ଚିଟ୍‌ଫଣ୍ଡ୍ ଠକେଇ ମାମଲାରେ ସିବିଆଇ ତଦନ୍ତକୁ ପ୍ରଧାନମନ୍ତ୍ରୀ ପ୍ରଭାବିତ କରିଛନ୍ତି: ପ୍ରସାଦ

ଭୁବନେଶ୍ୱର: ଚିଟ୍‌ଫଣ୍ଡ୍ ଠକେଇ ମାମଲାରେ ସିବିଆଇ ତଦନ୍ତର ନିପେକ୍ଷତା ଉପରେ ଖୋଦ୍ ବିଜେପିର କେତେ ଜଣ ତୁଙ୍ଗ ନେତା ପ୍ରଶ୍ନ ଉଠାଇ ସାରିଥିବା ବେଳେ ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିବିଆଇକୁ ପ୍ରଭାବିତ କରିଛନ୍ତି ବୋଲି ଆଜି  ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଅଭିଯୋଗ କରିଛନ୍ତି। ପିସିସି ସଭାପତି କହିଛନ୍ତି,“ଚିଟ୍‌ଫଣ୍ଡ୍ ମହାଠକେଇ ମାମଲାରେ ସିବିଆଇର ତଦନ୍ତ ବାଟବଣା ହୋଇଛି। ସିବିଆଇ ଏ ମାମଲାରେ ଠିକଣା ଭାବେ ତଦନ୍ତ କରୁ ନ ଥିବା କଥା ଓଡ଼ିଶାର ଜନସାଧାରଣ ବୁଝିସାରିଲେଣି […]

prasad-harichandan

prasad-harichandan

Rakesh Mallick
  • Published: Thursday, 14 April 2016
  • Updated: 14 April 2016, 11:15 AM IST

prasad-harichandanଭୁବନେଶ୍ୱର: ଚିଟ୍‌ଫଣ୍ଡ୍ ଠକେଇ ମାମଲାରେ ସିବିଆଇ ତଦନ୍ତର ନିପେକ୍ଷତା ଉପରେ ଖୋଦ୍ ବିଜେପିର କେତେ ଜଣ ତୁଙ୍ଗ ନେତା ପ୍ରଶ୍ନ ଉଠାଇ ସାରିଥିବା ବେଳେ ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିବିଆଇକୁ ପ୍ରଭାବିତ କରିଛନ୍ତି ବୋଲି ଆଜି  ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଅଭିଯୋଗ କରିଛନ୍ତି।

ପିସିସି ସଭାପତି କହିଛନ୍ତି,“ଚିଟ୍‌ଫଣ୍ଡ୍ ମହାଠକେଇ ମାମଲାରେ ସିବିଆଇର ତଦନ୍ତ ବାଟବଣା ହୋଇଛି। ସିବିଆଇ ଏ ମାମଲାରେ ଠିକଣା ଭାବେ ତଦନ୍ତ କରୁ ନ ଥିବା କଥା ଓଡ଼ିଶାର ଜନସାଧାରଣ ବୁଝିସାରିଲେଣି ବୋଲି ବିଜେପିର ଜଣେ ତୁଙ୍ଗ ନେତା ଦୁଇ ଦିନ ତଳେ ମନ୍ତବ୍ୟ ଦେଇଥିଲେ। ସିବିଆଇ କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ଘଣ୍ଟ ଘୋଡ଼ାଇବାକୁ ଉଦ୍ୟମ କରୁଛି ବୋଲି ସେ କହିଥିଲେ।”

ସୂଚନାଯୋଗ୍ୟ, କିଛି ଦିନ ତଳେ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ଚିଟ୍‌ଫଣ୍ଡ୍ ଦୁର୍ନୀତିରେ ସିବିଆଇର ତଦନ୍ତର ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇଥିଲେ ଓ ଏହି ତଦନ୍ତକାରୀ ସଂସ୍ଥାର ତଦନ୍ତ କେବଳ କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ସୁରକ୍ଷା ଦେବା ପାଇଁ ଉଦ୍ଦିଷ୍ଟ ବୋଲି କହିଥିଲେ।

