ଯୁକ୍ତଦୁଇ ପରୀକ୍ଷା ଦେଇ ନ ପାରିବାରୁ ରାସ୍ତାରେ ବସିଲେ ୫୫ ଛାତ୍ରୀ

ବଲାଙ୍ଗିର: ଗତକାଲିଠାରୁ ଦୁକ୍ତଦୁଇ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ଆଜି କଳା ବିଭାଗର ଇଂରାଜୀ ପରୀକ୍ଷା ହେଉଛି। ହେଲେ ବଲାଙ୍ଗିର ଜିଲ୍ଲାରେ ୫୫ ଜଣ ଛାତ୍ରୀ ପରୀକ୍ଷା ଦେଇ ନ ପାରିବା ପ୍ରତିବାଦରେ ଅଭିଭାବକଙ୍କ ସହ ରାସ୍ତାରେ ବସିଥିବା ଅଭିଯୋଗ ହୋଇଛି। ଏପରି ଅଭାବନୀୟ ଘଟଣା ଘଟିଛି କୁଟରାପାଲ୍ଲୀ ଆସବାଗ୍‌ ମହିଳା କଲେଜରେ।

ଛାତ୍ରୀମାନେ ପରୀକ୍ଷା ଦେଇ ନ ପାରିବା ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଛାତ୍ରୀମାନେ ଅଭିଭାବକଙ୍କ ସହ ମିଶି କଲେଜରେ ଭଙ୍ଗାରୁଜା କରିବା ସହ ମାହାରାପାଲ୍ଲୀ ଛକରେ ରାସ୍ତା ଅବରୋଧ କରିଛନ୍ତି। ଫଳରେ କୁଟରାପାଲ୍ଲୀ ଓ ବଲାଙ୍ଗିର ମଧ୍ୟରେ ଗାଡି ଚଳାଚଳ ଠପ୍‌ ହୋଇଯାଇଛି।

କଲେଜର କୌଣସି କାଗଜପତ୍ର ନ ଥିବା ଅଭିଯୋଗ ହୋଇଛି। ଏହି ଘଟଣା ପରେ କଲେଜ କର୍ତ୍ତୃପକ୍ଷ ଫେରାର ହୋଇଯାଇଛନ୍ତି।

ଜଣେ ଛାତ୍ରୀ କହିଛନ୍ତି,“ଆମର ଦୁଇବର୍ଷ ବରବାଦ କରିଦେଲେ। ଏବେ ଆମେ କ’ଣ କରିବୁ। ସରକାର ନ୍ୟାୟ ନ ଦେଲେ ଆମେ ସମୂହ ଆତ୍ମହତ୍ୟା କରିବୁ।”

ଅନ୍ୟପକ୍ଷରେ ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ ସିଏଚଏସ୍‌ଇ ଅଧ୍ୟକ୍ଷଙ୍କୁ ଗଣଶିକ୍ଷା ମନ୍ତ୍ରୀ ଦେବୀ ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି। ତଦନ୍ତ ରିପୋର୍ଟ ଆସିବା ପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।