ବିପଦଶଙ୍କୁଳ ସମଯାଜପୁର ଓଭରବ୍ରିଜର ତୁରନ୍ତ ମରାମତି ପାଇଁ ପୁରୀ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ପୁରୀ: ବିପଦଶଙ୍କୁଳ ଅବସ୍ଥାରେ ଥିବା ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ସମଯାଜପୁର ଓଭରବ୍ରିଜ୍‌ର ମରାମତି କାମ  ଯଥାଶୀଘ୍ର ସରିବା ପାଇଁ  ଆଜି ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ୍ ରାଷ୍ଟ୍ରୀୟ ରାଜପଥ ପ୍ରାଧିକରଣ (ଏନ୍‌.ଏଚ୍‌.ଆଇ)କୁ ନିର୍ଦ୍ଦେଶ ଦେଇଛନ୍ତି। ପୁରୀ ଏସ୍‌ପି ଓ ଏନ୍‌ଏଚ୍‌ଆଇର ବୈଷୟିକ ମ୍ୟାନେଜର ସଞ୍ଜୟ ଚନ୍ନାଙ୍କ ସହ ଘଟଣାସ୍ଥଳ ପରିଦର୍ଶନ କରିବା ପରେ ଜିଲ୍ଲାପାଳ ଏହି ଆଦେଶ ଦେଇଛନ୍ତି। ଏହା ସହିତ ତୁରନ୍ତ ସାମୟିକ ଭାବେ ଏକ ବିକଳ୍ପ ରାସ୍ତା ନିର୍ମାଣ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଜଣାପଡ଼ିଛି ଯେ ଆସନ୍ତାକାଲିଠାରୁ ଯାତ୍ରୀମାନେ ଏହି ବିକଳ୍ପ ରାସ୍ତା ବ୍ୟବହାର କରିବେ।

ପରେ ଜିଲ୍ଲାପାଳ ଓ ଏସ୍‌ପି ସଚିବାଳୟ ଯାଇ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢୀଙ୍କୁ ଭେଟି ଏ ସମ୍ପର୍କରେ ଅବଗତ କରିଛନ୍ତି। ବ୍ରିଜ୍‌ର ଗୋଟିଏ ସ୍ଥାନରେ ସ୍ଲାବ୍‌ ଦବି ଯାଇଥିବାରୁ ଯେ କୌଣସି ସମୟରେ ଓଭରବ୍ରିଜଟି ଭୁଷୁଡ଼ି ପଡ଼ିବାର ଆଶଙ୍କା ରହିଥିବା ଏନ୍‌ଏଚ୍‌ଏଆଇ ରିପୋର୍ଟ ଦେଇଛି।

ଏ ସମ୍ପର୍କରେ ରାଜ୍ୟ ସରକାରଙ୍କୁ ମଧ୍ୟ ଅବଗତ କରାଯାଇଛି। ଚିଠି ମିଳିବା ପରେ  ଜିଲ୍ଲାପାଳ ନବକଳେବର  ଭିତ୍ତିଭୂମି ତଦାରଖ କମିଟି ଅଧ୍ୟକ୍ଷ ମହେଶ୍ୱର ମହାନ୍ତିଙ୍କ ସହ ଆଲୋଚନା କରିଛନ୍ତି। ତୁରନ୍ତ କିଭଳି ଏହାର ମରାମତି କରାଯାଇ ଦୁଇ ଚକିଆ ଓ ଚାରି ଚକିଆ  ଯାନ ଯାଇପାରିବ ସେ ନେଇ କଥାବାର୍ତ୍ତା କରିଛନ୍ତି।

ଏନ୍‌ଏଚ୍‌ଏଆଇଙ୍କ ଚିଠିକୁ ନେଇ ଭିତ୍ତିଭୂମି କମିଟି ଅଧ୍ୟକ୍ଷ ମହେଶ୍ୱର ମହାନ୍ତି ଉଦ୍‌ବେଗ ପ୍ରକାଶ କରିବା ସହ ୧୫ ଦିନ  ଭିତରେ ଏହାର ମରାମତି ଶେଷ ନେଇ ଦିଆଯାଇଥିବା ପ୍ରତିଶ୍ରୁତି ଅବାସ୍ତବ ବୋଲି କହିଛନ୍ତି। ଗତବର୍ଷ  ନିର୍ମାଣ ହୋଇଥିବା ଏ ଓଭରବ୍ରିଜ୍‌ର ଏଭଳି ଅବସ୍ଥା ପାଇଁ ଦାୟୀ କିଏ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି।

ପୂର୍ତ୍ତ ସଚିବ ନଳିନୀକାନ୍ତ ପ୍ରଧାନ କହିଛନ୍ତି,“ ଓଭରବ୍ରିଜର ରକ୍ଷଣାବେକ୍ଷଣ ଏନ୍‌ଏଚ୍‌ଆଇ କରୁଛି। ଶୀଘ୍ର କାମ ଆରମ୍ଭ ହେବ। ଆସନ୍ତା ୩୦ ସୁଦ୍ଧା ମରାମତି କାମ ସରିବ। ମାଟି ପାଇଁ ବ୍ରିଜ୍‌ଟି ଦବି ଯାଇଛି। ଏବେ ଏହା କଙ୍କ୍ରିଟ୍‌ କରାଯିବ।”