ପ୍ରସାଦ ଆହୁରି ମଧ୍ୟ କହିଛନ୍ତି,“ସିବିଆଇ ଠିକ୍ ଭାବେ ତଦନ୍ତ କରୁନି ଏବଂ ବିଜେଡିର ନେତା-ମନ୍ତ୍ରୀଙ୍କୁ ଘଣ୍ଟ ଘୋଡ଼ାଉଛି। ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ଦୟା ଯୋଗୁଁ ଆଜି ନବୀନ ବାବୁଙ୍କ ବିଜେଡି ସରକାର ତିଷ୍ଠି ରହିଛି। କେନ୍ଦ୍ର ସରକାର ସିବିଆଇ ତଦନ୍ତକୁ ପ୍ରଭାବିତ କରି ରଖିଛନ୍ତି ବୋଲି ଏଠି ନବୀନ ବାବୁଙ୍କ ସରକାର ଅଛି। ନ ହେଲେ ଏତେବେଳକୁ ତାଙ୍କ ସରକାର ଭାଙ୍ଗି ସାରନ୍ତାଣି। ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ପଦ ହରାଇ ସାରନ୍ତେଣି। ଏ କଥା ଆମେ କହୁନୁ। ଏ କଥା କେନ୍ଦ୍ର କ୍ୟାବିନେଟ୍ ମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି। ସେ ଏ କଥା ସ୍ପଷ୍ଟ ଭାବେ କହିଛନ୍ତି। ଏହା କହିବା ବେଳେ ସେ ଛେପ ଢୋକି ନାହାନ୍ତି। ସେ ଜଣେ ସଚ୍ଚୋଟ ଲୋକ। ସେ ଯାହା କହିନ୍ତି ରୋକ୍‌ଠୋକ୍ କହନ୍ତି। କେବଳ ସେ ନୁହନ୍ତି ଚିଟ୍‌ଫଣ୍ଡ୍ ଦୁର୍ନୀତିରେ ସିବିଆଇ ତଦନ୍ତ ବାଟବଣା ହୋଇଛି ବୋଲି ବିଜେପିର ଅନ୍ୟତମ ତୁଙ୍ଗ ନେତା କନକ ବର୍ଦ୍ଧନ ସିଂହଦେଓ ଓ ବିଜୟ ମହାପାତ୍ର ମଧ୍ୟ ଏ କଥା କହିଛନ୍ତି। ତେଣୁ ଏଥିରୁ ପୂରା ସ୍ପଷ୍ଟ ହୋଇଛି ଯେ ସିବିଆଇ ତଦନ୍ତ ପ୍ରଭାବିତ ହୋଇଛି। ଏଥିପାଇଁ ପ୍ରମାଣ ଅନାବଶ୍ୟକ।”

ସେ କହିଛନ୍ତି,“ ଏବେ ପ୍ରଶ୍ନ ଉଠୁଛି ସିବିଆଇ ଉପରେ କିଏ ପ୍ରଭାବ ପକାଇଛି? ଆଜିକାର ତାରିଖରେ କ’ଣ କଂଗ୍ରେସ ପ୍ରଭାବ ପକାଇ ପାରିବ ସିବିଆଇ ଉପରେ? ସିବିଆଇ ପ୍ରଧାନମନ୍ତ୍ରୀଙ୍କ କର୍ତ୍ତୃତ୍ୱାଧୀନ। ପ୍ରଧାନମନ୍ତ୍ରୀଙ୍କ ପ୍ରତ୍ୟକ୍ଷ କର୍ତ୍ତୃତ୍ୱରେ ସିବିଆଇ କାମ କରେ। ତେଣୁ ଯଦି କେହି ସିବିଆଇକୁ ପ୍ରଭାବିତ କରୁଛନ୍ତି ତା’ହେଲେ ସେ ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତା’ହେଲେ ନରେନ୍ଦ୍ର ମୋଦି ସିବିଆଇକୁ କାହିଁକି ପ୍ରଭାବିତ କରିଛନ୍ତି? ସେ କାହିଁକି ନବୀନ ସରକାରଙ୍କୁ ବଞ୍ଚେଇଛନ୍ତି? ଏ କଥା ଆଉ ଅଛପା ହୋଇ ନାହିଁ।”

