଦିଲ୍ଲୀ/ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୋଲାଭରମ ପ୍ରକଳ୍ପ କାମ ବନ୍ଦ ପାଇଁ ଦିଲ୍ଲୀ ନେସନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ୍‌ (ଏନ୍‌ଜିଟି)ର ଦ୍ୱାରସ୍ଥ ହେଲା ତେଲେଙ୍ଗାନାର ସ୍ୱେଚ୍ଛାସେବୀ ସଂଗଠନ ‘ରେଲା’। ଉପଯୁକ୍ତ ପରିବେଶ ଓ ଜଙ୍ଗଲ ମଞ୍ଜୁରୀ ନମିଳିବା ଯାଏଁ କାମ ବନ୍ଦ ରଖିବା ଲାଗି ଆନ୍ଧ୍ର ସରକାରଙ୍କୁ ନିର୍ଦ୍ଦେଶ ଦେବା ପାଇଁ ଆବେଦନରେ ଦର୍ଶାଯାଇଛି। ଅନ୍ୟପକ୍ଷରେ ପୋଲାଭରମ୍‌ ପ୍ରକଳ୍ପକୁ ଓଡ଼ିଶା, ତେଲେଙ୍ଗାନା ଓ ଛତିଶଗଡ଼ ବିରୋଧ କରୁଥିବା ସତ୍ତ୍ୱେ ଗତକାଲି କେନ୍ଦ୍ର ଜଳସଂପଦ ମନ୍ତ୍ରୀ ନୀତିନ ଗଡ଼କରୀ ପ୍ରକଳ୍ପ କାମ ଅନୁଧ୍ୟାନ କରିଛନ୍ତି। ଯାହାକୁ ନେଇ ବିସ୍ଥାପିତ ଓ କ୍ଷତିଗ୍ରସ୍ତ ରାଜ୍ୟର ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏହାସହ କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ ପରେ ପୋଲାଭରମକୁ ନେଇ ରାଜନୀତି ମଧ୍ୟ ଆରମ୍ଭ ହୋଇଯାଇଛି।

୨୦୧୯ ମସିହାରେ ହେବ ସାଧାରଣ ନିର୍ବାଚନ। ଏହା ପୂର୍ବରୁ ବିବାଦୀୟ ପୋଲାଭରମ ପ୍ରକଳ୍ପ କାମ ସାରି ଭୋଟ୍‌ ହାତେଇବାକୁ ଲକ୍ଷ୍ୟ ରଖିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ। ଏନେଇ ଗତକାଲି ପ୍ରକଳ୍ପ କାର୍ଯ୍ୟ ଅନୁଧ୍ୟାନ କରିବାକୁ ଆସିଥିବା କେନ୍ଦ୍ର ଜଳସଂଦପଦ ମନ୍ତ୍ରୀ ନୀତିନ ଗଡକରୀଙ୍କ ପାଖରେ ନାଇଡୁ ନିଜର ଇଚ୍ଛା ଜାହିର କରିଛନ୍ତି। ଗଡକାରୀ ମଧ୍ୟ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଚାର୍ଗେଟକୁ ଗୁରୁତର ସହ ନେଇ ପ୍ରକଳ୍ପ କାମ ତ୍ୱରାନ୍ୱିତ କରିବାକୁ କହିଥିବା ଜଣାପଡ଼ିଛି। ଏ ଘୋଷଣାର ଗୋଟିଏ ଦିନ ନପୁରୁଣୁ ଆଜି ଦିଲ୍ଲୀ ଏନ୍‌ଜିଟିରେ ଫେରାଦ ହୋଇଛି ତେଲେଙ୍ଗାନାର ସ୍ୱେଚ୍ଛାସେବୀ ସଂଗଠନ “ରେଲା”। ପ୍ରକଳ୍ପ ଲାଗି ଉପଯୁକ୍ତ ପରିବେଶ ଓ ଜଙ୍ଗଲ ମଞ୍ଜୁରୀ ନିଆଯାଇନଥିବା ଦର୍ଶାଇ କାମ ବନ୍ଦ ରଖିବା ଲାଗି ନିର୍ଦ୍ଦେଶ ଦେବାକୁ ରେଲା ପକ୍ଷରୁ ଆବେଦନ କରାଯାଇଛି। ଜମି ଅଧିଗ୍ରହଣ ଅଞ୍ଚଳରେ ଠିକ୍‌ରେ ଜନଶୁଣାଣି କରାଯାଇନଥିବା ଓ ବନ୍ଧର ଉଚ୍ଚତା କମ୍ କରିବା ଲାଗି ମଧ୍ୟ ସଂଗଠନ ଆବେଦନ କରିଛି। ଆସନ୍ତା ୧୧ ତାରିଖରେ ଏନ୍‌ଜିଟି ମାମଲାର ପରବର୍ତ୍ତୀ ଶୁଣାଣି କରିବ।

ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି-“ପୋଲାଭରମ୍‌ ପ୍ରକଳ୍ପକୁ ଆମେ ବିରୋଧ କରିଆସୁଛୁ। ଏପରିକି ଏନେଇ କୋର୍ଟରେ ମାମଲା ଚାଲିଛି। ଏହା ସତ୍ତ୍ୱେ କେନ୍ଦ୍ର ସରକାର ପ୍ୟାକେଜ ପରେ ପ୍ୟାକେଜ ଆନ୍ଧ୍ର ସରକାରଙ୍କୁ ଦେଇ ମାମଲା ଚାଲିଥିବା ଭିତରେ ପ୍ରକଳ୍ପ ସାରିବାକୁ ଯୋଜନା କରୁଛନ୍ତି।”

ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି-“ନିର୍ମାଣ ହେଉଥିବା ପୋଲାଭରମ୍ ପ୍ରକଳ୍ପ ପାଇଁ ଓଡ଼ିଶା ସରକାରଙ୍କର ସହମତି ରହିଛି। ସେଥିପାଇଁ ଚୁକ୍ତି ମଧ୍ୟ କରିଛନ୍ତି। ଯଦି ଓଡ଼ିଶାର ସ୍ୱାର୍ଥ ହାନୀ ହେଉଥାଏ, ତାହାହେଲେ ରାଜ୍ୟ ସରକାର ବୟାନବାଜି ନକରି କୋର୍ଟର ଦ୍ୱାରସ୍ଥ ହୁଅନ୍ତୁ। ଆମେ (ବିଜେପି) ସେମାନଙ୍କ ଲଢ଼େଇରେ ସାମିଲ ହେବୁ।”

ପୋଲାଭରମ୍‌କୁ କେନ୍ଦ୍ର ସରକାର ଜାତୀୟ ପ୍ରକଳ୍ପ ମାନ୍ୟତା ଦେବା ସହ ଏହାର ସମସ୍ତ ନିର୍ମାଣ ଖର୍ଚ୍ଚ ଯୋଗାଇ ଦେଉଛନ୍ତି। ସେହିପରି ନିକଟରେ ଆନ୍ଧ୍ର ସରକାର ପ୍ରକଳ୍ପର ସଂଶୋଧିତ ବ୍ୟୟ ଅଟକଳକୁ ୫୪ ହଜାର ୧୧୯ କୋଟିକୁ ବୃଦ୍ଧି କରିଛନ୍ତି। ତେବେ କେନ୍ଦ୍ର ସରକାର ଜମି ଅଧିଗ୍ରହଣ, ଥଇଥାନ ଓ କ୍ଷତିପୂରଣ ବାବଦ ଅର୍ଥ ଦେବେ କି ନାହିଁ ତାହା ଗଡକରୀ ସ୍ପଷ୍ଟ କରିନାହାନ୍ତି। ସେପଟେ ଏହି ପ୍ରକଳ୍ପ ଦ୍ୱାରା କ୍ଷତିଗ୍ରସ୍ତ ହେବା ଦର୍ଶାଇ ଓଡ଼ିଶା ସମେତ ତେଲେଙ୍ଗା ଓ ଛତିଶଗଡ଼ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏହାସତ୍ତ୍ୱେ ଆନ୍ଧ୍ରପ୍ରଦେଶ ସରକାର ବେଧଡ଼କ କାମ ଜାରି ରଖିଛନ୍ତି।