ପାରଳା ପ୍ୟାଲେସ୍ ମୃତ୍ୟୁ ରହସ୍ୟ: କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ପାରଳାଖେମୁଣ୍ଡି/ଭୁବନେଶ୍ୱର: ପାରଳାଖେମୁଣ୍ଡି ମହାରାଜା ଗୋପୀନାଥ ଗଜପତିଙ୍କ ପୂର୍ବତନ ମ୍ୟାନେଜର ଅନଙ୍ଗ ମଞ୍ଜରୀ ପାତ୍ର, ତାଙ୍କ ଭାଇ ଓ ଭଉଣୀଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ କରିବାକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଥିବା ନେଇ ପୋଲିସ ମହାନିର୍ଦ୍ଦେଶକ କେ.ବି. ସିଂହ ସୂଚନା ଦେଇଛନ୍ତି। ଡିଜିପି କହିଛନ୍ତି,“ଘଟଣାସ୍ଥଳରୁ ୩ଟି ସୁଇସାଇଡ୍ ନୋଟ୍ ମିଳିଛି। ସେଗୁଡ଼ିକୁ ଯାଞ୍ଚ କରାଯାଉଛି।” ସେ ଆହୁରି କହିଛନ୍ତି,“ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିବା ଅନ୍ୟ ଜଣେ ବ୍ୟକ୍ତିଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ରହିଛି। […]

palace

palace

Rakesh Mallick
  • Published: Monday, 22 August 2016
  • Updated: 22 August 2016, 01:58 PM IST

Sports

Latest News

palaceପାରଳାଖେମୁଣ୍ଡି/ଭୁବନେଶ୍ୱର: ପାରଳାଖେମୁଣ୍ଡି ମହାରାଜା ଗୋପୀନାଥ ଗଜପତିଙ୍କ ପୂର୍ବତନ ମ୍ୟାନେଜର ଅନଙ୍ଗ ମଞ୍ଜରୀ ପାତ୍ର, ତାଙ୍କ ଭାଇ ଓ ଭଉଣୀଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ କରିବାକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଥିବା ନେଇ ପୋଲିସ ମହାନିର୍ଦ୍ଦେଶକ କେ.ବି. ସିଂହ ସୂଚନା ଦେଇଛନ୍ତି।

ଡିଜିପି କହିଛନ୍ତି,“ଘଟଣାସ୍ଥଳରୁ ୩ଟି ସୁଇସାଇଡ୍ ନୋଟ୍ ମିଳିଛି। ସେଗୁଡ଼ିକୁ ଯାଞ୍ଚ କରାଯାଉଛି।”

ସେ ଆହୁରି କହିଛନ୍ତି,“ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିବା ଅନ୍ୟ ଜଣେ ବ୍ୟକ୍ତିଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ରହିଛି। ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଛି। ସେ ଚେତା ଫେରିବା ପରେ ତାଙ୍କ ବୟାନ ରେକର୍ଡ କରାଯିବ।”

ମୁଖ୍ୟମନ୍ତ୍ରୀ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେବା ପରେ କ୍ରାଇମବ୍ରାଞ୍ଚର ସ୍ପେଶାଲ ଡିଜି ବି.କେ. ଶର୍ମା କହିଛନ୍ତି,“ଏ ନେଇ ଏକ ୬ ଜଣିଆ ଏସ୍‌ଆଇଟି ଟିମ୍ ଗଠନ କରାଯାଇଛି। ଜଣେ ଅତିରିକ୍ତ ଏସ୍‌ପି ଏହାର ନେତୃତ୍ୱ ନେବେ। ଏଥିରେ ଦୁଇ ଜଣ ଆଇଆଇସି, ଜଣେ ଏସ୍‌ଆଇ ଓ ଦୁଇ ଜଣ ଏଏସ୍‌ଆଇଙ୍କୁ ରଖାଯାଇଛି। ଆସନ୍ତାକାଲିଠାରୁ ଏସ୍‌ଆଇଟି ତଦନ୍ତ ଆରମ୍ଭ କରିବ।”

ଗତକାଲି ଅନଙ୍ଗ ମଞ୍ଜରୀଙ୍କ ସହ ତାଙ୍କ ଭାଇ ତଥା ମହାରାଜାଙ୍କ ପିଏ ସଞ୍ଜୟ ପାତ୍ର ଓ ଭଉଣୀ ବିଜୟଲକ୍ଷ୍ମୀ ପାତ୍ରଙ୍କ ମୃତଦେହକୁ ରାଜପ୍ରସାଦ ନିକଟସ୍ଥ ସେମାନଙ୍କ ଘରୁ ଉଦ୍ଧାର କରାଯାଇଥିଲା। ଅନଙ୍ଗ ମଞ୍ଜରୀଙ୍କ ଅନ୍ୟ ଜଣେ ଭାଇ ଟୁଲୁ ପାତ୍ରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଅନଙ୍ଗ ମଞ୍ଜରୀ ଓ ତାଙ୍କ ଭଉଣୀ ବିଷ ପିଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ସଞ୍ଜୟଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା।

ଗତକାଲି ଅନଙ୍ଗ ମଞ୍ଜରୀଙ୍କ ଘରୁ ଦୁର୍ଗନ୍ଧ ବାହାରୁ ଥିବା ଜାଣି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ।

