ନୂଆପଡା: ନୂଆପଡା ଜିଲ୍ଲାରେ ଆଜି ପୁଣି ଜଣେ ଚାଷୀ ଆତ୍ମହତ୍ୟା କରିଛନ୍ତି । ମୃତ ଚାଷୀ ଜଣଙ୍କ ହେଲେ ଟିଟିଲାଗଡ ଜାମପଡା ଗାଁର ପୀତ ନାଗ। ଫସଲହାନି ଓ ଋଣବୋଝ ଚିନ୍ତାରେ ସେ ଗତ ସନ୍ଧ୍ୟାରେ ନିଜ ଚାଷ ଜମିରେ କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।
ମିଳିଥିବା ସୂଚନା ଅନୁସାରେ ମୃତ ପୀତ ପ୍ରାୟ ୬ ଏକର ଜମିରେ କପା ଓ ଧାନ ଚାଷ କରିଥିଲେ । ଏଥିପାଇଁ ସେ ପ୍ରାୟ ୧ ଲକ୍ଷ ଟଙ୍କା ଧାରକରଜ କରିଥିଲେ । ତେବେ ଅନିୟମିତ ବର୍ଷା ଯୋଗୁଁ ତାଙ୍କ ଫସଲ ଉଜୁଡି ଯାଇଥିଲା । ଏପରିସ୍ଥିତିରେ ଗତକାଲି ସନ୍ଧ୍ୟାରେ ସେ ଘରେ ଥିବା କୀଟନାଶକ ନେଇ ଜମିକୁ ଯାଇ ସେଠାରେ ପିଇ ଦେଇଥିଲେ । ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଖଡିଆଳ ମିଶନ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳ ପ୍ରାୟ ୮ଟାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।
ସୂଚନାଯୋଗ୍ୟ ଯେ, ଗତ ୬ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ୬ଜଣ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହେଉଛି । ଗତକାଲି ନୂଆପଡ଼ା ଜିଲ୍ଲା ବୋଡେନ୍ ଥାନା ଅନ୍ତର୍ଗତ ଖିରମାଲ ଗାଁର ଧରମୁଧର ଅଦା ବିଲରେ ବିଷ ପିଇ ଆତ୍ମହତ୍ୟା କରିଥିଲେ । କପା ଫସଲ ନଷ୍ଟ ହୋଇଯିବା ଯୋଗୁଁ ମାନସିକ ଦୁଃଶ୍ଚିନ୍ତାରେ ସେ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ । ସେହିପରି ବରଗଡ ଜିଲ୍ଲା ଭଟଲୀ ବ୍ଲକ୍ ଅନ୍ତର୍ଗତ ଟୁକୁଲା ଗାଁର ମଗଶୀର ମାଝୀ ମଧ୍ୟ ଗତକାଲି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ପୂର୍ବରୁ ଅକ୍ଟୋବର ୧୧ ତାରିଖରେ ଖୋର୍ଦ୍ଧା ଜିଲ୍ଲାର ବୋଲଗଡ଼ ବ୍ଲକ ଅନ୍ତର୍ଗତ ବ୍ରଜସୁନ୍ଦରପୁର ଗାଁରେ ଅଭିମନ୍ୟୁ ବଳିୟାର ସିଂହ ନାମକ ଜଣେ ଚାଷୀ ଆତ୍ମହତ୍ୟା କରିଥିଲେ। ଚାଷ ପାଇଁ ଋଣଗ୍ରସ୍ତ ହୋଇ ସେ ଜୀବନ ହାରି ଥିଲେ ବୋଲି ଅଭିଯୋଗ ହୋଇଥିଲା। ଅଭିମନ୍ୟୁ ବୋଲଗଡ ବ୍ଲକର ସଲତରା ମିନି ବ୍ୟାଙ୍କ ଏବଂ ଧଳାପଥର ଓଡିଶା ଗ୍ରାମ୍ୟ ବ୍ୟାଙ୍କରୁ ଋଣ କରିଥିଲେ। ୧୦ ତାରିଖରେ ସମ୍ବଲପୁର ଜିଲ୍ଲା ଯୁଯୁମରା ଥାନା ଅନ୍ତର୍ଗତ ଝରଝରି ଗାଁରେ ସନାତନ ମିର୍ଦ୍ଧା ନାମକ ଜଣେ ଚାଷୀ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ୯ ତାରିଖରେ ବଲାଙ୍ଗିର ଜିଲ୍ଲା ପାଟଣାଗଡ ଉପଖଣ୍ଡ ଅନ୍ତର୍ଗତ ଘୁଚେପାଲି ଦନ୍ଦ୍ରାବାହାଲ ଗାଁର ଭକ୍ତ ଧରୁଆ ନାମକ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଗୋଟିଏ ପରେ ଗୋଟିଏ ଚାଷୀ ଆତ୍ମହତ୍ୟା ଅଭିଯୋଗ ଆସୁଥିବା ବେଳେ ଏଥିରେ ହସ୍ତକ୍ଷେପ କରିଛନ୍ତି ରାଜ୍ୟ ମାନବାଧିକାର କମିଶନ। ମଙ୍ଗଳବାର କମିଶନ୍ ଏ ନେଇ ରାଜ୍ୟ ରାଜସ୍ୱ ସଚିବ ଓ କୃଷି ସଚିବଙ୍କୁ ନୋଟିସ୍ ଜାରି କରିଛନ୍ତି। ୪ ସପ୍ତାହ ମଧ୍ୟରେ ଏହାର ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।