୩ଦିନ ହେଲା ବନ୍ଦ ପଠାଣିସାମନ୍ତ ପ୍ଲାନେଟୋରିୟମ୍: ନୋଟିସ୍‌ ଝୁଲାଇ ବସିଯାଇଛନ୍ତି କର୍ତ୍ତୃପକ୍ଷ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ପଠାଣିସାମନ୍ତ ପ୍ଲାନେଟୋରିୟମ୍ ବନ୍ଦ ହୋଇଯାଇଛି। କିଛିଦିନ ଧରି ପ୍ଲାନେଟୋରିୟମରେ କୌଣସି ଶୋ’ ହେଉନାହିଁ। ଫଳରେ ଦୂର ଦୂରାନ୍ତରରୁ ଆସୁଥିବା ଦର୍ଶକ, ଛାତ୍ରଛାତ୍ରୀ ନିରାଶ ହୋଇ ଫେରୁଛନ୍ତି। ଏଭଳି ସ୍ଥଳେ ପ୍ଲାନେଟୋରିୟମ୍ କେବଳ ଟେକ୍ନିକାଲ୍ ସମସ୍ୟା ଥିବା ଏକ ନୋଟିସ୍ ଛୁଲାଇ ଦେଇ ଚୁପ୍ ହୋଇ କର୍ତ୍ତୃପକ୍ଷ ବସିଯାଥିବା ଅଭିଯୋଗ ହେଉଛି।

ପଠାଣିସାମନ୍ତ ପ୍ଲାନେଟାରିୟମରେ ଶୋ’ ବୈଷୟିକ ତ୍ରୁଟି କାରଣରୁ ବନ୍ଦ ରହିଛି ବୋଲି ପ୍ଲାନେଟାରିୟମ୍ ମୁଖ୍ୟ ପ୍ରବେଶ ପଥରେ ନୋଟିସ୍ ଲାଗିଛି। ପ୍ଲାନେଟାରିୟମକୁ ଦୈନିକ ଶହ ଶହ ଦର୍ଶକ ଆସୁଥିଲେ ବି ଗଲା ତିନିଦିନ ଧରି ସେମାନଙ୍କୁ ନିରାଶ ହୋଇ ଫେରିବାକୁ ପଡୁଛି।

ବଡ଼ କଥା ହେଉଛି ପ୍ଲାନେଟାରିୟମରେ ଶୋ’ ବନ୍ଦ ସମ୍ପର୍କରେ ୱେବସାଇଟରେ କୌଣସି ସୂଚନା ଦିଆଯାଇନାହିଁ। ଫଳରେ ବିଭିନ୍ନ ବର୍ଗର ଦର୍ଶକ ଏଠାକୁ ଆସିବା ପରେ ହିଁ ଶୋ’ ନଦେଖି ଫେରୁଥିବାରୁ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି।

ପ୍ଲାନେଟୋରିୟମରେ ପ୍ରତିଦିନ ୩ଟି ଶୋ’ କରାଯାଇଥାଏ। ଶୁକ୍ରବାର ଶୋ’ ଅଧାରୁ ହଠାତ୍ ବନ୍ଦ ହୋଇଯାଇଥିଲା। ପ୍ଲାନେଟୋରିୟମର ଯନ୍ତ୍ରପାତିର ଠିକ୍ ରକ୍ଷଣାବେକ୍ଷଣ ଅଭାବରୁ ଏପରି ଏହି ସମସ୍ୟା ଉପୁଜିଥିବା ଅଭିଯୋଗ ହେଉଛି। ତେବେ ଏହାର ସମାଧାନ ପାଇଁ କର୍ତ୍ତୃପକ୍ଷ ଉଦ୍ୟମ କରୁଥିବା କହିଥିଲେ ବି ୩ଦିନ ହେବ ପ୍ଲାନେଟୋରିୟମ ବନ୍ଦ ରହିଛି।