ପ୍ରସାଦ କହିଛନ୍ତି,“ ଚାରି ପାଞ୍ଚ ଦିନ ତଳେ ଏକ ଦୃଶ୍ୟ ଟେଲିଭିଜନରେ ପ୍ରସାରଣ କରାଯାଇଥିଲା। ସେଥିରେ କେତେ ଜଣ ମନ୍ତ୍ରୀ ତୃତୀୟ ମହଲା (ସଚିବାଳୟର ତୃତୀୟ ମହଲା) ଯାଉଥିଲେ। ତୃତୀୟ ମହଲାରେ ମୁଖ୍ୟମନ୍ତ୍ରୀ ବସନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହକାରୀ ଅଧିକାରୀମାନେ ବି ସେଠାରେ ବସନ୍ତି। ଅବଶ୍ୟ ଏହି ମନ୍ତ୍ରୀମାନେ କାହାକୁ ଭେଟିଲେ ତାହା ଗଣମାଧ୍ୟମରେ ପ୍ରସାରଣ କରାଗଲା ନାହିଁ। ତେବେ ତା’ପରେ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗଲେ। ତା’ପର ଦିନ ସେ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ରେସ୍‌କୋର୍ସ ସ୍ଥିତ ବାସଭବନରେ ଯାଇ ଭେଟିଥିଲେ। ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ସେ ଗଣମାଧ୍ୟମକୁ କହିଥିଲେ ଯେ କୋଲ୍ ବ୍ଲକ୍ ଆବଣ୍ଟନ ନେଇ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ। ତେବେ ସେ କୋଲ୍ ବ୍ଲକ୍ ଆବଣ୍ଟନ ନେଇ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ ନା ତଥାକଥିତ କୋଲ୍ ବ୍ଲକ୍ ଆବଣ୍ଟନ ଅନିୟମିତତାରେ ଦାଏର ହୋଇଥିବା ମାମଲାରୁ ମୁକୁଳିବା ନେଇ ପ୍ରଧାନମନ୍ତ୍ରୀଙ୍କ ସହିତ ଆଲୋଚନା କରିଥିଲେ?”

ସେ କହିଛନ୍ତି,“କୋଲ୍ ବ୍ଲକ୍ ଆବଣ୍ଟନ ଅନିୟମିତତା ମାମଲାରେ ଏବେକାର ବିଜେପି ସରକାରଙ୍କ ପ୍ରରୋଚନାରେ ସିବିଆଇ ପୂର୍ବତନ ପ୍ରଧାନମନ୍ତ୍ରୀ (ଡ. ମନମୋହନ ସିଂହ)ଙ୍କୁ ଜଡ଼ିତ କରିଛି। ରାଜନୈତିକ ଆକ୍ରୋଶ ରଖି ପୂର୍ବତନ ପ୍ରଧାନମନ୍ତ୍ରୀ ଓ ଅନ୍ୟମାନଙ୍କୁ ଏଥିରେ ଜଡ଼ିତ କରାଯାଇଛି। କିନ୍ତୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ କୁଆଡ଼େ ଗଲେ? ନିର୍ଦ୍ଦିଷ୍ଟ କଂପାନୀକୁ କୋଲ୍ ବ୍ଲକ୍ ଦେବା ପାଇଁ ସେ ହାତକାଟି ସୁପାରିଶ କରିଥିଲେ। ସେଥିରୁ ବଞ୍ଚିବା ପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି।”

