ପୋଲାଭରମ ନେଇ ବିଜେଡିର ଯୁଦ୍ଧଂଦେହି ଡାକରା: ୭ରେ ଅବିଭକ୍ତ କୋରାପୁଟରେ ହରତାଳ, ରାଜଭବନ ସମ୍ମୁଖରେ ଗଣ ବିକ୍ଷୋଭ

ଭୁବନେଶ୍ୱର: ବିବାଦୀୟ ପୋଲାଭରମ୍ ପ୍ରସଙ୍ଗରେ ବିଜେଡି ଏହାର ଆଭିମୁଖ୍ୟକୁ କଡ଼ା କରିଛି। ଆସନ୍ତା ୭ ତାରିଖରେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଦଳ ପକ୍ଷରୁ ହରତାଳ ଡାକରା ଦିଆଯାଇଛି। ତା’ଛଡ଼ା ସେହିଦିନ ରାଜଭବନ ଆଗରେ ଗଣ ବିକ୍ଷୋଭ କରିବ ଦଳ। ଆଜି ଭୁବନେଶ୍ୱରରେ ଏକ ସାମ୍ୱାଦିକ ସମ୍ମିଳନୀରେ ଏ ନେଇ ଦଳ ପକ୍ଷରୁ ସୂଚନା ଦିଆଯାଇଛି। ମାମଲା କୋର୍ଟରେ ବିଚାରାଧୀନ ଥିବାରୁ ଫୈସଲା ନ ଆସିବା ଯାଏଁ କାମ ବନ୍ଦ ରଖିବାକୁ ଦଳ ଦାବି କରିଛି। ସାମ୍ବାଦିକ ସମ୍ମିଳନୀରେ […]

bjd-cf

bjd-cf

Rakesh Mallick
  • Published: Saturday, 02 January 2016
  • Updated: 02 January 2016, 03:38 PM IST

[caption id="attachment_60732" align="alignleft" width="300"]debi ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର[/caption]

ଭୁବନେଶ୍ୱର: ବିବାଦୀୟ ପୋଲାଭରମ୍ ପ୍ରସଙ୍ଗରେ ବିଜେଡି ଏହାର ଆଭିମୁଖ୍ୟକୁ କଡ଼ା କରିଛି। ଆସନ୍ତା ୭ ତାରିଖରେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଦଳ ପକ୍ଷରୁ ହରତାଳ ଡାକରା ଦିଆଯାଇଛି। ତା’ଛଡ଼ା ସେହିଦିନ ରାଜଭବନ ଆଗରେ ଗଣ ବିକ୍ଷୋଭ କରିବ ଦଳ। ଆଜି ଭୁବନେଶ୍ୱରରେ ଏକ ସାମ୍ୱାଦିକ ସମ୍ମିଳନୀରେ ଏ ନେଇ ଦଳ ପକ୍ଷରୁ ସୂଚନା ଦିଆଯାଇଛି। ମାମଲା କୋର୍ଟରେ ବିଚାରାଧୀନ ଥିବାରୁ ଫୈସଲା ନ ଆସିବା ଯାଏଁ କାମ ବନ୍ଦ ରଖିବାକୁ ଦଳ ଦାବି କରିଛି।

ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ବିଜେଡି ନେତା ତଥା ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ଦେବୀ ମିଶ୍ର କହିଥିଲେ, ବର୍ତ୍ତମାନ ଓଡ଼ିଶାବାସୀ ପୋଲାଭରମ ନେଇ ଚିନ୍ତିତ। ଏହି ପ୍ରକଳ୍ପ ରାଜ୍ୟର ସ୍ୱାର୍ଥ ବିରୋଧୀ। ବିଭିନ୍ନ ସ୍ତରରେ ବିଜୁ ଜନତା ଦଳ ଓ ମୁଖ୍ୟମନ୍ତ୍ରୀଙ୍କ ବାରମ୍ବାର ପ୍ରତିବାଦ ସତ୍ତ୍ୱେ ଏହି ପ୍ରକଳ୍ପ କାର୍ଯ୍ୟକୁ ଆଗକୁ ବଢ଼ିବାକୁ ଦିଆଯାଇଛି। ସମସ୍ତ ବୈଷୟିକ ନିୟମକୁ ଉଲ୍ଲଂଘନ କରି ଓଡ଼ିଶା ସରକାରଙ୍କ ସହିତ ଆଲୋଚନା ନ କରାଯାଇ ଏକ ପାଖିଆ ଭାବେ ଏହି ପ୍ରକଳ୍ପ କାର୍ଯ୍ୟକୁ ଯେଉଁ ଭଳି ଭାବେ ଆଗେଇ ନିଆଯାଉଛି, ତାହାକୁ ବିରୋଧ କରି ଜାନୁଆରୀ ୭ ତାରିଖରେ କୋରାପୁଟ, ରାୟଗଡ଼ା, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାରେ ବିଜେଡି ହରତାଳ କରିବ।  ତା’ସହିତ ରାଜଭବନ ଆଗରେ ଏକ ଗଣ ବିକ୍ଷୋଭର ଅୟୋଜନ କରାଯିବ। କେନ୍ଦ୍ର ସରକାରଙ୍କୁ ଏକ ଚେତବାନୀ ଦେବା ଉଦ୍ଦେଶ୍ୟରେ ବିଜେଡି ପକ୍ଷରୁ ଏହି ପଦକ୍ଷେପ ନିଆଯିବ।

ସେ କହିଥିଲେ, ‘ଆମେ ଆଶା କରୁଛୁ ଯେ ପୋଲାଭରମ ପ୍ରକଳ୍ପ ନେଇ ଜଡ଼ିତ ସମସ୍ତ କର୍ତ୍ତୃପକ୍ଷଙ୍କର କୁମ୍ଭକର୍ଣ୍ଣ ନିଦ ଭାଙ୍ଗିବ ଓ ତୁରନ୍ତ ଓଡ଼ିଶାର ନ୍ୟାର୍ଯ୍ୟ ଦାବି ପ୍ରତି ଗୁରୁତ୍ୱ ଦେବେ। ତା’ସହିତ ସୁପ୍ରିମକୋର୍ଟଙ୍କ ରାୟ ନ ଆସିବା ପର୍ଯ୍ୟନ୍ତ ଏ ପ୍ରକଳ୍ପ ନେଇ ସମସ୍ତ ପ୍ରକାର ଟେଣ୍ଡର ଓ ଅନ୍ୟାନ୍ୟ କାର୍ଯ୍ୟକୁ ବନ୍ଦ ରଖିବେ। କୋ-ବେସିନଗୁଡ଼କ (ଓଡ଼ିଶା, ଛତିଶଗଡ଼ା, ତେଲେଙ୍ଗାନା) ସହିତ ପରାମର୍ଶ ନକରିବା ପର୍ଯ୍ୟନ୍ତ ଓ ପ୍ରକଳ୍ପ ନିର୍ମାଣ କ୍ଷେତ୍ରରେ ବୈଷୟିକ ତ୍ରୁଟିଗୁଡ଼ିକୁ ନ ସୁଧାରିବା ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟକୁ ହାତକୁ ନେବେ ନାହିଁ।’

