ବାଙ୍କୀ: କାଳୀକାପ୍ରସାଦ ଘାଟରେ ବୁଡ଼ି ଗଲା ମାଛଧରା ଡଙ୍ଗା, ଜଣେ ମୃତ

କଟକ: କଟକ ଜିଲ୍ଲା ବାଙ୍କୀରେ ରବିବାର ସକାଳେ ମହାନଦୀରେ ଏକ ମାଛଧରା ଡଙ୍ଗା ବୁଡ଼ି ଯିବାରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ସୁରେଶ ବେହେରା। ତାଙ୍କ ମୃତଦେହକୁ ଉଦ୍ଧାର କରାଯିବା ପରେ ବାଙ୍କୀ ଡାକ୍ତରଖାନାରେ ବ୍ୟବଚ୍ଛେଦ କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ମୃତ ସୁରେଶଙ୍କ ଘର ବାଙ୍କୀର ମୁରାରୀପୁରରେ। ସେ ମାଛ ଧରି ପେଟ ପୋଷୁ ଥିଲେ। ସବୁ ଦିନ ଭଳି ଆଜି ମଧ୍ୟ ଭୋରରୁ ସେ ମାଛ ଧରିବାକୁ ଯାଇଥିଲେ। ମହାନଦୀର କାଳୀକାପ୍ରସାଦ ଘାଟରୁ ଡଙ୍ଗା ନେଇ ସେ ମାଛ ଧରିବାକୁ ଯାଇଥିଲେ। ତେବେ ସେ ଘୋଡ଼ାଇ ହୋଇ ଯାଇଥିବା ଶାଲଟି ନଦୀରେ ଭାସୁଥିବା ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକେ। ତେଣୁ ସନ୍ଦେହରେ ସେମାନେ ନଦୀରେ ଖୋଜାଖୋଜି କରିଥିଲେ ଏବଂ ତାଙ୍କ ମୃତଦେହକୁ ଉଦ୍ଧାର କରିଥିଲେ। ମୃତଦେହକୁ ଉଦ୍ଧାର କରାଯିବା ପରେ ବାଙ୍କୀ ଡାକ୍ତରଖାନାକୁ ଅଣାଯାଇଥିଲା। ସେଠାରେ ତାଙ୍କର ଶବବ୍ୟବଚ୍ଛେଦ କରାଯାଇଛି।

ତେବେ ତଦନ୍ତ ପରେ ଯାଇ ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ। ଡଙ୍ଗା ବୁଡ଼ି ଯିବା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି ନା ଆଉ କିଛି କାରଣ ରହିଛି, ତାହା ତଦନ୍ତ ପରେ ଜଣାପଡ଼ିବ। ଏବେ ମହାନଦୀର କାଳୀକାପ୍ରସାଦ ଘାଟରେ ୧୫ରୁ୨୦ ଫୁଟ୍ ପାଣି ରହିଛି।