ପ୍ରସାଦ ଅଭିଯୋଗ କରିଛନ୍ତି,“ମୁଖ୍ୟମନ୍ତ୍ରୀଙ୍କ ସହାୟକ ସରୋଜ ସାହୁଙ୍କୁ ଜେରା କରାଯିବା ପରେ ସିବିଆଇର ଚିଟ୍‌ଫଣ୍ଡ୍ ଦୁର୍ନୀତି ତଦନ୍ତ ଅଟକି ଥିଲା। ମୁଖ୍ୟମନ୍ତ୍ରୀ ଯାଇ ସିଧାସଳଖ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ। ସେଇଠି ଉଭୟଙ୍କ ମଧ୍ୟରେ ବୁଝାମଣା ହେଲା। ଆମେ ଯେଉଁ ଆଶଙ୍କା କରିଥିଲୁ ତାହା ସତ ହେଲା। ବିଲ୍ ନେଇ ଉଭୟଙ୍କ ମଧ୍ୟରେ ଡିଲ୍ ହେଲା। ସଂସଦରେ ବିଜେପି ସରକାର ଉପସ୍ଥାପନ କରୁଥିବା ବିଲ୍‌ ଗୁଡ଼ିକୁ ବିଜେଡି ସମର୍ଥନ କଲା। ଜମି ଅଧିଗ୍ରହଣ ଅଧ୍ୟାଦେଶ, ଇନ୍‌ସ୍ୟୁରେନ୍ସ ବିଲ୍‌ ଓ ଜିଏସ୍‌ଟି ବିଲ୍‌ ଆଦିରେ ବିଜେଡି ସଂସଦରେ ସରକାରଙ୍କୁ ସମର୍ଥନ କଲା। ତେବେ କେବଳ ବିଲ୍ ନେଇ ଡିଲ୍ ହୋଇନାହିଁ। ଏମାନଙ୍କର (ରାଜ୍ୟ ସରକାରଙ୍କର) ଦରକାର ଥିଲା ସିବିଆଇ ତଦନ୍ତରୁ ସୁରକ୍ଷା। ସେମାନଙ୍କର ଦରକାର ଥିଲା ସଂସଦରେ ସମର୍ଥନ। ଏମାନଙ୍କର ସମର୍ଥନ ଓ ସେମାନଙ୍କର ସୁରକ୍ଷାକୁ ନେଇ ମହାବୁଝାମଣା ହୋଇଛି। ରାଜ୍ୟ ସରକାରଙ୍କ ବିରୁଦ୍ଧରେ ମହାସଂଗ୍ରାମ କରିବାକୁ ଆସିଥିବା ଅମିତ ଶାହ ମହାବୁଝାମଣା କରି ଚାଲିଗଲେ। ସିବିଆଇ ତଦନ୍ତ କେବଳ ଶିଥିଳ ପଡ଼ିଲା ନାହିଁ ବଂର ଠପ୍ ହୋଇଗଲା।”

ସେ କହିଛନ୍ତି,“ ଏବେ ଯେତେବେଳେ ପୁଣି ଚିଟ୍‌ଫଣ୍ଡ୍‌ ତଦନ୍ତ ନେଇ ସିବିଆଇ ଉପରେ ଚାପ ପଡ଼ିଛି ମୁଖ୍ୟମନ୍ତ୍ରୀ ଯାଇ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି। ଚିଟ୍‌ଫଣ୍ଡ ଦୁର୍ନୀତିରେ କେବଳ ସଞ୍ଜୟ ଦାସବର୍ମାଙ୍କ ସଂପୃକ୍ତି ନାହିଁ, ଏଥିରେ ସରକାରୀ ଦଳର  ବହୁ ନେତା ଓ ମନ୍ତ୍ରୀ ସଂପୃକ୍ତ ଅଛନ୍ତି। କିଛି ନେତା ଓ ମନ୍ତ୍ରୀଙ୍କ ନାମ ପଦାକୁ ଆସିଛି। ଆହୁରି ଅନେକଙ୍କ ଉପରେ ଘଣ୍ଟ ଘୋଡ଼ା ଯାଇଛି। ଖାସ୍ ସେଥିପାଇଁ ବିଜେପିର ହିଁ ତୁଙ୍ଗ ନେତାମାନେ ଏକଥା ଖୋଲାଖୋଲି ପ୍ରକାଶ କଲେଣି।”

ଅନ୍ୟପକ୍ଷରେ ବିଜେପି ରାଜ୍ୟ ଉପ-ସଭାପତି ସମୀର ମହାନ୍ତି କହିଛନ୍ତି,“ ପିସିସି ସଭାପତି କେନ୍ଦ୍ରରେ ୟୁପିଏର ୧୦ ବର୍ଷର ଶାସନ କଥା ମନେ ପକାନ୍ତୁ। ସେତେବେଳେ ସୁପ୍ରିମ୍‌କୋର୍ଟ ସିବିଆଇକୁ ପଞ୍ଜୁରୀ ଭିତର ଶାରୀ ବୋଲି କହିଥିଲେ। ୟୁପିଏ ଭଳି କେନ୍ଦ୍ରର ବିଜେପି ନେତୃତ୍ୱାଧୀନ ସରକାର ଅବା ପ୍ରଧାନମନ୍ତ୍ରୀ ସିବିଆଇର କାର୍ଯ୍ୟରେ ହସ୍ତକ୍ଷେପ କରନ୍ତି ନାହିଁ। କଂଗ୍ରେସ ଏମିତି ଶସ୍ତା ମନ୍ତବ୍ୟ ଦେବାରୁ କ୍ଷାନ୍ତ ରହୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos