ଆୟ ବହିର୍ଭୂତ ସମ୍ପତ୍ତି ମାମଲା: ଖଣି ଅଧିକାରୀ ପ୍ରଫୁଲ୍ଲ ଗିରଫ, ଲକରରୁ ୪୪୭ ଗ୍ରାମ ସୁନା ବିସ୍କୁଟ୍ ଜବତ

prafullaକଟକ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତକାଲି ଖଣି ଅଧିକାରୀ ପ୍ରଫୁଲ କୁମାର ସେଠୀଙ୍କର ବିଭିନ୍ନ ସ୍ଥାନରେ ଥିବା ଘର ଓ କାର୍ଯ୍ୟାଳୟ ଉପରେ ଚଢ଼ାଉ କରାଯାଇଥିବା ବେଳେ ଆଜି ତାଙ୍କୁ ଗିରଫ କରାଯାଇଛି। ତାଙ୍କ ଶାଳକ ଦୀପକ ସେଠୀଙ୍କୁ ଭିଜିଲାନ୍ସ ଅଟକ ରଖି ପଚରାଉଚରା କରୁଛି।

ପ୍ରଫୁଲଙ୍କ ବ୍ୟାଙ୍କ୍ ଲକର୍‌ରୁ ଭିଜିଲାନ୍ସ ଅଧିକାରୀମାନେ ୪୪୭ ଗ୍ରାମର ସୁନା ବିସ୍କୁଟ ସହିତ ଅନ୍ୟ ଅଳଙ୍କାର ଜବତ କରିଛନ୍ତି। ଏହା ସହିତ ତାଙ୍କ ଲକର୍‌ରୁ ରୂପା ଗହଣା ମଧ୍ୟ ଜବତ କରାଯାଇଛି। ଗତକାଲି ଚଢ଼ାଉ ବେଳେ ପ୍ରଫୁଲ୍ଲଙ୍କ ସଂପର୍କୀୟମାନଙ୍କ ନାଁରେ ଅଚଳାଚଳ ସମ୍ପତ୍ତି ଥିବା ଜଣାପଡ଼ିଥିବା ବେଳେ ଆଜି ତାଙ୍କ ନାଁରେ ଉଭୟ ବ୍ୟାଙ୍କ ଓ ପୋଷ୍ଟ ଅଫିସ୍‌ରେ ୫ ଲକ୍ଷରୁ ଅଧିକ ଟଙ୍କା ଜମା ଥିବା ଜଣାପଡ଼ିଛି। ସେ ୫ କୋଟି ଟଙ୍କାର ସଂପତ୍ତି ଠୁଳ କରିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।

ବୁଧବାର ପ୍ରଫୁଲ୍ଲଙ୍କ ଭୁବନେଶ୍ୱର ସ୍ଥିତ ବାସଭବନ ସମେତ ବିଭିନ୍ନ ସ୍ଥାନରେ ଥିବା ଘର ଓ କାର୍ଯ୍ୟାଳୟ ଉପରେ ଭିଜିଲାନ୍ସ ଅଧିକାରୀମାନେ ଚଢ଼ାଉ କରିଥିଲେ। ଭୁବନେଶ୍ୱରର ପଳାଶୁଣି କେନାଲ୍ ରୋଡ୍ ସ୍ଥିତ ଆପାର୍ଟମେଣ୍ଟ୍, ରସୁଲଗଡ଼ ଶବର ସାହିର ଘର, ଚନ୍ଦ୍ରଶେଖରପୁର ଫ୍ଲାଟ୍, ଯୋଡ଼ା ବାସଭବନ, ନିଶ୍ଚିନ୍ତକୋଇଲିରେ ଥିବା ପୈତୃକ ଘର ଓ ଫୁଲବାଣୀର ସରକାରୀ କାର୍ଯ୍ୟାଳୟ ଉପରେ ଏକକାଳୀନ ଚଢ଼ାଉ ହୋଇଥିଲା। ଏହି ଚଢ଼ାଉ ବେଳେ ଭୁବନେଶ୍ୱରସ୍ଥିତ ତାଙ୍କ ବାସଭବନରୁ ନଗଦ ୫ ଲକ୍ଷ ୨୯ ହଜାର ଟଙ୍କା, ୧୦୦ ଗ୍ରାମରୁ ଊର୍ଦ୍ଧ୍ୱ ଓଜନର ସୁନା ଅଳଙ୍କାର, ଅନେକ ରୂପା ଥାଳି, ହୀରା ଗହଣା ପ୍ରଭୃତି ଜବତ କରାଯାଇଥିଲା। ଏହା ସହିତ ନାନା ସୌଖୀନ ସାମଗ୍ରୀ ମଧ୍ୟ ତାଙ୍କ ବାସଭବନରେ ମିଳିଥିଲା। ଏହି ଚଢ଼ାଉ ବେଳେ ଜଗତସିଂହପୁର ଜିଲ୍ଲାର କିଶନନଗର ଓ କଟକର ନିଶ୍ଚିନ୍ତକୋଇଲିରେ ତାଙ୍କର ଦୁଇଟି ପ୍ଲଟ୍ ଥିବା ମଧ୍ୟ ଜାଣିବାକୁ ପାଇଥିଲେ ଭିଜିଲାନ୍ସ ଅଧିକାରୀ। ନିଜ ନାଁ ଓ ପରିବାର ସଦସ୍ୟଙ୍କ ବ୍ୟତୀତ ଅନ୍ୟ ସମ୍ପର୍କୀୟଙ୍କ ନାଁରେ ବି ପ୍ରଫୁଲ୍ଲ ସମ୍ପତ୍ତି ଠୁଳ କରିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।

୨୦୦୯ରୁ ୨୦୧୩ ପର୍ଯ୍ୟନ୍ତ ଯୋଡ଼ା ଓ ୨୦୧୩ରୁ ୨୦୧୫ ପର୍ଯ୍ୟନ୍ତ ଯାଜପୁରରେ କାର୍ଯ୍ୟରତ ଥିଲେ ପ୍ରଫୁଲ୍ଲ। ଏହି ସମୟରେ ବିଭିନ୍ନ ସରକାରୀ କାର୍ଯ୍ୟ ପାଇଁ ସେ ବିପୁଳ ପରିମାଣର ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ ଆଧାରରେ ପ୍ରଫୁଲ୍ଲ ବିରୋଧରେ ତଦନ୍ତ ଆରମ୍ଭ କରିଥିଲା ଭିଜିଲାନ୍ସ ଓ ଗତକାଲି ରେଡ୍ କରିଥିଲା।

ସୂଚନାଯୋଗ୍ୟ, ଏହା ପୂର୍ବରୁ ଭିଜିଲାନ୍ସରେ ଧରାପଡ଼ିଥିଲେ ଆଠଗଡ଼ର ଡିଏଫ୍‌ଓ ସୁଧାଂଶୁ ଭୂଷଣ ମିଶ୍ର। ତାଙ୍କର ୫ କୋଟି ୫୩ ଲକ୍ଷ ଟଙ୍କାର ସ୍ଥାବର ଓ ଅସ୍ଥାବର ସଂପତ୍ତି ଠାବ କରାଯାଇଛି। ତାଙ୍କଠାରୁ ନଗଦ ୯୩ ଲକ୍ଷ ଟଙ୍କା ଜବତ କରାଯାଇଥିଲା। ତାଙ୍କୁ ସରକାର ଚାକିରିରୁ ନିଲମ୍ବିତ କରିଛନ୍ତି।