ପୁରୀ ରେଳ ଷ୍ଟେସନରେ ୩ଟି ଏକ୍ସପ୍ରେସରେ ଅଗ୍ନିକାଣ୍ଡ

puri_trainପୁରୀ: ପୁରୀ ରେଳ ଷ୍ଟେସନରେ ଗୋଟିଏ ପରେ ଗୋଟିଏ ୩ଟି ଟ୍ରେନରେ ନିଆଁ ଲାଗିଛି। ପ୍ରଥମେ ନନ୍ଦନକାନନ, ପରେ ପୁରୀ-ତିରୁପତି ଓ ତା’ପରେ ପୁରୀ-ହାୱଡା ଏକ୍ସପ୍ରେସରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୫ଟି ବଗି କ୍ଷତିଗ୍ରସ୍ତ ହୋଇଛି। ଦମକାଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଚଳାଇଛନ୍ତି। ଘଟଣା ସ୍ଥଳରେ ପୁରୀ ଏପସି ଓ ରେଳ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ସ୍ଥିତିର ସମୀକ୍ଷା କରୁଛନ୍ତି। ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ପୁରୀ ଷ୍ଟେସନକୁ ସାମୟିକ ଭାବେ ରେଳ ଚଳାଚଳ ବନ୍ଦ କରି ଦିଆଯାଇଥିଲା। ସନ୍ଧ୍ୟାରେ ସମସ୍ତ ବଗିର ନିଆଁକୁ ଆୟତ୍ତ କରାଯିବା ପରେ ପୁରୀ-ଖୋର୍ଦ୍ଧା ରେଳପଥରେ ଟ୍ରେନ ଚଳାଚଳ ସ୍ୱଭାବିକ ହୋଇଛି। ଆରପିଏଫ ଦୁଇଙ୍କୁ ଅଟକ ରଖି ପଚରାଉଚରା କରୁଛି। ଅଟକ ବ୍ୟକ୍ତିଙ୍କ ପାଖରୁ ଆରପିଏଫ ଏକ ଦିଆସିଲ ଜବତ କରିଛି। ରେଳ ବିଭାଗର ବରିଷ୍ଠ ଅଧିକାରୀଙ୍କୁ ନେଇ କମିଟି ଗଠିତ କମିଟି ଘଟଣାର ତଦନ୍ତ ଆରମ୍ଭ କରିଛି।

ଅପରାହ୍ନ ପ୍ରାୟ ସାଢେ ୪ଟାରେ ୪ ନମ୍ବର ପ୍ଲାଟଫର୍ମରେ ନନ୍ଦନକାନନ ଏକ୍ସପ୍ରେସ ପହଞ୍ଚି ଥିଲା। ଏହାର ୧୫ ମିନିଟ ପରେ ୨ ନମ୍ବର ପ୍ଲାଟଫର୍ମରେ ପୁରୀ-ତିରୁପତି ଏକ୍ସପ୍ରେସରେ ପହଞ୍ଚି ଥିଲା। ଷ୍ଟେସନରେ ପହଞ୍ଚିବାର କିଛି ସମୟ ପରେ ନନ୍ଦନକାନନ ଏକ୍ସପ୍ରେସର ଏଫ-୧୧ ଓ ଏଫ-୧୨ ବଗିରେ ନିଆଁ ଲାଗି ଯାଇଥିଲା। ଅପରାହ୍ନ ପ୍ରାୟ ୫ଟା ୨୦ମିନିଟ ବେଳକୁ ପୁରୀ-ତିରୁପତି ଏକ୍ସପ୍ରେସର ଏଚ୍-୧ ଓ ଏଚ୍-୨ ବଗିରେ ହଠାତ ନିଆଁ ଲାଗି ଯାଇଥିଲା। ମିଳିଥିବା ରିପୋର୍ଟ ଅନୁସାରେ ନନ୍ଦନକାନନ ଓ ପୁରୀ-ହାୱଡା ଏକ୍ସପ୍ରେସରେ ଲାଗିଥିବା ନିଆଁକୁ ଆୟତ୍ତ କରାଯାଇଛି। ସେହିପରି ପୁରୀ-ତିରୁପତି ଏକ୍ସପ୍ରେସର ଗୋଟିଏ ବଗିର ନିଆଁକୁ ଆୟତ୍ତ କରାଯାଇଥିବା ବେଳେ ଅନ୍ୟ ବଗିଟି ବର୍ତ୍ତମାନ ବି ଜଳୁଛି। ନିଆଁ ଲାଗିବା ପରେ ଷ୍ଟେସନରେ ଥିବା ସମସ୍ତ ଯାତ୍ରୀଙ୍କୁ ସ୍ଥାନୀୟ ପୋଲିସ ଓ ଆରପିଏଫ ସୁରକ୍ଷିତ ସ୍ଥାନକୁ ନେଇଯାଇଥିଲେ ।

ଇଷ୍ଟକୋଷ୍ଟ ରେଲୱେ ଲୋକ ସମ୍ପର୍କ ଅଧିକାରୀ ନିରାକାର ଦାସ କହିଛନ୍ତି, ପ୍ରାଥମିକ ତଦନ୍ତ ଚାଲିଛି । ଭୟ କରିବାର କିଛଇ କାରଣ ନାହିଁ । ଯାତ୍ରୀମାନଙ୍କ ସମ୍ପୂର୍ଣ୍ଣ ସୁରକ୍ଷିତ ଯାତ୍ରା ଲାଗି ବ୍ୟବସ୍ଥା କରାଯାଇଛି ବୋଲି ସେ କହିଛନ୍ତି।