ଜାତୀୟ ନୁହେଁ, ଆଞ୍ଚଳିକ ଗଣମାଧ୍ୟମ ହିଁ ବାକ ସ୍ୱାଧୀନତାରେ ସନ୍ତୁଳନ ରକ୍ଷା କରୁଛନ୍ତି: ଅରୁଣ ଜେଟଲୀ

xନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଜାଣିବାର ଅଧିକାର ବାକ ସ୍ୱାଧୀନତାର ଅଂଶବିଶେଷ। ସବୁ ଖବର ଜାଣିବାର ଅଧିକାର ଲୋକଙ୍କର ରହିଛି। ଏ ଦିଗରେ ଜାତୀୟ ଗଣମାଧ୍ୟମ ସନ୍ତୁଳନ ରକ୍ଷା କରି ପାରୁ ନାହାନ୍ତି। କିନ୍ତୁ ଆଞ୍ଚଳିକ ଗଣମାଧ୍ୟମ ଏ ସମ୍ବନ୍ଧରେ ସନ୍ତୁଳନ ରକ୍ଷା କରୁଛନ୍ତି। ଓଟିଭିର ୨୦ ବର୍ଷ ପୂର୍ତ୍ତି ଅବସରରେ ନୂଆଦିଲ୍ଲୀରେ ଆୟୋଜିତ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ।

ସେ କହିଛନ୍ତି-“ଏକ ଚ୍ୟାନେଲ୍‌ର ବିଶ୍ୱସନୀୟତା ଦର୍ଶକଙ୍କୁ ବାନ୍ଧି ରଖେ। ଓଟିଭି ଗତ ୨୦ ବର୍ଷ ହେବ ସାରା ବିଶ୍ୱରେ ଥିବା ଓଡ଼ିଆଙ୍କ ମଧ୍ୟରେ ଏହି ବିଶ୍ୱସନୀୟତା ସୃଷ୍ଟି କରିପାରିଛି।”

ଏହି ସମାରୋହରେ ଅନ୍ୟତମ ଅତିଥି ଭାବେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଅର୍ଥନୈତିକ ବ୍ୟାପାର ସଚିବ ଶକ୍ତିକାନ୍ତ ଦାଶ, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ବୈଜୟନ୍ତ ପଣ୍ଡାଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।

ଅଭିନେତ୍ରୀ ଅର୍ଚ୍ଚିତ ସାହୁଙ୍କ ଓଡ଼ିଶୀ ନୃତ୍ୟରୁ ଆରମ୍ଭ ହୋଇଥିବା ଏହି ଉତ୍ସବରେ ସ୍ୱାଗତ ଭାଷଣ ଦେଇଥିଲେ ଓଟିଭିର ଡିରେକଟର୍ ଜଗିମଙ୍ଗତ ପଣ୍ଡା। ଉତ୍ସବରେ ଦିଲ୍ଲୀ ଓ ଆଖପାଖ ଅଞ୍ଚଳରେ ରହୁଥିବା ବହୁ ସଂଖ୍ୟାରେ ପ୍ରବାସୀ ଓଡ଼ିଆ ସାମିଲ ହୋଇଥିଲେ।