ପୋଲାଭରମ୍ ପ୍ରସଙ୍ଗ: ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପାଇଁ ବିଧାନସଭା ଗୃହ କମିଟିକୁ ମିଳିଲାନି ଅନୁମତି

ଭୁବନେଶ୍ୱର: ପୋଲାଭରମ୍ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ପାଇଁ ବିଧାନସଭା ଗୃହ କମିଟିକୁ ଏଯାଏଁ ମିଳିଲାନି ଅନୁମତି। ଡିସେମ୍ୱର ୨୭ରୁ ଜାନୁଆରୀ ୧୮ତାରିଖ ମଧ୍ୟରେ ସମୟ ଦେବାକୁ ବିଧାନସଭା ଗୃହ କମିଟି ଅନୁରୋଧ କରିଥିଲା। ତେବେ ଆଜି ୧୮ତାରିଖ ହୋଇଯାଇଥିଲେ ହେଁ  ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ବିଧାନସଭାକୁ ଏ ସଂପର୍କରେ କୌଣସି ସୂଚନା ଆସି ନ ଥିବା ଜଣାପଡ଼ିଛି।

ଗତ ଡିସେମ୍ୱର ୧୦ ତାରିଖରେ ଗୃହ କମିଟିର ଏକ ବୈଠକ ବସି ପୋଲାଭରମ୍ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଫେରାଦ୍ ହେବାକୁ ନିଷ୍ପତ୍ତି ନିଆଯାଇଥିଲା। ଏହାପରେ ବିଧାନସଭା ଗୃହ କମିଟି ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ସମୟ ମଗାଯାଇଥିଲା। ଡିସେମ୍ୱର ୨୬ରୁ ଜାନୁୟାରୀ ୧୮ ତାରିଖ ମଧ୍ୟରେ ସମୟ ଦେବାକୁ କମିଟି ପକ୍ଷରୁ ନିବେଦନ କରାଯାଇଥିଲା।

ବିଜେଡି ମୁଖପାତ୍ର ଅମର ଶତପଥୀ କହିଛନ୍ତି, ପୋଲାଭରମ୍ ପ୍ରକଳ୍ପ ବିବାଦ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ପାଇଁ ବିଧାନସଭା ଗୃହ କମିଟି ସମୟ ମାଗିଥିଲା। ଗତବର୍ଷ ଡିସେମ୍ୱର ୨୭ ତାରିଖରୁ ଜାନୁଆରୀ ୧୮ ମଧ୍ୟରେ ସମୟ ଦେବାକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ  ଗୃହ କମିଟି ଅନୁରୋଧ କରିଥିଲା। ଏପର୍ଯ୍ୟନ୍ତ ସେମାନେ ତାରିଖ ସ୍ଥିର କରିନାହାନ୍ତି। ଓଡ଼ିଶାକୁ କେନ୍ଦ୍ରୀୟ ଅବହେଳାର ଏହା ଆଉ ଉଦାହରଣ। ଫେବୃଆରୀ ମାସରେ ବିଧାନସଭା ଅଧିବେଶନ ବସିବାକୁ ଯାଉଛି। ଆଶା କରିବା ତା’ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ବିଧାନସଭା ଗୃହ କମିଟିକୁ ସମୟ ଦିଆଯାଇଯିବ।  ଆଦିବାସୀ ଓ ବୁଡ଼ି ଅଞ୍ଚଳର ସମସ୍ୟା ଲାଗି ପ୍ରଧାନମନ୍ତ୍ରୀ ସମୟ ଦେବା ନିହାନ୍ତି ଜରୁରୀ ବୋଲି ସେ କହିଛନ୍ତି।

ସେହିପରି କଂଗ୍ରେସ ନେତା ତାରା ବାହିନୀ ପତି କହିଛନ୍ତି, ୧୮ ତାରିଖ ପୂର୍ବରୁ ପ୍ରଧାନମନ୍ତ୍ରୀ ସମୟ ଦିଅନ୍ତୁ ବୋଲି ବିଧାନସଭା ଗୃହ କମିଟି ଚିଠିରେ ଉଲ୍ଲେଖ କରିଥିଲା। ନିଜେ ପ୍ରଧାନମନ୍ତ୍ରୀ ବି ସମୟ ଦେଲେନି। ତା’ଠୁ ଦୁର୍ଭାଗ୍ୟ ଆଉ କିଛି ନାହିଁ। ଏଠି ବିଜେପି ଓ ବିଜେଡି ରାଜନୀତି କରୁଛନ୍ତି। ଆଦିବାସୀଙ୍କ ନାମରେ ଏମାନେ ଲୋକଙ୍କୁ ଠକିବାରେ ଲାଗିଛନ୍ତି।

ଅନ୍ୟପକ୍ଷରେ ବିଜେପି ନେତା ସଜ୍ଜନ ଶର୍ମା ପୋଲାଭରମ୍ ସମ୍ପର୍କିତ ବିଧାନସଭା ଗୃହ କମିଟିକୁ ସମାଲୋଚନା କରିଛନ୍ତି। ସେ ପ୍ରଶ୍ନ କରିଛନ୍ତି, ବିଧାନସଭା ଗୃହ କମିଟି ବର୍ତ୍ତମାନ ସୁଦ୍ଧା ପୋଲାଭରମ୍ ଗଲାଣି କି ? କେତେ ବାଟ କାମ ଆଗେଇଛି ତାହା ଦେଖିଲାଣି କି? କେତେ ପଇସା ଖର୍ଚ୍ଚ ହେଲାଣି ତାହା ବୁଝିଛି କି ? ପୋଲାଭରମ୍ କାରଣରୁ ଓଡ଼ିଶାର କ’ଣ କ୍ଷତି ଘଟିବ ତାହା ନ ବୁଝି ବିଜେଡି କେବଳ ରାଜନୀତି କରୁଛି ବୋଲି ସେ ଅଭିଯୋଗ କରିଛନ୍ତି।