ପୋଲିଓ ବୁନ୍ଦା ଖାଇ ଶିଶୁ ମୃତ୍ୟୁ ଅଭିଯୋଗ

ପଟ୍ଟାମୁଣ୍ଡାଇ: କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ  କାଠିଆପଡାଠାରେ ରବିବାର ଏକ ୨୧ଦିନର ଶିଶୁ ପୋଲିଓ ବୁନ୍ଦା ଖାଇ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଆଜି ପିଲାଟିର ଏକୋଇଶିଆ ପୂଜା ଥିଲା। ପୁଅର ଏକୋଇଶିଆ ଲାଗି ପରିବାର ପକ୍ଷରୁ ଭୋଜିଭାତର ଆୟୋଜନ ଚାଲିଥବା ବେଳେ ଏପରି ଏକ ଦୁଃଖଦ ଘଟଣା ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ପିଲାଟି ଅସୁସ୍ଥ ଥିଲା। ଆଶା କର୍ମୀ ବାଧ୍ୟ କରି ଶିଶୁକୁ ପୋଲିଓ ବୁନ୍ଦା ଖୁଆଇବା ପରେ ଏପରି ଘଟଣା ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।

କାଠିଆପଡ଼ାର ପ୍ରଫୁଲ୍ଲ ସେଠୀଙ୍କ ପୁଅର ଆଜି ଏକୋଇଶିଆ ପୂଜା ଥିଲା। ଏଥିପାଇଁ ଘରେ ଉତ୍ସାହର ମାହୋଲ ଥିଲା। ବନ୍ଧୁ ପରିଜନରେ ଘର ଭରପୂର ଥିଲା। ପୁଅର ଏକୋଇଶିଆ ଲାଗି ପରିବାର ଲୋକେ ଭୋଜିଭାତର ମଧ୍ୟ ଆୟୋଜନ କରିଥିଲେ। ଏହି ସମୟରେ ଗ୍ରାମର ଆଶା କର୍ମୀ ଆସି ପୁଅକୁ ପୋଲିଓ ଖୁଆଇବା ଲାଗି ନେବାକୁ କହିଥିଲେ। ହେଲେ ପିଲାଟିକୁ ହାଡଫୁଟି ହୋଇଥିବାରୁ ପରିବାର ଲୋକେ ପୋଲିଓ ଖୁଆଇବାକୁ ରାଜି ହୋଇ ନ ଥିଲେ। ହେଲେ ଆଶାକର୍ମୀ ବାଧ୍ୟ କରିବାରୁ ପୋଲିଓ ବୁନ୍ଦା ଦିଆଯାଇଥିଲା। ପୋଲିଓ ଖାଇବାର ପ୍ରାୟ ୧୫ମିନିଟ ପରେ ଶିଶୁଟି ଅସୁସ୍ଥ ହୋଇପଡିଲା। ତାକୁ ତୁରନ୍ତ  ପଟ୍ଟାମୁଣ୍ଡାଇ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ଶିଶୁଟିକୁ ମୃତ୍ୟୁ ଘୋଷଣା କରିଥିଲେ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି।

ଆଶାକର୍ମୀ କହିଛନ୍ତି, ପିଲାକୁ ପୋଲିଓ ଦେବାକୁ ଆଣିବାକୁ ଯେତେବେଳେ କହିଲୁ ପରିବାର ଲୋକେ କହିଥିଲେ ହାଡ଼ଫୁଟି ହୋଇଛି। ସେତେବେଳେ ପଚାରି ଥିଲି ଶିଶୁଟି ଖିଆପିଆ କରୁଛି କି ନାହିଁ। ପରିବାର ଲୋକେ ପିଲାଟି ମାଆ ଖିର ଠିକରେ ପିଉଥିବା କହିଥିଲେ। କୌଣସି ପିଲା ଅଧିକ ଅସୁସ୍ଥ ଥିଲେ ପୋଲିଓ ଦିଆଯାଇ ନ ଥାଏ। ହେଲେ ଶିଶୁଟି ମାଆ ଖିର ପିଉଥିବାରୁ ଆମେ ପୋଲିଓ ଦେଇଥିଲୁ।

ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ କହିଛନ୍ତି, ପୋଲିଓ ଖାଇବା ଦ୍ୱାରା ଶିଶୁର ମୃତ୍ୟୁ ହୋଇନାହିଁ। ଶିଶୁଟିକୁ ହାଡ଼ଫୁଟି ହୋଇଥିଲା। ସେହି କାରଣ କିମ୍ବା ରକ୍ତହିନତା ଲାଗି ଶିଶୁଟିର ମୃତ୍ୟୁ ହୋଇଥାଇ ପାରେ ବୋଲି ସନ୍ଦେହ କରାଯାଉଛି। ବ୍ୟବଚ୍ଛେଦ ଲାଗି ପଠା ଯାଇଛି। ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡିବ। ଏହାସହ ଘଟଣାର ତଦନ୍ତ ଲାଗି ଜିଲ୍ଲା ଅଧିକାରୀଙ୍କୁ ସୂଚନା ଦିଆଯାଇଥିବା ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ କହିଛନ୍ତି।