ଆଇଏଏସ ଅଧିକାରୀ ପାର୍ଥ ସାରଥୀ ମିଶ୍ରଙ୍କ ଜାମିନ ଆବେଦନ ଖାରଜ

କଟକ:  ଗିରଫ  ଓଏସ୍‌ଆଇସିର ଏମଡି ତଥା ଆଇଏଏସ ଅଧିକାରୀ ପାର୍ଥ ସାରଥୀ ମିଶ୍ରଙ୍କ ଜାମିନ ଆବେଦନ ଖାରଜ ହୋଇଯାଇଛି। ତାଙ୍କ ବିରୋଧରେ ତଦନ୍ତ ଚାଲି ଥିବାରୁ କଟକ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଜାମିନ୍‌ ଆବେଦନକୁ ଖାରଜ କରିଦେଇଛନ୍ତି।

ଅନ୍ୟପକ୍ଷରେ ପାର୍ଥ ସାରଥୀଙ୍କୁ ୫ ଦିନ ରିମାଣ୍ଡରେ ନେବା ପାଇଁ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ଆଜି ଭିଜିଲାନ୍ସ ଆବେଦନ କରିଛି। ପାର୍ଥସାରଥୀ ଅତ୍ୟନ୍ତ ବିଳାସ ବ୍ୟସନରେ ଜୀବନ ବିତାଉଥିବା ଭିଜିଲାନ୍ସ ବିଭାଗ ଜାଣିବାକୁ ପାଇଛି।

ଆୟ ବହିର୍ଭୂତ ସମ୍ପତ୍ତିର ଖିଅ ଖୋଜୁଥିବା ଭିଜିଲାନ୍ସ ହାତରେ ଲାଗିଛି  ପାର୍ଥ ସାରଥୀଙ୍କ ସୌଖୀନ ଆଲିସାନ୍‌ ବଙ୍ଗଳା ଓ କୋଟି କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ସଂପର୍କରେ ତଥ୍ୟ । ତାଙ୍କ ସମ୍ପତ୍ତିର ପରିମାଣ ପ୍ରାୟ ୫ କୋଟି ଟଙ୍କା ହେବ ବୋଲି ଭିଜିଲାନ୍ସ ଆକଳନ କରିଛି। କଟକ,ପୁରୀ ଓ ଭୁବନେଶ୍ୱରରେ ତାଙ୍କର ଅଢ଼େଇ କୋଟି ଟଙ୍କାର ୩ଟି ଆଲିସାନ୍‌ ଘର ରହିଛି। ସେହିପରି ସେ ଅନେକ ଥର ବିଦେଶ ଭ୍ରମଣରେ ମଧ୍ୟ ଯାଇଛନ୍ତି।

ପାର୍ଥ ସାରଥୀଙ୍କ ନାଁରେ ଅଭିଯୋଗ ଆସିବା ପରେ କିଛି ମାସ ହେବ ସେ ଭିଜିଲାନ୍ସ ନଜରରେ ଥିଲେ। ବୁଧବାର ତାଙ୍କ ଗାଡ଼ିରୁ ୨ଲକ୍ଷ୧୪ ହଜାର ଟଙ୍କା ଜବତ ହୋଇଥିଲା। ପରେ ତାଙ୍କ ଭୁବନେଶ୍ୱର ସରକାରୀ ଘର, କଟକ ଅଫିସ ଓ ଘରେ  ଭିଜିଲାନ୍ସ ଚଢ଼ାଉ କରିଥିଲା। ଗୁରୁବାର ପାର୍ଥ ସାରଥୀଙ୍କୁ ଗିରଫ କରାଯାଇଥିଲା।