ପ୍ରତିଷ୍ଠା ହେଲା ଓଆଇଏସ୍‌ଏଫ୍‌

aisfଭୁବନେଶ୍ୱର: ରାଜ୍ୟରେ ଶିଳ୍ପ ପ୍ରତିଷ୍ଠାନଗୁଡିକୁ ସୁରକ୍ଷା ଦେବା ପାଇଁ ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ (ଓଆଇଏସ୍‌ଏଫ୍‌) ଗଠନ କରାଯାଇଛି। ରାଜ୍ୟର ସରକାରୀ ଓ ବେସରକାରୀ ଶିଳ୍ପାନୁଷ୍ଠାନଠାରୁ ଆରମ୍ଭ କରି ବନ୍ଦର ପ୍ରଭୃତିର ସୁରକ୍ଷାରେ ଏହି ଓଆଇଏସ୍‌ଏଫ୍‌ ନିୟୋଜିତ ହେବ। ଷ୍ଟିଲପ୍ଲାଣ୍ଟଠାରୁ ଆରମ୍ଭ କରି ପେଟ୍ରୋକେମିକାଲ୍ସ କମ୍ଲେକ୍ସ ଓ ପାରାଦୀପ ବନ୍ଦର ଆଦି ସ୍ଥାନରେ ଏମାନଙ୍କୁ ନିଯୁକ୍ତି ଦିଆଯିବ।

ଶିଳ୍ପ କ୍ଷେତ୍ରରେ ବ୍ୟାପକ ଅଭିବୃଦ୍ଧିକୁ ଦେଖି ସରକାର ୨୦୧୨ ମସିହାରେ ଓଆଇଏସ୍‌ଏଫ୍‌ ପ୍ରତିଷ୍ଠା ପାଇଁ ଯୋଜନା କରିଥିଲେ। ଆଜି ଏହା ଫଳପ୍ରଦ ହୋଇଛି। ଭୁବନେଶ୍ୱରରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଶୁଭାରମ୍ଭ କରିବା ସହ ଓଆଇଏସ୍‌ଏଫ୍‌ର ଲୋଗୋ ଉନ୍ମୋଚନ କରିଛନ୍ତି। ଓଆଇଏସ୍‌ଏଫ୍‌ରେ ନିଯୁକ୍ତି ପାଇଥିବା ୧୩୭୦ଜଣ କନଷ୍ଟେବଳଙ୍କୁ ମୁଖ୍ୟମନ୍ତ୍ରୀ ନିଯୁକ୍ତିପତ୍ର ବଣ୍ଟନ କରିଥିଲେ।

ପୋଲିସ ମହାନିର୍ଦ୍ଦେଶକ କନୱର ବ୍ରଜେଶ ସିଂ କହିଛନ୍ତି, “ଓଆଇଏସ୍‌ଏଫ୍‌ ଦ୍ୱାରା କମ୍ପାନୀମାନଙ୍କୁ ସୁରକ୍ଷା ଯୋଗାଇ ଦେଇ ହେବ। ସୁରକ୍ଷା ସୁନିଶ୍ଚିତ ହୋଇଗଲେ ଅଧିକରୁ ଅଧିକ ବିଦେଶୀ କମ୍ପାନୀ ଓଡ଼ିଶା ଆସିବାକୁ ଆଗ୍ରହ ପ୍ରକାଶ କରିବେ।”

ଆଇଜି ପାହ୍ୟାର ଜଣେ ଅଧିକାରୀ ଓଆଇଏସ୍‌ଏଫ୍‌ର ମୁଖ୍ୟ ରହିବେ। ତାଙ୍କୁ ସହାୟତା କରିବା ପାଇଁ ଜଣେ ଡିଆଇଜି, ୨ଜଣ କମାଣ୍ଡାଣ୍ଟଙ୍କ ସମେତ ୭୦ଜଣ ଅଫିସରଙ୍କୁ ନିଯୁକ୍ତି ଦିଆଯିବ। ଅଫିସରମାନେ ଓଡ଼ିଶା ପୋଲିସରୁ ଡେପୁଟେସନରେ ଓଆଇଏସ୍‌ଏଫ୍‌କୁ ଯିବେ। ମୋଟ ୧୮୦୮ ଜଣ କର୍ମଚାରୀଙ୍କୁ ନେଇ ବିଭାଗ କାର୍ଯ୍ୟ କରିବ।