ଓଭରଲୋଡିଂ ଓ ମୋବାଇଲ୍ ଫୋନ୍ ଆଠମଲ୍ଲିକ ବସ୍‌ ଦୁର୍ଘଟଣାର କାରଣ

bus1ଅନୁଗୋଳ/କଟକ: ମୋବାଇଲ୍ ଫୋନ୍ ଓ ଓଭରଲୋଡିଂ ପାଇଁ ଆଠମଲ୍ଲିକରେ ଗତକାଲି ବସ୍‌ଟି ପୋଲ ତଳକୁ ଖସି ପଡ଼ିଥିଲା। ଆଠମଲ୍ଲିକ ଉପଜିଲ୍ଲାପାଳଙ୍କ ନେତୃତ୍ୱରେ ଗଠିତ ୪ ଜଣିଆ ତଦନ୍ତକାରୀ ଟିମ୍‌ ଅନୁଗୋଳ ଜିଲ୍ଲାପାଳଙ୍କୁ ଦେଇଥିବା ରିପୋର୍ଟରେ ଏହା ଉଲ୍ଲେଖ କରିଛନ୍ତି।

ଦୁର୍ଘଟଣା ପରେ ଅନୁଗୋଳ ଜିଲ୍ଲାପାଳ ଅନୀଲ ସାମଲ ଆଠମଲ୍ଲିକ ଉପଜିଲ୍ଲାପାଳ, ଏସ୍‌ଡିପିଓ ଓ ଆର୍‌ଟିଓଙ୍କୁ ନେଇ ଏକ ତଦନ୍ତକାରୀ ଟିମ୍‌ ଗଠନ କରିଥିଲେ। ପ୍ରାଥମିକ ତଦନ୍ତ ପରେ ଟିମ୍‌ ଜିଲ୍ଲାପାଳଙ୍କୁ ଏହି ରିପୋର୍ଟ ଦେଇଛି।

ଏହି ରିପୋର୍ଟରେ କୁହାଯାଇଛି ବସ୍‌ଟିର କ୍ଷମତା ୪୨ ଥିବା ବେଳେ ବସ୍‌ରେ ୬୦ ଜଣ ଯାତ୍ରୀ ଥିଲେ।  ତେବେ ତଦନ୍ତରୁ ବସ୍‌ର ଫିଟ୍‌ନେସ୍‌ ଠିକ୍‌ ଥିବା ଜଣାପଡ଼ିଛି।

ପରିବହନ କମିଶନର ଚନ୍ଦ୍ରଶେଖର କୁମାର କହିଛନ୍ତି,“ଏହି ଦୁର୍ଘଟଣା ନେଇ ଆର୍‌ଟିଓ ପ୍ରାଥମିକ ରିପୋର୍ଟ ପ୍ରଦାନ କରିଛି। ଏଥିରେ ଡ୍ରାଇଭର ମୋବାଇଲ୍‌ରେ କଥା ହେଉଥିବା ଉଲ୍ଲେଖ ରହିଛି।”

ସେ ଆହୁରି କହିଛନ୍ତି,“ଆସନ୍ତା ସୋମବାର ବସ୍ ଓ ଟ୍ରକ୍ ମାଲିକ ସଂଘ ସହିତ ବୈଠକ କରାଯିବ। ଏଥିରେ ଓରଲୋଡିଂ ଓ ଓଭରସିଟିଂ ରୋକିବା ଉପରେ ଗୁରୁତ୍ୱ ଦିଆଯିବ। ସେହିପରି ମଦ ପିଇ ଓ ମୋବାଇଲ୍‌ରେ କଥା ହୋଇ ଗାଡ଼ି ଚଳାଇବା ରୋକିବାକୁ ପଦକ୍ଷେପ ନେବା ନେଇ ଆଲୋଚନା କରାଯିବ।”

କଟକ ବଡ଼ ମେଡିକାଲରେ ଚିକିତ୍ସିତ ୨୨ଜଣ ଆହତଙ୍କ ମଧ୍ୟରୁ ୫ ଜଣଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ପ୍ରଥମେ ୩ ଜଣଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିବା ବେଳେ ପରେ ଆଉ ୨ଜଣଙ୍କୁ ଭର୍ତ୍ତି କରାଯାଇଥିଲା। ଆଇସିୟୁରେ ଚିକିତ୍ସିତ ୫ ଜଣଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଦୁର୍ଘଟଣା ପରଠାରୁ ଫେରାର୍‌ ଥିବା ଡ୍ରାଇଭର୍‌କୁ ଧରିବା ପାଇଁ ପୋଲିସ୍‌ ତନାଘନା ଚଳାଇଛି।

ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବା ସହିତ ବସ୍ ଡ୍ରାଇଭରକୁ ଗିରଫ କରିବା ଦାବିରେ ଆଜି ଆଠମଲ୍ଲିକ ବନ୍ଦ ରହିଥିଲା। ଏଠାରେ ମୃତକଙ୍କ ଉଦ୍ଦେଶ୍ୟରେ ଏକ ସ୍ମୃତିସଭା ମଧ୍ୟ ଆୟୋଜନ କରାଯାଇଥିଲା। ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଆଜି ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା ବେଳେ ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟ ବନ୍ଦ ରହିଥିଲା।

ଗତକାଲି ବୌଦ୍ଧରୁ ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ଆସୁଥିବା ମହାରାଜା ନାମକ ଏକ ଘରୋଇ ବସ୍ ସକାଳ ପ୍ରାୟ ୯ଟା ବେଳେ ପୁରୁଣା ମାଣତ୍ରୀ ନିକଟରେ ଏକ ପୋଲ ତଳକୁ ଖସି ପଡ଼ିବାରୁ ୧୯ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ଆହତ ହୋଇଥିଲେ।  ଦୁର୍ଘଟଣା ସମୟରେ ଡ୍ରାଇଭର୍‌ ମୋବାଇଲ୍‌ରେ କଥା ହେଉଥିବାରୁ ଏଭଳି ଅଘଟଣା ଘଟିଲା ବୋଲି ଯାତ୍ରୀମାନେ ଅଭିଯୋଗ କରିଥିଲେ।