ୱାନାକ୍ରାଏ ରାନ୍‌ସମ୍‌ୱେର ଭାଇରସ୍‌: ଓଡ଼ିଶାରେ କ୍ରାଇମବ୍ରାଞ୍ଚ ଜାରି କଲା ସତର୍କ ସୂଚନା

ଭୁବନେଶ୍ୱର: ୱାନାକ୍ରାଏ ରାନ୍‌ସମ୍‌ୱେର ଭାଇରସ୍‌ରୁ ରକ୍ଷା ପାଇବା ପାଇଁ ସତର୍କ ସୂଚନା ଜାରି କଲା ଓଡ଼ିଶା କ୍ରାଇମବ୍ରାଞ୍ଚ। ଏନେଇ କ୍ରାଇମବ୍ରାଞ୍ଚ ୱେବ୍‌ସାଇଟ୍‌ରେ ସତର୍କ ସୂଚନା ଦିଆଯାଇଛି। ଛଅ ପଏଣ୍ଟ ବିଶିଷ୍ଟ ଏହି ସତର୍କ ସୂଚନାରେ କିଭଳି କମ୍ପ୍ୟୁଟରକୁ ରକ୍ଷା କରାଯାଇ ପାରିବ ସେନେଇ ସୂଚନା ପ୍ରଦାନ କରାଯାଇଛି। ନିଜ ସିଷ୍ଟମରେ ସବୁବେଳେ ଅପ୍‌ଡେଟ୍‌ ରଖିବାକୁ ପରାମର୍ଶ ଦିଆଯାଇଛି। ଏହାଛଡ଼ା କମ୍ପ୍ୟୁଟରରେ ଥିବା ଡାଟାକୁ ନିୟମିତ ବ୍ୟାକ୍‌ଅପ୍‌ କରିବା ସହିତ ଇ-ମେଲରୁ କୌଣସି ଆଟାଚ୍‌ମେଣ୍ଟ ଡାଉନ୍‌ଲୋଡ଼୍‌ କରିବା ସମୟରେ ଯାଞ୍ଚ ନକରି ଅଜଣା ଲିଙ୍କରେ କ୍ଲିକ୍‌ ନ କରିବାକୁ କୁହାଯାଇଛି। ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୱାନାକ୍ରାଏ ଭାଇରସ୍‌ର ଆତଙ୍କ ନଜରକୁ ଆସିନାହିଁ। ତେବେ ସମଗ୍ର ବିଶ୍ୱର ପ୍ରାୟ ଦେଢ଼ ଶହ ଦେଶରେ ବର୍ତ୍ତମାନ ୱାନାକ୍ରାଏକୁ ନେଇ ସମସ୍ୟା ଦେଖାଦେଇଛି। ଏହି ଭାଇରସ୍‌ ଦ୍ୱାରା ହ୍ୟାକରମାନେ କମ୍ପ୍ୟୁଟର ଡାଟା ଡାଟାକୁ ପରିବର୍ତ୍ତନ କରି ଦେଉଛନ୍ତି। ପରେ ଡାଟା ଫେରାଇବା ପାଇଁ ୩ ଶହରୁ ୬ଶହ ଡଲାର ଦାବି କରୁଛନ୍ତି। ବିଶେଷକରି ସ୍ୱାସ୍ଥ୍ୟସେବା ଓ ଶିକ୍ଷାନୁଷ୍ଠାନଗୁଡ଼ିକୁ ଏହି ଭାଇରସ୍ ଦ୍ୱାରା ଟାର୍ଗେଟ୍ କରାଯାଉଛି। ଭାରତର କେରଳ ଓ ଆନ୍ଧ୍ରପ୍ରଦେଶରେ ୱାନାକ୍ରାଏ କମ୍ପ୍ୟୁଟରକୁ ପ୍ରଭାବିତ କରିଛି। ଏଭଳି ପରିସ୍ଥିତିରେ ଓଡ଼ିଶା କ୍ରାଇମବ୍ରାଞ୍ଚ ପକ୍ଷରୁ ଜନସାଧାରଣ ତଥା ସରକାରୀସ୍ତରରେ ବ୍ୟବହାର ହେଉଥିବା କମ୍ପ୍ୟୁଟରକୁ ସୁରକ୍ଷା ଦେବା ଲାଗି ସତର୍କ ସୂଚନା ଜାରି କରାଯାଇଥିବା ସ୍ପେଶାଲ୍ ଡିଜି ବିଜୟ କୁମାର ଶର୍ମା ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି।

ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ମଧ୍ୟ ଅପରେଟିଂ ସିଷ୍ଟମ୍ ଅପଡେଟ୍ କରିବାକୁ ବିଭିନ୍ନ ବ୍ୟାଙ୍କକୁ ନିର୍ଦ୍ଦେଶ ଦେଇଛି। ଏହି ଭାଇରସ୍ ଦ୍ୱାରା ଏଟିଏମ୍ ସେବା ମଧ୍ୟ ପ୍ରଭାବିତ ହେବାର ଆଶଙ୍କା ରହିଛି। ତେବେ ଭାରତରେ ବ୍ୟାଙ୍କ ଗ୍ରାହକମାନଙ୍କ ଡାଟା ସୁରକ୍ଷିତ ଅଛି ବୋଲି ଏଟିଏମ୍ ଅପରେଟରମାନେ କହିଛନ୍ତି।