୧୦୦ଟି ଗ୍ରାମ୍ୟ ପାଇପ୍ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

pipe-water-projectଭୁବନେଶ୍ୱର: ସହରାଞ୍ଚଳ ପରେ ଆଜି ରାଜ୍ୟର ଗ୍ରାମାଞ୍ଚଳରେ ୧୦୦ଟି ପାଇପ୍ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସଚିବାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ ଏହି ପ୍ରକଳ୍ପ ଗୁଡ଼ିକର ଉଦ୍‌ଘାଟନ କରିଥିଲେ।

୨୬ଟି ଜିଲ୍ଲାରେ ଏହି ୧୦୦ଟି ପାଇପ୍ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରାଯାଇଛି। ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ୧୦୭ଟି ଗାଁର ୧,୭୨,୦୦୦ ଲୋକ ଉପକୃତ ହେବେ। ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬ଟି ଗାଁରେ ଏହି ପ୍ରକଳ୍ପ ଆରମ୍ଭ କରାଯାଇଛି। ଭଦ୍ରକ, ବଲାଙ୍ଗିର, ଗଞ୍ଜାମ, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, କେନ୍ଦୁଝର ଓ କୋରାପୁଟ ଜିଲ୍ଲାରେ ୫ଟି ଲେଖାଏଁ ଗାଁରେ ଏହି ପ୍ରକଳ୍ପ ଆରମ୍ଭ ହୋଇଛି। ସେହିପରି ଅନୁଗୋଳ, ବାଲେଶ୍ୱର, ଢେଙ୍କାନାଳ, କନ୍ଧମାଳରେ ୪ଟି ଲେଖାଏଁ ଗାଁରେ ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି। ବରଗଡ଼, କଟକ ଓ ଦେବଗଡ଼ ଜିଲ୍ଲାରେ ୩ଟି ଲେଖାଏଁ ଗାଁରେ ଏହି ପାନୀୟ ଜଳ ପ୍ରକଳ୍ପ ଉଦ୍‌ଘାଟିତ ହୋଇଛି। ଯାଜପୁର ଓ କଳାହାଣ୍ଡି ଜିଲ୍ଲାର ୨ଟି ଗାଁରେ ଏହି ପ୍ରକଳ୍ପ ଆରମ୍ଭ ହୋଇଛି।

ଏହି ପ୍ରକଳ୍ପଗୁଡ଼ିକୁ ଲୋକାର୍ପିତ କରିବା ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ,“ରାଜ୍ୟର ସବୁ ପଞ୍ଚାୟତକୁ ପାନୀ ଜଳ ଯୋଗାଇ ଦେବା ଆମ ସରକାରଙ୍କ ଲକ୍ଷ୍ୟ। ୨୦୧୭ ମାର୍ଚ୍ଚ ମାସ ସୁଦ୍ଧା ରାଜ୍ୟର ପ୍ରତ୍ୟେକ ପଞ୍ଚାୟତର ମୁଖ୍ୟାଳୟଗୁଡ଼ିକୁ ପାଇପ୍‌ ପାଣି ସୁବିଧା କରିବାକୁ ଆମେ କାର୍ଯ୍ୟ କରୁଛୁ।”

ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍‌ଆର୍‌ସି) ପ୍ରଦୀପ୍ତ କୁମାର ମହାପାତ୍ର କହିଥିଲେ,“ଆଜି ଯେଉଁ ପ୍ରକଳ୍ପଗୁଡ଼ିକୁ ଗ୍ରାମାଞ୍ଚଳ ଲୋକଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରାଯାଇଛି ସେଥିପାଇଁ ୭୨ କୋଟି ଟଙ୍କା ବ୍ୟୟ କରାଯାଇଛି। ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ୧,୭୨,୦୦୦ ଲୋକ ଉପକୃତ ହେବ।”

ସେ ଆହୁରି ମଧ୍ୟ କହିଥିଲେ,“୯୫୪ଟି ପ୍ରକଳ୍ପ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ଆମେ ୩୪୭ଟି ଶେଷ କରିଛୁ। ଅନ୍ୟ ପ୍ରକଳ୍ପଗୁଡ଼ିକୁ ୨୦୧୬-୧୭ ଆର୍ଥିକ ବର୍ଷ ଶେଷ ସୁଦ୍ଧା ସଂପୂର୍ଣ୍ଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି।”

ଆଜିର ଏହି ଗ୍ରାମ୍ୟ ପାଇପ୍ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଲୋକାର୍ପଣ ଉତ୍ସବରେ ମନ୍ତ୍ରୀ ପ୍ରଦୀପ ଅମାତ, ବିଜୟଶ୍ରୀ ରାଉତରାୟ, ବିକ୍ରମ କେଶରୀ ଆରୁଖ, ବଦ୍ରିନାରାୟଣ ପାତ୍ର, ପ୍ରଦୀପ ପାଣିଗ୍ରାହୀ, ପ୍ରଦୀପ ମହାରଥୀ, ଅରୁଣ ସାହୁ, ସୁଦାମ ମାରାଣ୍ଡି, ରମେଶ ମାଝି ଓ ପ୍ରଣବ ପ୍ରକାଶ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ଏପ୍ରିଲ୍ ୨୦ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହରାଞ୍ଚଳଗୁଡ଼ିକ ଉଦ୍ଦେଶ୍ୟରେ ୧୦୦ଟି ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଲୋକାର୍ପିତ କରିଥିଲେ।