‘ପୁରୀରେ ଇସ୍କନକୁ ଇନଷ୍ଟିଚ୍ୟୁସନାଲ କମ୍ପ୍ଲେକ୍ସ ନିର୍ମାଣ ପାଇଁ ଅନୁମତି ଦିଆଯାଇଛି’

iskonପୁରୀ: ଇସ୍କନକୁ ଇନଷ୍ଟିଚ୍ୟୁସନାଲ କମ୍ପ୍ଲେକ୍ସ ନିର୍ମାଣ ପାଇଁ ଅନୁମତି ଦିଆଯାଇଛି। ନିର୍ମାଣ ସ୍ଥାନ ୧୭ହଜାର ୯୦୩ ବର୍ଗଫୁଟ୍ ଅଞ୍ଚଳ ରହିବ। ସେହିପରି ଜି-୬ ପାଇଁ ଇସ୍କନ ଅନୁମତି ମାଗିଥିବାବେଳେ ଜି-୨ ପାଇଁ ଅନୁମତି ଦିଆଯାଇଛି ବୋଲି ନଗର ଉନ୍ନୟନ ବିଭାଗ ସଚିବ ଜି. ମାଥିଭଥନନ୍ କହିଛନ୍ତି।

ମାଥିଭଥନନ୍ ଆହୁରି କହିଛନ୍ତି, ଇସ୍କନକୁ ଦିଆଯାଇଥିବା ଜମିକୁ ନେଇ ଗତ ମେ ମାସରୁ ଅଭିଯୋଗ ହୋଇଥିଲା। ଏହାକୁ ଆଧାର କରି ଇସ୍କନକୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ଆସନ୍ତା ୨୯ରେ ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ ଏଥିରେ ନିର୍ଦ୍ଦେଶ ଦିଆଯାଇଛି। ମାମଲାର ଫଇସଲା ନ ସରିବା ପର୍ଯ୍ୟନ୍ତ ନିର୍ମାଣ ବନ୍ଦ ରଖିବା ପାଇଁ ପୁରୀ-କୋଣାର୍କ ଡେଭଲପମେଣ୍ଟ ଅଥରିଟି (ପିକେଡିଏ) କର୍ତ୍ତୃପକ୍ଷ ଇସ୍କନକୁ ନିର୍ଦ୍ଦେଶ ଦେଇଛନ୍ତି।

ଅବକାରୀ ମନ୍ତ୍ରୀ ଦାମୋଦର ରାଉତ କହିଛନ୍ତି, ଶ୍ରୀକ୍ଷେତ୍ରରେ ଶ୍ରୀମନ୍ଦିର, ଏହାର ମହାନ ପରମ୍ପରା ଓ ଧର୍ମୀକ ବିଶ୍ୱାସ ସ୍ୱତନ୍ତ୍ର। ପୃଥିବୀର ଅନେକ ଦେଶରେ ଇସ୍କନ ତରଫରୁ ଜଗନ୍ନାଥ ମନ୍ଦିର ନିର୍ମାଣ କରାଗଲାଣି। ଦେଶ ଭିତରେ ମଧ୍ୟ ଭକ୍ତମାନେ ଜଗନ୍ନାଥ ମନ୍ଦିର ନିର୍ମାଣ କରୁଛନ୍ତି। ହେଲେ ଶ୍ରୀକ୍ଷେତ୍ରରେ ଇସ୍କନ ପକ୍ଷରୁ ଆଉ ଗୋଟିଏ ମନ୍ଦିର ତିଆରି କରାଯିବା ଆଦୌ ସମୀଚୀନ ନୁହେଁ, ତାକୁ କରାଇ ଦେବା ଉଚିତ ନୁହେଁ।

କଂଗ୍ରେସ ବରିଷ୍ଠ ନେତା ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରାସାଦ ବାହିନପତି କହିଛନ୍ତି, ନବୀନ ବାବୁଙ୍କ ସରକାରରେ ଜଗନ୍ନାଥଙ୍କୁ ବିକ୍ରି କରିବାର ଅଭ୍ୟାସ ରହିଛି। ସବୁ ଧର୍ମର ଲୋକେ ଜଗନ୍ନାଥଙ୍କୁ ପୂଜା କରୁଛନ୍ତି। ଇସ୍କନ ଜମି ନେଇ, ଶିଳାନ୍ୟାଶ କରି ପ୍ରୋଜେକ୍ଟ ପାସ କରାଇ କାମ ଆରମ୍ଭ କରି ସାରିଲେଣି। ହେଲେ ମୁଖ୍ୟମନ୍ତ୍ରୀ ଏ ବିଷୟରେ ଜାଣିନାହାନ୍ତି। ପିକେଡିଏର ଯେଉଁ ଅଧିକାରୀ ଅନୁମତି ଦେଇଛନ୍ତି ତାଙ୍କୁ ନବୀନ ପଟ୍ଟନାୟକ ତୁରନ୍ତ ନିଲମ୍ବନ କରନ୍ତୁ। ଜଗନ୍ନାଥ ଓଡ଼ିଶା ଜାତିର ସମ୍ମାନ ।  ଜଗନ୍ନାଥ ଓ ଓଡ଼ିଶାର ସ୍ୱାଭିମାନ ପ୍ରତି ଆଞ୍ଚ ଆସିଛି। ସେମାନଙ୍କ ବିରୋଧରେ ଫୌଜଦାରୀ ମାମଲା କରାଯିବା ଦରକାର। ନଗର ଉନ୍ନୟନ ମନ୍ତ୍ରୀଙ୍କୁ ସେମାନେ ଭୁଆଁ ବୁଲାଉଛନ୍ତି। ନଗର ଉନ୍ନୟନ ମନ୍ତ୍ରୀ ନିଜ ପଦବୀରୁ ଇସ୍ତଫା  ଦେବା ଦରକାର ବୋଲି ସେ କହିଛନ୍ତି।

ଏ ନେଇ ଆଇନ ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି, ନଗର ଉନ୍ନୟନ ମନ୍ତ୍ରୀ ଏବଂ ସଚିବ ସ୍ପଷ୍ଟିକରଣ ଦେଇ ସାରିଛନ୍ତି। ଶ୍ରୀମନ୍ଦିରର ଗାରିମାକୁ କ୍ଷୁର୍ଣ୍ଣ କରିବାକୁ ଦିଆଯିବ ନାହିଁ।

ପ୍ରସ୍ତାବିତ ମନ୍ଦିର ନିର୍ମାଣକୁ ନେଇ ବିବାଦ ଉଠିବା ପରେ ଗତକାଲି ଇସ୍କନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଡକାଯାଇଥିଲା। ଏଥିରେ ପୁରୀରେ ଇସ୍କନ ପ୍ରୋଜେକ୍ଟ ଡାଇରେକ୍ଟର ଥିବା ବନମାଳି ଦାସ କହିଥିଲେ, ଶ୍ରୀକ୍ଷେତ୍ରରେ ଜଗନ୍ନାଥ ମନ୍ଦିର ନୁହେଁ, ରାଧାକୃଷ୍ଣଙ୍କ ମନ୍ଦିର ନିର୍ମାଣ ହେବ। ଆଉ ଏହି ମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତୀ ପୂଜା ପାଇବେ ନାହିଁ। ଏହି ରାଧାକୃଷ୍ଣ ମନ୍ଦିରର ଉଚ୍ଚତା ୩୨ଫୁଟ ରହିବ। ମନ୍ଦିରରେ ରାଧାକୃଷ୍ଣ, ନିତାଇ ଗୌର ଓ ନୃସିଂହଙ୍କ ମୂର୍ତ୍ତି ପୂଜା ପାଇବେ।