ଏହି ଘଟଣା ପାଇଁ ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମକୁ ଅନଙ୍ଗ ମଞ୍ଜରୀଙ୍କ ପରିବାର ଲୋକେ ଦୋଷ ଦେଇଛନ୍ତି। ଅନଙ୍ଗ ମଞ୍ଜରୀଙ୍କ ଭଉଣୀ ପୂର୍ଣ୍ଣିମା ପାତ୍ର ଏବଂ ଭାଇ ଅମୂଲ୍ୟ ପାତ୍ର ଅଭିଯୋଗ କରିଛନ୍ତି, “ସମ୍ପତ୍ତି ହଡ଼ପ ନେଇ ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମ ଯେପରି ଖବର ପ୍ରସାରଣ କଲା ସେଥିରେ ଚାପଗ୍ରସ୍ତ ହୋଇ ସେମାନେ ଆତ୍ମହତ୍ୟା କରିଥାଇ ପାରନ୍ତି।”

ପୂର୍ଣ୍ଣିମା କହିଛନ୍ତି, “ବିଧାୟକ କେ. ସୂର୍ଯ୍ୟା ରାଓ ଏବଂ ବସନ୍ତ ଦାସ ଏମାନଙ୍କ ଇଜ୍ଜତକୁ ରାସ୍ତାରେ ବିକ୍ରି କରିଦେଲେ। ଏମାନେ କେବଳ ରାଜନୈତିକ ଫାଇଦା ପାଇଁ ଏପରି କରିଛନ୍ତି। ଏହା ସାଧୁତାର ପରିଚୟ ନୁହେଁ। ସେମାନଙ୍କୁ ଉଚିତ ଦଣ୍ଡ ଦିଆଯାଉ।”

ଅନ୍ୟପକ୍ଷରେ ବିଧାୟକ କେ. ସୂର୍ଯ୍ୟା ରାଓ କହିଛନ୍ତି,“ଯଦି ସେ (ଅନଙ୍ଗ ମଞ୍ଜରୀ ପାତ୍ର) ପାରଳା ମହାରାଜଙ୍କ ସମ୍ପତ୍ତି ହେରଫେର ମାମଲାରେ ସଂପୃକ୍ତ ନୁହଁନ୍ତି ତା’ହେଲେ କ’ଣ ପାଇଁ ଆତ୍ମହତ୍ୟା କଲେ? ସେ କାହାରି ଚାପରେ ଆତ୍ମହତ୍ୟା କରି ନାହାନ୍ତି ତ? ତଦନ୍ତ ହେଲେ ଏସବୁ ଜଣାପଡ଼ିବ।”

ଏହା ପୂର୍ବରୁ ପାରଳା ମହାରାଜା ଗୋପୀନାଥ ଗଜପତିଙ୍କୁ ନଜରବନ୍ଦୀ କରି ରଖାଯାଇଥିବା ଓ ତାଙ୍କ ସମ୍ପତ୍ତି ହଡପ କରାଯାଇଥିବା ଅଭିଯୋଗ ଆସିଥିଲା। ଏହି ଘଟଣା ପ୍ରଘଟ ହେବା ପରେ ମହାରାଜାଙ୍କୁ ଚିକିତ୍ସା ପାଇଁ ଚେନ୍ନାଇର ଆପୋଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେବେଠାରୁ ଘଟଣାକୁ ନେଇ ପାରଳାଖେମୁଣ୍ଡିରେ ଚର୍ଚ୍ଚା ଲାଗି ରହିଥିଲା। ମ୍ୟାନେଜର ଓ ତାଙ୍କ ଦୁଇ ଭାଇଙ୍କ ଗିରଫ ଦାବିରେ ସ୍ଥାନୀୟ ବିଧାୟକ, ବିଜେପି ଜିଲ୍ଲା ସଭାପତିଙ୍କ ସମେତ ୫ ଜଣ ରିଲେ ଅନଶନ ଆରମ୍ଭ କରିଥିଲେ। ଏସବୁ ବିବାଦ ଭିତରେ ଗତ ୧୭ ତାରିଖରେ ଅନଙ୍ଗ ମଞ୍ଜରୀ ଓ ସଞ୍ଜୟ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ।

ଇସ୍ତଫା ଦିନ ସଞ୍ଜୟ କହିଥିଲେ, “ଅଭିଯୋଗ ଭିତ୍ତିହୀନ। ଆମ ବିରୋଧରେ ଆସିଥିବା ଅଭିଯୋଗ କଷ୍ଟ ଦେଉଛି।”

ଗତ ୧୯ ତାରିଖରେ ମହାରାଜାଙ୍କ ଝିଅ କଲ୍ୟାଣୀ ଗଜପତି ରାଜ ପରିବାରର ୩୫ ବର୍ଷର ସମ୍ପତ୍ତି କାରବାରର ତଦନ୍ତ ଦାବି କରି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ରାଜପ୍ରସାଦର ମ୍ୟାନେଜର ଓ କର୍ମଚାରୀମାନେ ଅବୈଧ ଭାବେ ବହୁ ସମ୍ପତ୍ତି ବିକ୍ରି କରିଥିବା ଅଭିଯୋଗ ଆଣି ଏହାର ବିଧିବଦ୍ଧ ତଦନ୍ତ ଦାବି କରିଥିଲେ କଲ୍ୟାଣୀ। ଏପଟେ ପାରଳା ମହାରାଜାଙ୍କ ପ୍ରତିଷ୍ଠାନ ମ୍ୟାନେଜର ଏବଂ ତାଙ୍କ ଭାଇ ମହାରାଜାଙ୍କ ସମ୍ପତ୍ତି ହଡପ କରିଥିବା ଅଭିଯୋଗ କରି ମହାରାଜା ସୁରକ୍ଷା କମିଟି ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos