ପାରାଦୀପ ତୈଳ ବିଶୋଧନାଗାର ଅଗ୍ନିକାଣ୍ଡ ଘଟଣାର ତଦନ୍ତ କରିବ ତୈଳ ଶିଳ୍ପ ସୁରକ୍ଷା ନିର୍ଦ୍ଦେଶାଳୟ

dharmendraପାରାଦୀପ: ପାରାଦୀପ ତୈଳ ବିଶୋଧନାଗାର ଅଗ୍ନିକାଣ୍ଡ ଘଟଣାର ତଦନ୍ତ କରିବ ତୈଳ ଶିଳ୍ପ ସୁରକ୍ଷା ନିର୍ଦ୍ଦେଶାଳୟ ବା ଓଆଇଏସଡି। ଏହି ସଂସ୍ଥା ତା’ର ତଦନ୍ତ ରିପୋର୍ଟ ୩ ଦିନ ମଧ୍ୟରେ ପ୍ରଦାନ କରିବ। ରବିବାର ଏହି ସୂଚନା ଦେଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।  ପାରାଦୀପ ତୈଳ ବିଶୋଧନାଗାରର ଏଭିରେ ଗତକାଲି  ଘଟିଥିବା ଅଗ୍ନିକାଣ୍ଡ ଘଟଣାର ସମୀକ୍ଷା କରିବା ପରେ ସେ ଏହି ସୂଚନା ଦେଇଛନ୍ତି।

କେନ୍ଦ୍ର ପେଟ୍ରୋଲ୍ ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଅଗ୍ନିକାଣ୍ଡ ଘଟଣା ଦ୍ୱାରା ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ପ୍ରଭାବିତ ହେବ ନାହିଁ।

ଧର୍ମେନ୍ଦ୍ର ଆଜି ତୈଳ ବିଶୋଧନାଗାରରେ ଅଗ୍ନିକାଣ୍ଡ ଘଟିଥିବା ସ୍ଥାନ ପରିଦର୍ଶନ କରିବା ସହିତ ଉଚ୍ଚ ପଦାଧିକାରୀମାନଙ୍କ ସହିତ ନିଆଁ ଲାଗିବାର କାରଣ ଆଦି ସଂପର୍କରେ ଆଲୋଚନା କରିଥିଲେ।

ଅନ୍ୟପକ୍ଷରେ ଏକ ବୈଷୟିକ ବିଶେଷଜ୍ଞ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି କ୍ଷୟକ୍ଷତିର ଅନୁଧ୍ୟାନ କରିଛି।

ପାରାଦ୍ୱୀପ ତୈଳ ବିଶୋଧନାଗାର ପ୍ରକଳ୍ପର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ରାମ ଜୀ ରାମ କହିଛନ୍ତି, ଅଗ୍ନିକାଣ୍ଡ ଘଟିଥିବା ଏଭି ୟୁନିଟରୁ ପ୍ରାୟ ୩୫୦ ସେଣ୍ଟିଗ୍ରେଡ୍ ତରଳ ତାପଜ ତୈଳ ପଦାର୍ଥ ଏକ ପାଇପ୍ ଯୋଗେ ତା’ର ନିର୍ଦ୍ଧାରିତ ଟ୍ୟାଙ୍କକୁ ଯାଇଥାଏ। ଏହାକୁ ନିୟନ୍ତ୍ରଣ କରିଥାଏ ଏକ ଭାଲଭ୍। ଏହା ସଂପୂର୍ଣ୍ଣ ସ୍ୱୟଂଚାଳିତ ଓ ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ। କିନ୍ତୁ ଭାଲଭଟି ସଂପୂର୍ଣ୍ଣ ବନ୍ଦ ହୋଇ ନ ଥିଲା। ଏହା ଉପରକୁ ବନ୍ଦ ଥିବା ପରି ଲାଗିଥିଲା। ତେଣୁ ଅଟୋମେଟିକ୍ ତାପଜ ତୈଳ ପଦାର୍ଥକୁ ଛାଡ଼ି ଦିଆ ଯାଇଥିଲା। ସେଥିପାଇଁ ଏହା ଲିକ୍ ହୋଇ ବାହାରକୁ ଚାଲି ଆସିଥିଲା। ତେବେ ଏହା ଅତ୍ୟନ୍ତ ଉତ୍ତପ୍ତ ହୋଇ ଥିବାରୁ ନିକଟରେ ଗଚ୍ଛିତ ହୋଇଥିବା ଅଶୋଧିତ ତୈଳରେ ସଂଯୋଗ ହୋଇଥିଲା ଓ ତେଲ ସରିବା ପର୍ଯ୍ୟନ୍ତ ନିଆଁ ଜଳିଥିଲ।

ଗତକାଲି ପ୍ଲାଣ୍ଟର ଏକ ନମ୍ବର ଫାଟକ ନିକଟ ଏଭି ୟୁନିଟରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଗତକାଲି ସନ୍ଧ୍ୟା ପ୍ରାୟ ୬ଟାରେ ଏଭି ୟୁନିଟରେ ହଠାତ୍ ନିଆଁ ଲାଗିଯାଇଥିଲା। ପ୍ରଥମେ ଆଇଓସିଏଲ ୪ଟି ଦମକଳକୁ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ କରାଯାଇଥିଲା। ତେବେ ନିଆଁ ଆୟତ୍ତ ନ ହେବାରୁ ପରେ ପିପିଏଲ, ଇଫକୋ ଓ ପାରାଦୀପ ବନ୍ଦରରୁ ଆଉ ୩ଟି ଦମକଳ ଅଣାଯାଇ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ କରାଯାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭ ତାରିଖରେ ଓଡ଼ିଶା ଗସ୍ତରେ ଆସି ଏହି ତୈଳ ବିଶୋଧନାଗାରକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି।

ଅନ୍ୟପକ୍ଷେ ଆଇଓସିଏଲକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ବର୍ଷିଛନ୍ତି ଅବକାରୀ ମନ୍ତ୍ରୀ ଦାମୋଦର ରାଉତ। ଦାମ କହିଛନ୍ତି, ଧର୍ମେନ୍ଦ୍ର କିଛି ଶାଳିନତା ବିରୋଧୀ କାମ କରୁଛନ୍ତି। ଆଇଓସିଏଲ ପଇସାରେ ବଡ଼ ବଡ଼ ହୋଡିଂ ଲଗାଉଛନ୍ତି। ହୋଡିଂରେ ମୋଦିଙ୍କ ଫଟୋ ରହିଛି। ସେଥିରେ କେନ୍ଦ୍ରମନ୍ତ୍ରୀ ନିଜ ଫଟୋକୁ ମଧ୍ୟ ଲଗାଇ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ବାରଣ ସତ୍ତ୍ୱେ ହୋଡିଂରେ ଫଟୋ ଲଗାଇ କେନ୍ଦ୍ରମନ୍ତ୍ରୀ ଅନୈତିକ କାମ କରିଛନ୍ତି ବୋଲି ଦାମ କହିଛନ୍ତି।