ସମ୍ୱଲପୁର: ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ ଉମା ଭାରତୀ ଆଜି ବୁର୍ଲା ଅଶୋକ ନିବାସରେ ଜଳ ସମ୍ପଦ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଏ ଅବସରରେ ସେ ପୋଲାଭରମ୍ ସମ୍ପର୍କରେ ମତ ରଖିଛନ୍ତି। ପୋଲାଭରମ୍ ହେଉଛି ଆନ୍ତଃରାଜ୍ୟ ପ୍ରସଙ୍ଗ, କେନ୍ଦ୍ର ଏଥିରେ ହସ୍ତକ୍ଷେପ କରିବ ନାହିଁ। ଉଭୟ ଓଡ଼ିଶା ଓ ଆନ୍ଧ୍ର ଆଲୋଚନା ମାଧ୍ୟରେ ଏହାର ସମାଧାନ କରନ୍ତୁ ବୋଲି ଏକ ସାମ୍ୱାଦିକ ସମ୍ମିଳନୀରେ କେନ୍ଦ୍ର ମନ୍ତ୍ରୀ ଭାରତୀ ସୂଚନା ଦେଇଛନ୍ତି।
ସେ ଆହୁରି କହଛନ୍ତି ଯେ, ମହାନଦୀ ହେଉଛି ଓଡ଼ିଶାର ଜୀବନରେଖା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ଅବସରରେ ସେ ଗୋଦାବରୀ ଓ ମହାନଦୀ ସଂଯୋଗୀକରଣ ପ୍ରସ୍ତାବ ଦେବେ। ଏ ନେଇ ସହଯୋଗ କରିବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ କହିବେ। ମହାନଦୀ ଓ ଗୋଦାବରୀର ସଂଯୋଗୀକରଣ ହେଲେ ଏହା ଓଡ଼ିଶା ପାଇଁ ଲଭଦାୟକ ହେବ ବୋଲି ସେ କହିଛନ୍ତି। ଏ ନେଇ ଆଜି ଅପରାହ୍ନରେ କେନ୍ଦ୍ର ଓ ରାଜ୍ୟ ଅଧିକାରୀଙ୍କ ସହ ଆଲୋଚନା କରାଯିବ ବୋଲି ସେ କହିଛନ୍ତି।
ମହାନଦୀର ପାଣି ଧୀରେ ଧୀରେ ପ୍ରଦୂଷିତ ହୋଇଯାଇଥିବା ସମ୍ପର୍କରେ କେନ୍ଦ୍ରମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଗଙ୍ଗା ସଫେଇ ଯୋଜନା ଢାଞ୍ଚାରେ ମହାନଦୀକୁ ସଫା କରିବାକୁ କେନ୍ଦ୍ରମନ୍ତ୍ରୀଙ୍କୁ ଦାବି କରାଯାଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।