ଓସ୍କାର ମାମଲା: ଗୁଜରାଟ ଗଲା କ୍ରାଇମବ୍ରାଞ୍ଚ୍ ଟିମ୍

ଭୁବନେଶ୍ୱର: ଓସ୍କାର ଚିଟ୍‌ଫଣ୍ଡ୍‌ ମାମଲାରେ ଅଧିକ ତଦନ୍ତ କରିବା ପାଇଁ ଆଜି କ୍ରାଇମବ୍ରାଞ୍ଚର ଏକ ଟିମ୍ ଗୁଜରାଟ ଯାଇଛି। ଜଣେ ଡିଏସ୍‌ପିଙ୍କ ନେତୃତ୍ୱରେ କ୍ରାଇମବ୍ରାଞ୍ଚର ଏକ ତିନି ଜଣିଆ ଟିମ୍ ସେଠାକୁ ଯାଇଛନ୍ତି। ସେଠାରେ ଓସ୍କାର ସମ୍ପତ୍ତି, ଅନ୍ୟାନ୍ୟ ଡକ୍ୟୁମେଣ୍ଟ ଓ ଠକେଇର ଶିକାର ହୋଇଥିବା ଜମାକାରୀଙ୍କୁ ଭେଟି କ୍ରାଇମବ୍ରାଞ୍ଚ ଟିମ୍ ଅଧିକ ତଥ୍ୟ ସଂଗ୍ରହ କରିବ। ସେହିପରି ସେଠାରେ ପ୍ରଭାସ ରାଉତ ଆୟୋଜନ କରିଥିବା ଷ୍ଟେଜ୍ ସୋ’ ସଂପର୍କରେ ମଧ୍ୟ କ୍ରାଇମବ୍ରାଞ୍ଚ ଅଧିକାରୀମାନେ ଛାନ୍‌ଭିନ୍ କରିବେ। କେଉଁ କଳାକାରମାନେ ଏହି ଷ୍ଟେଜ୍ ଶୋ’ରେ ଯୋଗ ଦେଇଥିଲେ ସେ ନେଇ ବି ତଦନ୍ତ ହେବ।

ଆଜି ଓସ୍କାର ମୁଖ୍ୟ ପ୍ରଭାସ ରାଉତ ଓ ନିର୍ଦ୍ଦେଶକ ତାରା ପ୍ରସାଦ ହୋତାଙ୍କୁ ଆଜି ଜେରା କରାଯାଇଥିଲା। ପ୍ରଭାସଙ୍କ ପୁଅକୁ ମଧ୍ୟ କ୍ରାଇମବ୍ରାଞ୍ଚ ଅଧିକାରୀମାନେ ପଚରାଉଚରା କରିଥିଲେ। ତାଙ୍କୁ ବିଭିନ୍ନ ସ୍ଥାନକୁ ନେଇ ଛାନଭିନ୍ କରାଯାଇଥିଲା। ତାଙ୍କଠାରୁ ସଂସ୍ଥାର କାରବାର ସଂପର୍କରେ ବହୁ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିବା ନେଇ କ୍ରାଇମବ୍ରାଞ୍ଚ ଆଶାବାଦୀ ଅଛି।

ପ୍ରଭାସ ରାଉତଙ୍କୁ ଆଉ ୫ ଦିନ ଓ ଗିରଫ ହୋଇଥିବା ଅନ୍ୟ ନିର୍ଦ୍ଦେଶକ ତାରା ପ୍ରସାଦ ହୋତାଙ୍କୁ ତିନି ଦିନ ରିମାଣ୍ଡରେ ନେବାକୁ ସ୍ପେଶାଲ ଡେଜିଗ୍‌ନେଟେଡ୍‌ କୋର୍ଟ ଗତକାଲି ଅନୁମତି ଦେଇଛନ୍ତି । ରିମାଣ୍ଡ ବେଳେ ଗୁଜରାଟରେ ଓସ୍କାର ସାମ୍ରାଜ୍ୟ ଓ ସେଠାରେ ହୋଇଥିବା ବିଭିନ୍ନ ଷ୍ଟେଜ୍‌ ସୋ’ରେ  ଓଲିଉଡ୍‌ କଳାକାରଙ୍କ ଲିଙ୍କ୍‌ ନେଇ ଗୁମର ଖୋଲିବାରେ ଆଶା କରାଯାଉଛି।

ତାରା ପ୍ରସାଦ ହୋତା ଗୁଜରାଟରେ କମ୍ପାନୀର ନିର୍ଦ୍ଦେଶକ ଥିଲେ। ତାରା ପ୍ରସାଦଙ୍କ ବ୍ୟତୀତ ନିର୍ଦ୍ଦେଶକ କୀର୍ତ୍ତିରଞ୍ଜନ ବସ୍ତିଆ ଓ ଅବନୀ ପଟ୍ଟନାୟକଙ୍କୁ ମଧ୍ୟ ଗିରଫ କରାଯାଇଛି। ତା’ସହ ଗଞ୍ଜାମ ଜିଲ୍ଲାରେ ଜମି କାରବାର କରୁଥିବା ଜଣେ ଜମି ଦଲାଲକୁ କ୍ରାଇମବ୍ରାଞ୍ଚ ଅଟକ ରଖିଛି। ଗୁଜରାଟରେ ଓସ୍କାରର ୫୮ଟି ଶାଖା ରହିଥିଲା। ସଂସ୍ଥା ବିରୋଧରେ ସେଠାରେ ୩ଟି ମାମଲା ରହିଛି।