ପୁରୀ ବେଳାଭୂମିରେ ଶତାଧିକ କଇଁଛଙ୍କ ମୃତଦେହ

ପୁରୀ: ପୁଣି କଇଁଛ ମୃତ୍ୟ। ପ୍ରଶାସନିକ କଟକଣା, ବ୍ୟାପକ ସଚେତନତା ସତ୍ତ୍ୱେ ଏହାକୁ ରୋକାଯାଇ ପାରୁନାହିଁ। ଏପରି ଦେଖିବାକୁ ମିଳିଛି ପୁରୀ ବେଳାଭୂମିରେ। ଆଜି ପୁରୀ ବେଳାଭୂମୀରେ ଶତାଧିକ କଇଁଛଙ୍କ ମୃତଦେହ ପଡ଼ିଛି। ଏହାସହ ଗୋଟିଏ ଡଲଫିନର ମୃତଦେହ ମଧ୍ୟ ପଡ଼ିଛି।ପାନ୍ଥନିବାସ ସମ୍ମୁଖ ବେଳାଭୂମିରୁ ବଟଲନୋଜ୍ ଡଲଫିନର ମୃତଦେହ ଉଦ୍ଧାର କରାଯାଇଛି।  ମୃତଦେହକୁ ବନ ବିଭାଗ ଅଧିକାରୀ ଉଦ୍ଧାର କରି ପୁରୀ ପ୍ରାଣୀ ଚିକିତ୍ସାଳୟକୁ ପଠାଯାଇଛି। ପୋଷ୍ଟମର୍ଟମ ପରେ କେଉଁ କାରଣରୁ ଡଲଫିନର ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ହେବ।

ସେହିପରି ଲାଇଟ୍ ହାଉସ୍ ନିକଟରୁ ଜଗନ୍ନାଥ ସଂସ୍କୃତି ବିଶ୍ୱବିଦ୍ୟାଳୟ  ସମ୍ମୁଖ ବେଳାଭୂମି ମଧ୍ୟରେ ଶତାଧିକ ବିରଳ  ଅଲିଭ ରିଡଲେ କଇଁଛଙ୍କ ମୃତଦେହ ଦେଖିବାକୁ ମିଳିଛି। ଏପର୍ଯ୍ୟନ୍ତ ୧୬୬ଟି ମୃତଦେହକୁ ଉଦ୍ଧାର କରାଯାଇଛି। ବନ ବିଭାର ପକ୍ଷରୁ କଇଁଛଙ୍କ ମୃତଦେହ ଗୁଡ଼ିକୁ ପୋତି ଦିଆଯାଇଛି। ଟ୍ରଲର ମାଡ଼ରେ କଇଁଛଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଦେବୀମୁହାଣ, ଋଷିକୂଲ୍ୟା ଓ ଭିତରକନିକା ଅଞ୍ଚଳରେ ୨୦କିଲୋମିଟର ଭିତରେ ଫିସିଂ କରିବା ଉପରେ କଟକଣା ଜାରି ହୋଇଥିଲେ ମଧ୍ୟ ବେଆଇନ ଭାବେ ଟ୍ରଲର ମାଛ ମାରୁଛନ୍ତି। ମାଛଜାଲରେ ପଡ଼ି କଇଁଛଙ୍କ ମୃତ୍ୟୁ ହେଉଥିବା ପୁରୀ ବନାଞ୍ଚଳ ଅଧିକାରୀ କହିଛନ୍ତି।