ଯୁକ୍ତ ଦୁଇ ଦ୍ୱିତୀୟ ପର୍ଯ୍ୟାୟ କଟ୍ ଅଫ୍ ମାର୍କ ପ୍ରକାଶ; ବିଜ୍ଞାନରେ ବ୍ରହ୍ମପୁରର ସରସ୍ୱତୀ ବିଦ୍ୟାମନ୍ଦିର ପ୍ରଥମ

ଭୁବନେଶ୍ୱର: ଆଜି ପ୍ରକାଶ ପାଇଛି ଯୁକ୍ତ ଦୁଇ ଦ୍ୱିତୀୟ ପର୍ଯ୍ୟାୟ କଟ୍ ଅଫ୍ ମାର୍କ ତାଲିକା। ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶ କରାଯାଇଛି ଏହି ତାଲିକା।
ଦ୍ୱିତୀୟ ପର୍ଯ୍ୟାୟ କଟ୍ ଅଫ୍ ମାର୍କ ତାଲିକାରେ ବିଜ୍ଞାନରେ ଆଗରେ ରହିଛି ବ୍ରହ୍ମପୁରର ନୀଳକଣ୍ଠନଗର ସ୍ଥିତ ସରସ୍ୱତୀ ଜୁନିୟର ବିଦ୍ୟାମନ୍ଦିର। ଏଠାରେ କଟ୍ ଅଫ୍ ମାର୍କ ରହିଛି ୯୦.୮୩ ପ୍ରତିଶତ। ୯୦.୫% ସହିତ ରେଭେନ୍ସା ଜୁନିୟର କଲେଜ ଦ୍ୱିତୀୟ ସ୍ଥାନରେ ରହିଛି। ତୃତୀୟରେ ରହିଛି ବିଜେବି ଜୁନିୟର କଲେଜ। ଏଠାରେ କଟ୍ ଅଫ୍ ମାର୍କ ୮୯.୩୩% ରହିଛି। ଭୁବନେଶ୍ୱର ସ୍ଥିତ କଳିଙ୍ଗ ଭିଜନ୍ ଯୁକ୍ତ ଦୁଇ ବିଜ୍ଞାନ ଆବାସିକ କଲେଜ ୮୭% ସହିତ ଚତୁର୍ଥ ସ୍ଥାନରେ ରହିଛି। ଭୁବନେଶ୍ୱର ସ୍ଥିତ ବେସିକ୍ ସାଇନ୍ସ ଆଣ୍ଡ୍ ହ୍ୟୁମାନିଟିସ୍ ଜୁନିୟର କଲେଜରର ଦ୍ୱିତୀୟ ପର୍ଯ୍ୟାୟ କଟ୍ ଅଫ୍ ମାର୍କ ୮୬% ପ୍ରତିଶତ ରହିଥିବା ବେଳେ ବ୍ରହ୍ମପୁର ସ୍ଥିତ ଖଲିକୋଟ କଲେଜରେ ୮୫ % ରହିଛି।
ଏହି ପର୍ଯ୍ୟାୟରେ କଳାରେ ଅନୁଗୋଳ ଜିଲ୍ଲା କିଶୋରନଗର ଜୁନିୟର କଲେଜ ପ୍ରଥମ ସ୍ଥାନରେ ରହିଛି। ଏଠାରେ କଟ୍ ଅଫ୍ ମାର୍କ ୮୬ ପ୍ରତିଶତ ରହିଛି। ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍ ଅନ୍ତର୍ଗତ ଦାହମୁଣ୍ଡା ସ୍ଥିତ ଆନନ୍ଦମୟୀ ମହିଳା ଜୁନିୟର କଲେଜ ୮୩.୫% ସହ ଦ୍ୱିତୀୟ ସ୍ଥାନରେ ରହିଛି।
ବାଣିଜ୍ୟରେ ଅନୁଗୋଳ ଜିଲ୍ଲା ଖଲାରୀ ସ୍ଥିତ ଶ୍ରୀ ଅରବିନ୍ଦ କଲେଜ ୮୦.୫% ସହିତ ପ୍ରଥମ ସ୍ଥାନରେ ରହିଛି। ଏହା ପଛକୁ ରହିଛି ଭୁବନେଶ୍ୱର ସ୍ଥିତ ବିଜେବି ଜୁନିୟର କଲେଜ। ଏଠାରେ କଟ୍ ଅଫ୍ ମାର୍କ ୮୦ ପ୍ରତିଶତ ରହିଛି। ପୁରୀ ସ୍ଥିତ ସାମନ୍ତ ଚନ୍ଦ୍ରଶେଖର ଜୁନିୟର କଲେଜ ୭୭.୬୭ ପ୍ରତିଶତ ସହିତ ତୃତୀୟ ସ୍ଥାନରେ ରହିଥିବା ବେଳେ ରେଭେନ୍ସା ଜୁନିୟର କଲେଜ ୭୭% ସହିତ ଚତୁର୍ଥ ସ୍ଥାନରେ ରହିଛି। ଭୁବନେଶ୍ୱର ସ୍ଥିତ ରାଜଧାନୀ କଲେଜରେ ବାଣିଜ୍ୟର ଏହି ପର୍ଯ୍ୟାୟ କଟ୍ ଅଫ୍ ମାର୍କ ୭୩.୬୭% ରହିଥିବା ବେଳେ କଟକର ଶୈଳବାଳା ମହିଳା ଜୁନିୟର କଲେଜରେ ୭୦.୩ ପ୍ରତିଶତ ରହିଛି।
ଯୁକ୍ତ ଦୁଇରେ ମୋଟ ୪,୧୦,୧୭୩ ସିଟ୍ରୁ ପ୍ରଥମ ପର୍ଯ୍ୟାୟରେ ୨,୯୫,୨୬୭ ଜଣ ନାମ ଲେଖାଇଛନ୍ତି।
ଦ୍ୱିତୀୟ ପର୍ଯ୍ୟାୟ ନାମଲେଖ ଆସନ୍ତା ୨୮ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ।
ପୂର୍ବରୁ ଯୁକ୍ତ ଦୁଇ ଫାଷ୍ଟ କଟ୍ ଅଫ୍ ଲିଷ୍ଟରେ ବିଜ୍ଞାନରେ ବିଜେବି କଲେଜ୍ ଆଗରେ ରହିଥିଲା। କିନ୍ତୁ ବାଣିଜ୍ୟ ଓ କଳାରେ କିଛି ଘରୋଇ କଲେଜ୍ ଆଗରେ ରହିଥିଲେ।