ମଦ ଭାଟିରେ ସଶସ୍ତ୍ର ଡକାୟତି: ମ୍ୟାନେଜର ମୃତ, ୪ ଗୁରୁତର

patnagadaପାଟଣାଗଡ଼: ଡକାୟତଙ୍କ ଲୁହା ରଡ୍‌ ମାଡ଼ରେ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ପତ୍ରାପଲ୍ଲୀର ଏକ ମଦ ଭାଟି ମ୍ୟାନେଜରଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ମୃତ ମ୍ୟାନେଜର ହେଲେ ନିଖିଲେଶ ମେହେଟ୍ଟା। ଆହତ କର୍ମଚାରୀଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଗତକାଲି ରାତିରେ ୮ରୁ ୧୦ ଜଣ ଡକାୟତ ମଦ ଦୋକାନ କବାଟ ଭାଙ୍ଗି ଭିତରେ ପଶି ମ୍ୟାନେଜର ନିଖିଳେଶଙ୍କୁ ଟ୍ରେଜେରି ଚାବି ମାଗିଥିଲେ। ସେ ନ ଦେବାରୁ ଡକାୟତମାନେ ଏକ ଲୁହା ରଡ୍‌ରେ ମ୍ୟାନେଜରଙ୍କୁ ମାଡ଼ ମାରିଥିଲେ। ଅନ୍ୟ କର୍ମଚାରୀମାନେ ବିରୋଧ କରିବାରୁ ସେମାନେ ମଧ୍ୟ ମାଡ଼ ଖାଇଥିଲେ ବୋଲି ଅଭିଯୋଗ ହୋଇଥିଲା। ପରେ ଡକାୟତମାନେ ଟ୍ରେଜେରି ଭାଙ୍ଗି ଟଙ୍କା ଲୁଟି ନେଇଥିଲେ। ଖବର ପାଇ ମଦ ଭାଟି ମାଲିକ ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ନିଖିଲେଶଙ୍କ ମୃତ୍ୟୁ ଘଟିଥିଲା।

ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି, ହେଲେ କାହାରିକୁ ଗିରଫ କରିପାରିନି।