ପାରାଦୀପ ତୈଳ ବିଶୋଧନାଗାର ଉଦ୍‌ଘାଟନ ପ୍ରଚାର ପ୍ରସାର ଖର୍ଚ୍ଚର ସିବିଆଇ ତଦନ୍ତ ହେଉ: ଦାମ ରାଉତ

ଭୁବନେଶ୍ୱର: ପାରାଦୀପ ତୈଳ ବିଶୋଧନାଗାର ଉଦ୍‌ଘାଟନ ଦିନ ଯେତେ ପାଖେଇ ଆସୁଛି ବିଜେଡି-ବିଜେପି ବିବାଦ ସେହି ମାତ୍ରାରେ ବଢିବାରେ ଲାଗିଛି। ହୋଡିଂ ଓ ପୋଷ୍ଟରରେ ପେଟ୍ରୋଲିୟ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଫଟୋ ରହିବାକୁ ନେଇ ଅବକାରୀ ମନ୍ତ୍ରୀ ଦାମୋଦର ରାଉତ ତାଙ୍କୁ ପୁଣି ଥରେ ଟାର୍ଗେଟ କରିଛନ୍ତି। ଆଇଓସିଏଲ ଅର୍ଥରେ ପୋଷ୍ଟର ଓ ହୋଡିଂ ମରାଯାଇ କେତେ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି ତାହାର ସିବିଆଇ ତଦନ୍ତ ଦାବି କରି ଦାମ ବିଜେପି-ବିଜେଡି ବିବାଦକୁ ଆଉ ପାଦେ […]

dama

dama

Rakesh Mallick
  • Published: Thursday, 04 February 2016
  • Updated: 05 February 2016, 03:53 AM IST

Sports

Latest News

ଭୁବନେଶ୍ୱର: ପାରାଦୀପ ତୈଳ ବିଶୋଧନାଗାର ଉଦ୍‌ଘାଟନ ଦିନ ଯେତେ ପାଖେଇ ଆସୁଛି ବିଜେଡି-ବିଜେପି ବିବାଦ ସେହି ମାତ୍ରାରେ ବଢିବାରେ ଲାଗିଛି। ହୋଡିଂ ଓ ପୋଷ୍ଟରରେ ପେଟ୍ରୋଲିୟ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଫଟୋ ରହିବାକୁ ନେଇ ଅବକାରୀ ମନ୍ତ୍ରୀ ଦାମୋଦର ରାଉତ ତାଙ୍କୁ ପୁଣି ଥରେ ଟାର୍ଗେଟ କରିଛନ୍ତି। ଆଇଓସିଏଲ ଅର୍ଥରେ ପୋଷ୍ଟର ଓ ହୋଡିଂ ମରାଯାଇ କେତେ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି ତାହାର ସିବିଆଇ ତଦନ୍ତ ଦାବି କରି ଦାମ ବିଜେପି-ବିଜେଡି ବିବାଦକୁ ଆଉ ପାଦେ ଆଗେଇ ନେଇଛନ୍ତି। ଏହାର ଦୃଢ଼ ଜବାବ ବିଜେପି ରଖିଛି। ଦାମବାବୁ ବିଜେପିକୁ ସହ୍ୟ କରି ପାରୁ ନାହାନ୍ତି। ବିଭିନ୍ନ ବିଜ୍ଞାପନରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଲଗାଇ ବିଜେଡି ଓଡ଼ିଶା ରାଜକୋଷରୁ କେତେ ଶହ ଟଙ୍କାର ରାଜସ୍ୱ ଖର୍ଚ୍ଚ କରିଛନ୍ତି ଦାମବାବୁ ତାହାର ହିସାବ ଦେବେ କି ବୋଲି ବିଜେପି ବରିଷ୍ଠ ନେତା ସଜ୍ଜନ ଶର୍ମା ପ୍ରଶ୍ନ କରିଛନ୍ତି।

ମନ୍ତ୍ରୀ ଦାମୋଦର ରାଉତ କହିଛନ୍ତି, ‘ବ୍ୟକ୍ତିଗତ ଭାବେ କାହାରିଙ୍କ ଫଟୋ ଲାଗିଲା ନ ଲାଗିଲା ସେଥିରେ ମୋର କିଛି ଆପତ୍ତି ନାହିଁ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସରକାରୀ ଅର୍ଥରେ ବାହାରୁ ଥିବା ବିଜ୍ଞାପନରେ କେବଳ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଫଟୋ ରହିପାରିବ। ଧର୍ମେନ୍ଦ୍ର ପ୍ରଧାନ ଏ ଦୁଇଟାରୁ କିଛି ନୁହନ୍ତି। ଏପରି ସ୍ଥିତିରେ ଆଇଓସିଏଲ ଟଙ୍କାରେ ସାରା ଓଡ଼ିଶାରେ ତାଙ୍କ ଫଟୋ କାହିଁକି ମରାଯାଉଛି, ଏହାର ସିବିଆଇ ତଦନ୍ତ କରାଯାଉ।’

ସେ ଆହୁରି କହିଛନ୍ତି ଯେ ପାରାଦୀପକୁ ପ୍ରଧାନମନ୍ତ୍ରୀ ତୈଳ ବିଶୋଧନାଗାର ଉଦ୍‌ଘାଟନ କରିବାକୁ ଆସୁଛନ୍ତି। ସେ ଆମର ଅତିଥି। ରାଜ୍ୟ ସରକାର ଓ ସ୍ଥାନୀୟ ବିଧାୟକ ଭାବେ ଆମେ ତାଙ୍କୁ ସ୍ୱାଗତ କରିବୁ। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି। ଆଖପାଖର ସବୁ ବିଧାୟକଙ୍କ ସହ ପ୍ରଧାନମନ୍ତ୍ରୀଙ୍କୁ କିପରି ଭବ୍ୟ ସ୍ୱାଗତ କରାଯିବ ସେ ନେଇ ଆଲୋଚନା କରିଛି। ହେଲେ ଧର୍ମେନ୍ଦ୍ର ପ୍ରଧାନ ସମସ୍ତ ଶାଳୀନତା ଭୁଲି ତୈଳ ବିଶୋଧନାଗାର ଉଦ୍‌ଘାଟନକୁ ଦଳୀୟ କାର୍ଯ୍ୟକ୍ରମ କରିବାକୁ ଚେଷ୍ଟା କରୁଛନ୍ତି। ଉକ୍ତ ସଭାରେ ସେ ସ୍ୱାଗତ ଭାଷଣ ଓ ଜୁଏଲ ଓରାମ ଧନ୍ୟବାଦ ଦେବେ। ଶାଳୀନତା ଦୃଷ୍ଟିରୁ ଆଇଓସିଏଲ ଚେୟାରମ୍ୟାନ ଧନ୍ୟବାଦ ଦେବା କଥା। ହେଲେ ଜୁଏଲ ଓରାମ କାହିଁକି ଧନ୍ୟବାଦ ଦେବେ ବୋଲି ସେ ପ୍ରଶ୍ନ କରିଛନ୍ତି। ସେଠାରେ ଯାହା ବି ଆୟୋଜନ ହେଉଛି ବିଜେପି ଲୋକଙ୍କୁ ପ୍ରାଧାନ୍ୟ ଦେବାକୁ ଧର୍ମେନ୍ଦ୍ର କହୁଛନ୍ତି। ପାରାଦୀପରେ ବିଜେପିର ଲୋକ ନାହାନ୍ତି। ସେ ଜଣେ ବାଲି ଠିକାଦାରଙ୍କୁ ବିଜେପି କର୍ମୀ କରିଛନ୍ତି। ବାହାରୁ ଲୋକ ଆଣି ଅଯଥା ବିଭ୍ରାଟ ସୃଷ୍ଟି କରିବାକୁ ଧର୍ମେନ୍ଦ୍ର ପ୍ରଧାନ ଚେଷ୍ଟା କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

ଦାମ ବାବୁ ବିଜେପିକୁ କାହିଁକି ସହ୍ୟ କରି ପାରୁ ନାହାନ୍ତି ବୋଲି ବରିଷ୍ଠ ବିଜେପି ନେତା ସଜ୍ଜନ ଶର୍ମା ପ୍ରଶ୍ନ କରିଛନ୍ତି।  ଯଦି ନିୟମ ନ ଥାଇ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଲାଗି ପାରୁଛି ତେବେ ଧର୍ମେନ୍ଦ୍ର ପ୍ରଧାନଙ୍କ ଫଟୋ ଲାଗିବାରେ ଅସୁବିଧା କେଉଁଠି ରହିଲା। ମୁଖ୍ୟମନ୍ତ୍ରୀଙ୍କ ଫଟୋ ଲାଗିବା ବାବଦକୁ ଓଡ଼ିଶା ରାଜକୋଷରୁ କେତେ ଶହ କୋଟି ଟଙ୍କା ଖର୍ଚ୍ଚ ହୋଇଛି ଓ ହେଉଛି ତାହାର ହିସାବ ଦାମ ବାବୁ ଦେଇ ପାରିବେ କି ବୋଲି ସେ ପଚାରିଛନ୍ତି।

ସଜ୍ଜନ କହିଛନ୍ତି, ବିଜୁ ଜନତା ଦଳ ଏବେ ବିଭ୍ରାନ୍ତକାରୀ ଜନତା ଦଳରେ ପରିଣତ ହୋଇଛି। ପାରାଦୀପରେ ତୈଳ ବିଶୋଧନାଗାର ପ୍ରତିଷ୍ଠାରେ ବିଜେପିର କିଛି ଭୂମିକା ନ ଥିବା କହିବା ଦାମ ବାବୁଙ୍କ ଭୟକୁ ପଦାରେ ପକାଉଛି। କାଳେ ଏହି ଜାତୀୟ ପ୍ରକଳ୍ପ ପ୍ରତିଷ୍ଠାର ସବୁ ଶ୍ରେୟ ବିଜେପି ନେଇଯିବା ସେ ଭୟ ତାଙ୍କ ମନରେ ପଶି ଯାଇଛି। ତେଣୁ ସେ ଏପରି କହୁଛନ୍ତି। ତଥାପି ଆମେ ଆଶା କରୁଛୁ ପାରାଦୀପରେ ଦାମ ବାବୁ ଆମକୁ ଭଲ ଆତିଥ୍ୟ ଦେବେ।

ପିପିଲି କଥାକୁ ଦୋହରାଇ ସଜ୍ଜନ ଶର୍ମା କହିଛନ୍ତି, ପିପିଲରେ ଯାହା ଘଟିଲା ସବୁ ନବୀନ ବାବୁଙ୍କ ଇଙ୍ଗିତରେ ଘଟିଲା। ସେ ଉପସ୍ଥିତ ଥାଇ ବି ତାଙ୍କ ବିଧାୟକ ଓ ମନ୍ତ୍ରୀଙ୍କୁ ଶୃଙ୍ଖଳିତ ହେବାକୁ ତାଗିଦ କରି ନ ଥିଲେ।

ସେହିପରି ବିଜେପିର ଅନ୍ୟତମ ବରିଷ୍ଠ ନେତା ଭୃଗୁ ବକ୍ସିପାତ୍ର କହିଛନ୍ତି, ଏହା କୌଣସି ଦଳୀୟ କାର୍ଯ୍ୟକ୍ରମ ନୁହେଁ। ସମ୍ପୂର୍ଣ୍ଣ ସରକାରୀ କାର୍ଯ୍ୟକ୍ରମ। ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ପ୍ରଥମ ଥର ପାଇଁ ଓଡ଼ିଶା ଆସୁଛନ୍ତି। ସେ ଆମ ଦଳର ଶ୍ରେଷ୍ଠ ନେତା। ତାଙ୍କୁ ନିଜ ରାଜ୍ୟରେ ସ୍ୱାଗତ କରିବା ଆମ ପାଇଁ ଗର୍ବର ବିଷୟ। ବିଜେଡି ବି ତାଙ୍କୁ ସ୍ୱାଗତ କରିବାକୁ ପୋଷ୍ଟର ଲଗାଇଛି। କେବଳ ଦଳଗତ ଭାବେ ନୁହେଁ ପ୍ରଧାନମନ୍ତ୍ରୀଙ୍କୁ ସାରା ଓଡ଼ିଶାବାସୀ ସ୍ୱାଗତ କରିବେ। ପୋଷ୍ଟରରେ କାହାର ଫଟୋ ରହିବ, ନ ରହିବ ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି। ଏଥିରେ ଆମେ ଟିପ୍ପଣୀ ଦେବା ଠିକ ହେବ ନାହିଁ। ବିଜେଡି ମଧ୍ୟ ଏଥିରୁ ଓହରି ଯିବା ଆବଶ୍ୟକ।

ସେ ଆହୁରି କହିଛନ୍ତି ଯେ, ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଅଛନ୍ତି। ଆଉ ତୈଳ ବିଶୋଧନାଗାର ତାଙ୍କ ମନ୍ତ୍ରାଳୟ ଅଧୀନରେ ଆସୁଛି। ତେଣୁ ସେ ଏଥିରେ ଆନ୍ତରିକତାର ସହ ସାମିଲ ହେଉଛନ୍ତି। ଦାମ ବାବୁ ଏହାକୁ ସହି ପାରୁନାହାନ୍ତି।

ବକ୍ସିପାତ୍ର କହିଛନ୍ତି, ପାରାଦୀପ ତୈଳ ବିଶୋଧନାଗାର ନିଜର ଅବଦାନ ବୋଲି କୌଣସି ଦଳ କହି ପାରିବେ ନାହିଁ। ଏହାର ପ୍ରତିଷ୍ଠାରେ ବିଜେଡି, ବିଜେପି ସହ କଂଗ୍ରେସର ମଧ୍ୟ ପ୍ରମୁଖ ଭୂମିକା ରହିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସମୟରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା ଓ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଉଦ୍‌ଘାଟନ କରିବାକୁ ଯାଉଛନ୍ତି। ଉଭୟ ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦ୍‌ଘାଟନ ସମୟରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ରହି ଆସିଛନ୍ତି। ପ୍ରକଳ୍ପ ପ୍ରତିଷ୍ଠାରେ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଆମେ ଅସ୍ୱୀକାର କରୁନାହୁଁ। ବିଜେଡି ବିଶୋଧନାଗାର ପ୍ରତିଷ୍ଠା ଲାଗି ଜମି ଯୋଗାଇଛି। ଜମି ମିଳିବା ଯୋଗୁଁ ଏହି ଜାତୀୟ ପ୍ରକଳ୍ପ ପ୍ରତିଷ୍ଠା ସମ୍ଭବ ହୋଇଛି। ସେହିପରି ବିଶୋଧନାଗାର ପ୍ରତିଷ୍ଠାରେ କଂଗ୍ରେସର ମଧ୍ୟ ଭୂମିକା ରହିଛି। ୨୦୦୨ରୁ ୨୦୧୪ କଂଗ୍ରେସ ସରକାର କେନ୍ଦ୍ରରେ ଥିବା ବେଳେ କାମ ହୋଇଛି। ତେଣୁ ଏହାର ଶ୍ରେୟ କୌଣସି ରାଜନୈତିକ ଦଳର ନୁହେଁ ଓଡ଼ିଶାବାସୀଙ୍କର। ଦାମ ବାବୁଙ୍କ ପରି ଜଣେ ବରିଷ୍ଠ ନେତା ଏପରି ହୀନ ରାଜନୀତିରେ ପଶିବା କଥା ନୁହେଁ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos