ପାରଳା ଆତ୍ମହତ୍ୟା ଘଟଣା ବିଷୟରେ ମୁଁ କିଛି କହିପାରିବି ନାହିଁ: ସର୍ବଜ୍ଞାନ ଜଗନ୍ନାଥ ଗଜପତି

paralaପାରଳାଖେମୁଣ୍ଡି: ଅନଙ୍ଗ ମଞ୍ଜରୀ ଓ ତାଙ୍କ ପରିବାରର ୪ ଜଣଙ୍କ ଆତ୍ମହତ୍ୟା ଘଟଣା ବିଷୟରେ ମୁଁ କିଛି କହିପାରିବି ନାହିଁ। ସେମାନଙ୍କୁ ମୋ ବଡ ଭାଇ ଗୋପିନାଥ ଗଜପତି ଦେବ ନିଯୁକ୍ତି ଦେଇଥିଲା। ମୃତକଙ୍କର ସହ ମୋର କୌଣସି ସମ୍ପର୍କ ନାହିଁ।” ବୋଲି କହିଛନ୍ତି ପାରଳା ମହାରାଜାଙ୍କ ସାନଭାଇ ସର୍ବଜ୍ଞାନ ଜଗନ୍ନାଥ ଗଜପତି ଦେବ।

ଗୋପୀନାଥଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ସର୍ବଜ୍ଞାନ କହିଛନ୍ତି, “ପାରଳା ମହାରାଜାଙ୍କ ଚିକିତ୍ସାରେ ଅବହେଳା କରାଯାଇଥିଲା। ତାଙ୍କ ସହ କାହାକୁ ଭେଟିବାକୁ ଦିଆଯାଉ ନ ଥିଲା। ଚେନ୍ନାଇକୁ ଚିକିତ୍ସା ପାଇଁ ତାଙ୍କୁ ନିଆଯିବା ବେଳକୁ ତାଙ୍କ ଅବସ୍ଥା ବିଗିଡି ସାରିଥିଲା।”

ସମ୍ପତ୍ତି ବିବାଦକୁ ନେଇ ସେ କହିଛନ୍ତି, “ସମ୍ପତ୍ତିକୁ ନେଇ ଆମ ଦୁଇ ଭାଇଙ୍କ ଭିତରେ ବିବାଦ ଅଛି। ଆଉ ସମସ୍ତ ଜଣନ୍ତି ଯେ ବଡ ଭାଇ ଗୋପୀନାଥ ଦେବ ସମସ୍ତ ସ୍ଥାବର ଅସ୍ଥାବର ସମ୍ପତ୍ତିର ଉତ୍ତରାଧିକାରୀ। ଯେଉଁ ଆଇନଜୀବୀଙ୍କୁ ଏ ନେଇ ପଚାରିଲେ ସେ ସବୁ ତଥ୍ୟ ଦେଇଦେବେ।”

ସୂଚନାଯୋଗ୍ୟ, ପାରଳା ମହାରାଜଙ୍କ ପାଖରେ ୯ କୋଟି ୬୫ ଲକ୍ଷ ଟଙ୍କାର ଗହଣା, ହୀରା, ସୁନା ଓ ମୋତି ରହିଛି ବୋଲି ଦାବି କରି ୧୦ ବର୍ଷ ତଳେ ସର୍ବଜ୍ଞାନ କୋର୍ଟର ଆଶ୍ରୟ ନେଇଥିଲେ। ସେ ଦାଖଲ କରିଥିବା ଡକ୍ୟୁମେଣ୍ଟ ମୁତାବକ ଶିରପେଚର ଦାମ କୋଟିଏ ଟଙ୍କା। ଯେଉଁଥିରେ ଅଛି ହୀରା, ମୋତି ମାଣିକ ପରି ବହୁ ଦାମୀ ଅଳଙ୍କାର। ଯେଉଁ ରାଜମୁକୁଟ ରହିଛି ତା’ର ଦାମ ହେଉଛି କୋଟିଏ ଟଙ୍କା। ସେଥିରେ ଖଚିତ ହୋଇଛି ଏକ ବଡ଼ ହୀରା, ମୋତି ଓ ମାଣିକ। ୨୧ ଲକ୍ଷ ଟଙ୍କାର ଏକ ନେକ୍‌ଲେସ୍‌, ୩୦ ଲକ୍ଷ ଟଙ୍କାର ଡିନର ସେଟ୍‌ ରହିଛି। ମନ୍ଦିରରେ ୧ କୋଟି ଟଙ୍କାର ଗହଣା ରହିଛି। ୧୫ ଲକ୍ଷ ଟଙ୍କାର ସୁନାର ଖଣ୍ଡା, ୭୦ ଲକ୍ଷ ଟଙ୍କାର ବହୁଟି, ବଳା ଓ ଖଡା ରହିଛି। ୧୮ ଲକ୍ଷ ଟଙ୍କାର ସୁନା ବୋତାମ ଏବଂ ୯କୋଟି ୬୫ ଲକ୍ଷ ଟଙ୍କାର ସୁନା, ହୀରାର ଓଅସ୍ଥାବର ସମ୍ପତ୍ତି ରହିଛି।

କୋର୍ଟରେ ସର୍ବଜ୍ଞାନଙ୍କ ଏହି ଦାବିକୁ ଗୋପୀନାଥ ଖଣ୍ଡନ କରିଥିଲେ। ତାଙ୍କ କହିବା ମୁତାବକ ମନ୍ଦିର ସମ୍ପତ୍ତି ହେଉଛି ରାଜ୍ୟ ସରକାରଙ୍କ ଦେବତ୍ତୋର ବିଭାଗର। ମୁକୁଟରେ କୌଣସି ହୀରା, ମୋତି, ମାଣିକ ନାହଁ ବରଂ ଏହା ଏକ ଟୋପି ବୋଲି ସେ କହିଛନ୍ତି କହିଛନ୍ତି। କେବଳ ଶିରପେଚରେ କିଛି ଅଳଙ୍କାର ରହିଛି। ୩୦ ଲକ୍ଷ ଟଙ୍କାର ଡିନର ସେଟ୍‌ ମିଛ। ୧୯୮୬ ମସିହାରେ ପ୍ୟାଲେସ୍‌ର ଗନ୍ତାଘରେ ହୋଇଥିବା ଡକାୟତି ପରେ ବହୁ ଅଳଙ୍କାର ଚୋରି ହୋଇଯାଇଛି।