ଏଣିକି ପୈତୃକ ସମ୍ପତ୍ତି ଭାଗ ବଣ୍ଟା ସମସ୍ୟାର ସମାଧାନ କରିବେ ଆରଆଇ

ଭୁବନେଶ୍ୱର: ପୈତୃକ ସମ୍ପତ୍ତି ଭାଗ ବଣ୍ଟା ବେଳେ ଏବେ ଅଂଶୀଦାରକୁ ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ସବୁଠାରୁ ବଡ ସମସ୍ୟା ହେଉଛି ମାତ୍ରାଧିକ ସମୟ। ଆପୋଷ ଭାଗବଣ୍ଟା ସରିଥିଲେ ମଧ୍ୟ ଅଂଶୀଦାର ପଟ୍ଟା ପାଇବାକୁ ହଇରାଣ ହେଉଛନ୍ତି। ଏହି ପ୍ରକ୍ରିୟାକୁ ସରଳ କରିବା ଲାଗି ସରକାର ନୂଆ ପଦକ୍ଷେପ ନେଇଛନ୍ତି। ଏଣିକି ଆରଆଇମାନେ ଏହି ମାମଲା ସମାଧାନ କରିବେ। ସମ୍ପତ୍ତି ଭାଗବଣ୍ଟା ପାଇଁ ଆଗରୁ ସିଭିଲ ସୁଟ୍ ଫାଇଲ କରିବାକୁ ପଡୁଥିଲା। ମାତ୍ର ଏଣିକି ଆବେଦନକାରୀ ସ୍ଥାନୀୟ ଆରଆଇଙ୍କ ପାଖରେ ଦରଖାସ୍ତ କରିବେ। ପ୍ରତିମାସ ୧୦ ତାରିଖରେ ଏହି ଆବେଦନ କରାଯିବ। ଆରଆଇ ସମସ୍ତ ବିଷୟ ଅନୁଧ୍ୟାନ କରି ମାସକ ମଧ୍ୟରେ ରିପୋର୍ଟ ପ୍ରସ୍ତୁତ କରିବେ। ଦରଖାସ୍ତ କରାଯିବାର ୧୮୦ ଦିନ ମଧ୍ୟରେ ପୂରା ଭାଗବଣ୍ଟା ପ୍ରକ୍ରିୟା ଶେଷ ହେବ ବୋଲି ରାଜସ୍ୱ ବିଭାଗ ଯୁଗ୍ମ ସଚିବ ସଂଗ୍ରାମ କେଶରୀ ମହାପାତ୍ର ସୂଚନା ଦେଇଛନ୍ତି।

ଦରଖାସ୍ତ ଗ୍ରହଣ କରିବା ପରେ ଆରଆଇ ତଦନ୍ତ କରି ଓଡ଼ିଶା ଭୂ-ସଂସ୍କାର ଆଇନର ୧୯ ଧାରା ଅନୁଯାଇ ମକଦ୍ଦମାର ବିଚାର କରିବେ। ବିଚାର ସମୟରେ ଅଂଶୀଦାରମାନଙ୍କ ସହମତି ଓ ମଞ୍ଜୁରୀ ଆବଶ୍ୟକ। ଏହି ସମୟରେ ଆବେଦନକାରୀଙ୍କୁ ଡିମାର୍କେସନ ଫି ପୈଠ କରିବାକୁ ପଡିବ। ମାମଲା ଫଇସଲା ହେବା ପରେ ଆରଆଇଙ୍କ ଆଦେଶର ନକଲ ସମ୍ପୃକ୍ତ ସବରେଜିଷ୍ଟାରଙ୍କ ନିକଟକୁ ପଞ୍ଜିକୃତ ପାଇଁ ପଠାଯିବ। ପଞ୍ଜୀକରଣ ପରେ ଅଂଶୀଦାରମାନଙ୍କୁ ପୃଥକ ପୃଥକ ପଟ୍ଟା ପ୍ରଦନ କରାଯିବ। ରେଜିଷ୍ଟ୍ରେସନ ପାଇଁ କୌଣସି ଲାଗିବ ନାହିଁ।