ଦେବୀ ମିଶ୍ର କହିଥିଲେ, ପୋଲାଭରମ୍ ପ୍ରକଳ୍ପ ନେଇ ଏକାଧିକ ଆଇନର ଉଲ୍ଲଂଘନ କରାଯାଇଛି। କେନ୍ଦ୍ରୀୟ ଜଳ କମିଶନ (ସିଡବ୍ଲ୍ୟୁସି) ପ୍ରଥମେ ଏହି ପ୍ରସ୍ତାବିତ ଡ୍ୟାମରୁ ୩୬ ଲକ୍ଷ୍ୟ କ୍ୟୁସେକ୍ ବନ୍ୟା ଜଳ ଛାଡ଼ିବାକୁ ମଂଜୁରୀ ଦେଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଏହାକୁ ଏକପାଖିଆ ଭାବେ ୫୦ ଲକ୍ଷ କ୍ୟୁସେକକୁ ବୃଦ୍ଧି କରାଯାଇଛି। କୋ-ବେସିନ୍ ଷ୍ଟେଟ୍ (ଓଡ଼ିଶା, ଛତିଶଗଡ଼ ଓ ତେଲେଙ୍ଗାନା) ସହିତ ଏନେଇ ଆଲୋଚନା କରାଯାଇ ନାହିଁ। ପ୍ରକଳ୍ପର ଡିଜାଇନକୁ ବି ଏକପାଖିଆ ଭାବେ କରାଯାଇଛି।  ସ୍ପିଲ୍ ୱେ ହେଉଛି ଏକ ମୌଳିକ ବୈଷୟିକ ପାରାମିଟର। ପୋଲାଭାରମ ପ୍ରକଳ୍ପରେ ସ୍ପିଲ୍ ୱେର କର୍ଭ ଡିଜାଇନକୁ ସିଡବ୍ଲୁସି ଡିପିଆରରେ ଦେଖାଇ ନାହିଁ।  ଗୋଦାବରୀ ୱାଟର ଟ୍ରିବ୍ୟୁନାଲ୍ ଅନୁସାରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟ ଏକ ରାଜିନାମା ହୋଇଥିଲା। ସେଥିରେ ପୋଲାଭରମ ପ୍ରକଳ୍ପର ଆର୍‌ଏଲ (ରିଜରଭର୍ ଲେଭେଲ୍) ୧୪୦ ଫିଟ୍ ରଖିବାକୁ ଚୁକ୍ତି ହୋଇଥିଲା। ଯେତେବେଳେ ୧୦ ଲକ୍ଷ କ୍ୟୁସେକରୁ ଅଧିକ ଜଳ ଡ୍ୟାମ୍ ଭିତରେ ପ୍ରବେଶ କରିବ ସେତେବେଳେ ଆରଏଲକୁ ୧୩୦ ଫିଟ୍ ରଖିବା ପାଇଁ ଚୁକ୍ତି ହୋଇଥିଲା। କିନ୍ତ ସିଡବ୍ଲ୍ୟୁସି ଏହି ସବୁ ବୈଷୟିକ ଦିଗଗୁଡ଼ିକୁ ଅଣଦେଖା କରି ଦେଇଛନ୍ତି।   ସେହିପରି ଚୁକ୍ତିରେ ବୁଡ଼ିବାକୁ ଥିବା ଅଞ୍ଚଳ ସହିତ ଲୋକଙ୍କ ବିସ୍ଥାପନ ଓ ପୁନଃଥଇଥାନ ପ୍ରସଙ୍ଗ ମଧ୍ୟ ରହିଥିଲା। କିନ୍ତୁ ଏସବୁ ଉପେକ୍ଷା କରାଯାଇଛି। ସେହିପରି ଡ୍ୟାମର ଜଳଧାରଣ କ୍ଷମତାକୁ ମଧ୍ୟ ବେଆଇନ ଭାବେ ଅଧିକ କରାଯାଇଛି। ଏନେଇ ଥିବା ଜାତୀୟ ମାନାଙ୍କକୁ ମଧ୍ୟ ଉଲ୍ଲଂଘନ କରାଯାଇଛି।

ପୋଲାଭରମ ନେଇ ବିଧାନସଭାର ଗୃହ କମିଟି ପ୍ରଧାନମନ୍ତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଥିଲେ ହେଁ ଏ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସମୟ ଦିଆଯାଇ ନାହିଁ ବୋଲି ଦେବୀ ମିଶ୍ର କହିଥିଲେ।

ଏହି ସାମ୍ବାଦିକ ସମ୍ମିଳନୀରେ ଶଶୀଭୂଷଣ ବେହେରା, ରମେଶ ମାଝୀ ଓ ପ୍ରତାପ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos