ବଳିଆପଣ୍ଡାରେ ଇସ୍କନ ଅକ୍ତିଆରେ ସରକାରୀ ଜମି, ଦଖଲକୁ ନେଇ ପାରୁନି ଜିଲ୍ଲା ପ୍ରଶାସନ

ପୁରୀ: ବଳିଆପଣ୍ଡା ସିପସରୁବାଲି ମୌଜାରେ ଥିବା ସରକାରୀ ଜମି ଦୀର୍ଘ ବର୍ଷ ହେଲା ଇସ୍କନ ଅକ୍ତିଆରରେ ରହିଛି। ହେଲେ ଜିଲ୍ଲା ପ୍ରଶାସନ ଏହାକୁ ନିଜ ଦଖଲକୁ ନେଇ ପାରୁନାହିଁ। କୋର୍ଟଙ୍କ ରହିତାଦେଶ ଥିବାରୁ ଏପରି ହୋଇଛି। ଏ କଥା କହିଛନ୍ତି ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ।

ଜିଲ୍ଲାପାଳ ଅଗ୍ରୱାଲ କହିଛନ୍ତି, ୧୯୭୭ ସେଟେଲମେଣ୍ଟରେ ବେଆଇନ ଭାବେ ୮.୫୬ ଏକର ସରକାରୀ ଜମିକୁ ପ୍ରାଇଭେଟ ନାଁରେ ରେଜିଷ୍ଟ୍ରି କରାଯାଇଥିଲା। ପରେ ଏହି ଜମିକୁ ଜିଲ୍ଲା ପ୍ରଶାସନ ସରକାରୀ ଖାତାକୁ ଫେରାଇ ଆଣିଥିଲା। ସେଥିରୁ ୧.୫୬ ଏକର ଜମି ନିଜ ଦଖଲକୁ ନେଇଛି। ତେବେ ବାକି ୬.୫୯ ଏକର ଜମିକୁ ଜିଲ୍ଲା ପ୍ରଶାସନ ନିଜ ଦଖଲକୁ ନେଇ ପାରିନାହିଁ।

ଇସ୍କନ କର୍ତ୍ତୃପକ୍ଷ ହାଇକୋର୍ଟ ଏ ନେଇ ଏକ ମାମଲା ଦାୟର କରିଥିଲେ। ମାନ୍ୟବର ହାଇକୋର୍ଟ ଏହା ଉପରେ ବିଚାର କରି ଦଖଲ ଉପରେ ରହିତାଦେଶ ଲଗାଇଥିଲେ। ତେଣୁ ଏହାକୁ ନିଜ ଦଖଲକୁ ଜିଲ୍ଲା ପ୍ରଶାସନ ନେଇ ପାରିନାହିଁ। ବର୍ତ୍ତମାନ ଇସ୍କନ କର୍ତ୍ତୃପକ୍ଷଙ୍କୁ ଯେଉଁ ବିଲ୍ଡିଂ ପ୍ଲାନ ଆପ୍ରୁଭାଲ୍ ଦିଆଯାଇଛି। ତାହା ସେମାନେ ନିଜସ୍ୱ ଜମିରେ କରୁଥିବା ଜିଲ୍ଲାପାଳ କହିଛନ୍ତି।

ଇସ୍କନ କର୍ତ୍ତୃପକ୍ଷ ଇନଷ୍ଟିଚ୍ୟୁସନାଲା କମ୍ପ୍ଲେକ୍ସ କରିବା ପାଇଁ ପିକେଡିଏଠାରୁ ଅନୁମତି ନେଇଥିଲେ। ଜଗନ୍ନାଥ ମନ୍ଦିର କଥା ଉଲ୍ଲେଖ ନ ଥିଲା। ତେବେ କେଉଁ ଆଧାରରେ ମନ୍ଦିର ନିର୍ମାଣ ନେଇ ବ୍ରୋସିଓର ଛପାଯାଇଥିଲା ସେ ନେଇ ଇସ୍କନ କର୍ତ୍ତୃପକ୍ଷ ଜବାବ ରଖିବେ। ଆସନ୍ତା ୨୯ ତାରିଖରେ ପିକେଡିଏରେ ହାଜର ହେବାକୁ ଇସ୍କନ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି। ସେହିପରି ମାମଲାର ଫଇସଲା ନ ସରିବା ପର୍ଯ୍ୟନ୍ତ ନିର୍ମାଣ ବନ୍ଦ ରଖିବା ପାଇଁ ପିକେଡିଏ କର୍ତ୍ତୃପକ୍ଷ ଇସ୍କନକୁ ନିର୍ଦ୍ଦେଶ ଦେଇଛନ୍ତି।