ପୁରୀ: ଇସ୍କନର ପ୍ରସ୍ତାବିତ ମନ୍ଦିର ନିର୍ମାଣ ବନ୍ଦ ଲାଗି ପିକେଡିଏର ନିର୍ଦ୍ଦେଶ

iskonଭୁବନେଶ୍ୱର: ପୁରୀରେ ଇସ୍କନର ପ୍ରସ୍ତାବିତ ମନ୍ଦିର ନିର୍ମାଣ ପ୍ରକ୍ରିୟା ବନ୍ଦ କରିବାକୁ ପୁରୀ-କୋଣାର୍କ ଡେଭଲପମେଣ୍ଟ ଅଥରିଟି (ପିକେଡିଏ) ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ଫଇସଲା ନ ହେବା ପର୍ଯ୍ୟନ୍ତ ନିର୍ମାଣ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ଆସନ୍ତା ୨୯ରେ ପିକେଡିଏ ନିକଟରେ ହାଜର ପାଇଁ ଇସ୍କନକୁ ନୋଟିସ କରାଯାଇଛି। ଅନ୍ୟପକ୍ଷେ ପ୍ରସ୍ତାବିତ ମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତି ପୂଜା ପାଇବେ ନାହିଁ ବୋଲି ଇସ୍କନ କର୍ତ୍ତୃପକ୍ଷ ସ୍ପଷ୍ଟୀକରଣ ଦେଇଛନ୍ତି। ହେଲେ ପ୍ରସ୍ତାବିତ ମନ୍ଦିର ପ୍ରୋଜେକ୍ଟରେ ରାଧାକୃଷ୍ଣଙ୍କ ସହ ଚତୁର୍ଦ୍ଧା ମୂର୍ତ୍ତି ପୂଜା ପାଇବେ ବୋଲି ଉଲ୍ଲେଖ ଥିବାରୁ କଥାର ସତ୍ୟତାକୁ ନେଇ ପ୍ରଶ୍ନ ଉଠିଛି।

ଶ୍ରୀକ୍ଷେତ୍ର ପୁରୀରେ ଜଗନ୍ନାଥ ମନ୍ଦିର ନୁହେଁ, ରାଧାକୃଷ୍ଣଙ୍କ ମନ୍ଦିର ନିର୍ମାଣ ହେବ। ଆଉ ଏହି ମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତୀ ପୂଜା ପାଇବେ ନାହିଁ। ଭୁବନେଶ୍ୱରରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ଆଜି ପୁରୀରେ ଇସ୍କନ ପ୍ରୋଜେକ୍ଟ ଡାଇରେକ୍ଟର ଥିବା ବନମାଳି ଦାସ କହିଛନ୍ତି। । ଏହି ରାଧାକୃଷ୍ଣ ମନ୍ଦିରର ଉଚ୍ଚତା ୩୨ଫୁଟ ରହିବ। ମନ୍ଦିରରେ ରାଧାକୃଷ୍ଣ, ନିତାଇ ଗୌର ଓ ନୃସିଂହଙ୍କ ମୂର୍ତ୍ତି ପୂଜା ପାଇବେ। ଏବେ ମନ୍ଦିରର ଭୂମି ପୂଜନ ସରିଛି ଓ ଏଥିପାଇଁ ପିକେଡିଏର ଅନୁମୋଦନ ମଧ୍ୟ ମିଳିସାରିଛି। ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କଥା ଯେଉଁମାନେ କହୁଛନ୍ତି ଏହା ସମ୍ପୂର୍ଣ୍ଣ ରାଜନୈତିକ ଅଭିସନ୍ଧିମୂଳକ ବୋଲି ସେ କହିଛନ୍ତି।

ପୁରୀରେ ଦ୍ୱିତୀୟ ଜଗନ୍ନାଥ ମନ୍ଦିର ନିର୍ମାଣ କରିବାର କୌଣସି ଯୋଜନା ନାହିଁ । ଏଠାରେ ଏତେ ବଡ଼ ଜଗନ୍ନାଥ ମନ୍ଦିର ଅଛି ଓ ବଡ଼ଦାଣ୍ଡ ଅଛି। ଆମେ କାହିଁକି ପୁଣି ଏକ ଜଗନ୍ନାଥ ମନ୍ଦିର ସେଠାରେ ତିଆରି କରିବୁ। ପୁରୀରେ ଇସ୍କନର ୧୫ରୁ ୧୮ ଏକର ଜାଗା ରହିଛି। ୫୨ ହଜାର ବର୍ଗଫୁଟରେ ମନ୍ଦିର ତିଆରି କରାଯିବ। ରାଧାକୃଷ୍ଣଙ୍କ ମନ୍ଦିର ସହ ସେଠାରେ ଗୋଶାଳା, ମାଗଣା ପ୍ରସାଦ ବଣ୍ଟନ, ଦାନ୍ତବ୍ୟ ଚିକିତ୍ସାଳୟ ଓ ଇ-ଲାଇବ୍ରେରୀ କରାଯିବ।

ଏଠାରେ ଜଗନ୍ନାଥ ମନ୍ଦିର ତିଆରି କରାଯିବ ନାହିଁ କି ରଥଯାତ୍ରା ହେବ ନାହିଁ। ବିଦେଶୀ ଶକ୍ତିର ହାତ ଅଛି ବୋଲି ଯାହା କୁହାଯାଉଛି ଏହା କେବଳ ମନଗଢା କଥା ବୋଲି ବନମାଳି ଦାସ କହିଛନ୍ତି।

ନଗର ଉନ୍ନୟନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓ କହିଛନ୍ତି, ଘଟଣା ନଜରକୁ ଆସିବା ପରେ ଜିଲ୍ଲାପାଳଙ୍କୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କେଉଁ ମନ୍ଦିର ତିଆରି କରାଯିବ, କେତେ ଏକର ଜମିରେ କରାଯିବ ଓ କିଭଳି ଅନୁମତି ଦିଆଯାଇଛି ତାହାର ତଦନ୍ତ କରି ଜିଲ୍ଲାପାଳ ରିପୋର୍ଟ ଦେବେ। ପିକେଡିଏ ପ୍ଲାନିଂ କମିଟି ସଦସ୍ୟଙ୍କ ସହ ଏ ନେଇ ଆଲୋଚନା କରିଥିଲି। ସେମାନେ ରାଧାକୃଷ୍ଣ ମନ୍ଦିର ନିର୍ମାଣ ଲାଗି ଅନୁମତି ଦିଆଯାଇଥିବା କହିଛନ୍ତି। ମନ୍ଦିରରେ ତିନି ଠାକୁରଙ୍କ ମୂର୍ତ୍ତି ରହିବ କି ନାହିଁ ତାହାର ତଦନ୍ତ କରିବାକୁ କୁହାଯାଇଛି। ଲୋକଙ୍କ ଭାବାବେଗ ସହ ଜଡିତ କୌଣସି କାର୍ଯ୍ୟ ଏଠାରେ କରିବାକୁ ଦିଆଯିବ ନାହିଁ।

ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ କହିଛନ୍ତି, ଇସ୍କନର ଆବେଦନରେ ଜଗନ୍ନାଥ ମନ୍ଦିର କଥା ଉଲ୍ଲେଖ ନ ଥିଲା। ଇସ୍କନ ପକ୍ଷରୁ ୪ ମହଲା କୋଠା ଓ ମନ୍ଦିର ପାଇଁ ଅନୁମତି ମଗାଯାଇଥିଲା। ୩ ମହଲା କୋଠା ଓ ମନ୍ଦିର ନିର୍ମାଣ ଲାଗି ଅନୁମତି ଦିଆଯାଇଛି। ଇସ୍କନ ପ୍ରଚାରପତ୍ରରେ ଜଗନ୍ନାଥଙ୍କ ସମ୍ପର୍କରେ ଉଲ୍ଲେଖ ଥିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

ପୁରୀ ଶ୍ରୀମନ୍ଦିରର ପରମ୍ପରାକୁ ଅନୁକରଣ କରି ବଳିଆପଣ୍ଡାରେ ଇସ୍କନ, ଶ୍ରୀଜଗନ୍ନାଥଙ୍କ ମନ୍ଦିର କରିବାର ଯୋଜନା କରି ପିକେଡିଏ ପାଖରେ ଆବେଦନ କରିଥିଲା ବୋଲି କହିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର। ତେଣୁ ତୁରନ୍ତ ଏହି ଅନୁମତି ବାତିଲ ପାଇଁ ସେ ଦାବି କରିଛନ୍ତି। ଇସ୍କନ ପକ୍ଷରୁ ପୁରୀରେ ପୁଣି ଏକ ଜଗନ୍ନାଥ ମନ୍ଦିର ନିର୍ମାଣ କରାଯିବାକୁ ଯୋଜନା କରାଯାଉଛି ବୋଲି ସୋମବାର ସେ ଅଭିଯୋଗ କରିଥିଲେ।

ପୁରୀରେ ଇସ୍କନର ପ୍ରସ୍ତାବିତ ଜଗନ୍ନାଥ ମନ୍ଦିର ଚର୍ଚ୍ଚା ପରେ ଆନ୍ଦୋଳନକୁ ଓହ୍ଲାଇଛି ଜଗନ୍ନାଥ ସେନା। ଆଜି ସେନା ପକ୍ଷରୁ ଶ୍ରୀମନ୍ଦିର ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହାପରେ ମନ୍ଦିର ହେବାକୁ ଥିବା ପ୍ରସ୍ତାବିତ ସ୍ଥାନକୁ ଯାଇ ଜଗନ୍ନାଥ ସେନା ପକ୍ଷରୁ ଏକ ବାନା ପୋତା ଯାଇଛି।