ସ୍ନାନକରି ଅସୁସ୍ଥ ତିନି ଠାକୁର; ଅଣସର ଘରେ ଗୁପ୍ତ ଚିକିତ୍ସା

ପୁରୀ: ଆଜି ପବିତ୍ର ସ୍ନାନ ଯାତ୍ରା। ୧୦୮ ଗରା ଜଳରେ ସ୍ନାନ ପରେ ଅସୁସ୍ଥ ତିନି ଠାକୁର। ସ୍ନାନ ବେଦିରୁ ସିଧା ଯିବେ ଅଣସର ଘର। ୧୫ ଦିନ ଧରି ରତ୍ନସିଂହାସନରେ ଆଉ ଦର୍ଶନ ପାଇବେନି ଭକ୍ତ। ଅସୁସ୍ଥ ଶ୍ରୀଜୀଉଙ୍କର ଚାଲିବ ଗୁପ୍ତ ଅଣବସର ନୀତି। ଏହି ସମୟରେ ତାଙ୍କ ସ୍ଥାନରେ ପୂଜା ପାଇବେ ପଟ୍ଟି ଦିଅଁ। ଶ୍ରୀଜଗନ୍ନାଥଙ୍କ ସ୍ଥାନରେ ନାରାୟଣ, ବଳଭଦ୍ରଙ୍କ ସ୍ଥାନରେ ଅନନ୍ତ ବାସୁଦେବ ଓ ଦେବୀ ସୁଭଦ୍ରାଙ୍କ ସ୍ଥାନରେ ଭୁବନେଶ୍ୱରୀ ପଟିଦିଅଁ ଭାବେ ପୂଜା ପାଇବେ। ଆଜି ରାତିରେ ଚିତ୍ରକର ସେବାୟତଙ୍କ ଘରୁ ଏହି ପଟି ଦିଅଁମାନଙ୍କୁ ଶ୍ରୀମନ୍ଦିରକୁ ଅଣାଯିବ।

ଅନବସର ନୀତି ଯୋଗୁଁ ରତ୍ନବେଦୀରେ ପ୍ରିୟ ଠାକୁରଙ୍କୁ ଦର୍ଶନ ପାଇବେନି ଭକ୍ତ। ହେଲେ ଦୁଃଖର ଅବକାଶ ନାହିଁ। କାରଣ ଏହି ସମୟରେ ବ୍ରହ୍ମଗିରିର ଚତୁର୍ଭୁଜ ନାରାୟଣ ରୂପୀ ଅଲାରନାଥଙ୍କୁ ଦର୍ଶନ କଲେ ସମ ପରିମାଣର ଆଶିଷ ଲାଭର ମିଳିବାର ବିଶ୍ୱାସ ରହିଛି। ଏଥିପାଇଁ ଚଳଚଞ୍ଚଳ ହେଲାଣି ଅଲାରନାଥ ପୀଠ। କାଲିଠାରୁ ୧୫ ଦିନ ଧରି ଏଠାରେ ଲକ୍ଷାଧିକ ଭକ୍ତଙ୍କ ଗହଳି ଲାଗିବ। ଦର୍ଶନ ସାଙ୍ଗକୁ ଶୃଙ୍ଖଳିତ ନୀତିକାନ୍ତି ଉପରେ ମନ୍ଦିର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି। ଦୈନଦିନ ନୀତିକାନ୍ତି ପରେ ଆସନ୍ତାକାଲି ସକାଳ ସାଢେ ୬ଟାରୁ ସାଧାରଣ ଭକ୍ତ ଅଲାରନାଥଙ୍କ ଦର୍ଶନ ପାଇବେ।