ପୁରୀ ସିରିଜ୍ ଟ୍ରେନ୍ ପୋଡ଼ି ଘଟଣା: ଏନ୍‌ଆଇଏ କହିଲା ଆତଙ୍କବାଦୀଙ୍କ ହାତ ନାହିଁ

puri-train-bornଭୁବନେଶ୍ୱର: ପୁରୀରେ ସିରିଜ୍ ଟ୍ରେନ୍ ପୋଡ଼ି ଘଟଣାରେ ଆଜି କୋର୍ଟରେ କ୍ଲୋଜର ରିପୋର୍ଟ ଦାଖଲ କରିଛି ତଦନ୍ତକାରୀ ସଂସ୍ଥା ଏନ୍‌ଆଇଏ। ଖୋର୍ଦ୍ଧା ଜିଲ୍ଲା ଦୌରାଜଜ୍‌ଙ୍କ ନିକଟରେ ଦାଖଲ କରାଯାଇଥିବା ଏହି ରିପୋର୍ଟରେ ଟ୍ରେନ୍‌ପୋଡ଼ି ଘଟଣାରେ କୌଣସି ଆତଙ୍କବାଦୀ ଲିଙ୍କ୍‌ ନ ଥିବା ଦର୍ଶାଯାଇଛି। ତା’ସହିତ ଅଭିଯୁକ୍ତ ରାମଚନ୍ଦ୍ରନ ସୁବାସ ଏକୁଟିଆ ଏହି କାଣ୍ଡ ଘଟାଇଥିବା କୁହାଯାଇଛି। ତା’ବ୍ୟତୀତ ଏହି ଘଟଣାରେ ଆଉ କାହାରି ସଂପୃକ୍ତି ନାହିଁ ବୋଲି ଏନ୍‌ଆଇଏ ତା’ ରିପୋର୍ଟରେ ଉଲ୍ଲେଖ କରିଛି।

ଏନ୍‌ଆଇଏ ଦର୍ଶାଇଛି ମାନସିକ ବିକୃତି ଯୋଗୁଁ ସୁବାସ ଟ୍ରେନ୍‌ରେ ନିଆଁ ଲଗାଇଥିଲା।

ଯେହେତୁ ଏ ଘଟଣାରେ ଆତଙ୍କବାଦୀଙ୍କ ଲିଙ୍କ୍‌ ନାହିଁ ବୋଲି ଜଣାପଡ଼ିଛି ତେଣୁ ରେଳବାଇ ପୋଲିସ୍ ଆଇପିସି ଦଫାରେ ମାମଲାର ତଦନ୍ତ କରିବାକୁ ନିଜ ରିପୋର୍ଟରେ ଉଲ୍ଲେଖ କରିଛି ଏନ୍‌ଆଇଏ।

ଗତବର୍ଷ ନଭେମ୍ବର ୧୨ ତାରିଖରେ ପୁରୀ ଷ୍ଟେସନରେ ଠିଆ ହୋଇଥିବା ୩ଟି ଟ୍ରେନରେ ଅଗ୍ନିକାଣ୍ଡ ଘଟିଥିଲା। ଏହି ଘଟଣାରେ ପୋଲିସ୍ ରାମଚନ୍ଦ୍ରନ୍ ସୁବାସକୁ ଗିରଫ କରିଥିଲା।  ପୁରୀ ଘଟଣା ପୂର୍ବରୁ ଉତ୍ତରପ୍ରଦେଶର ହରିଦ୍ୱାର ଓ ବିହାରର ଗୟା ଷ୍ଟେସନରେ ବି ଅନୁରୂପ ଭାବେ ନିଆଁ ଲାଗିଥିଲା। ତେଣୁ ଏହା ଆତଙ୍କବାଦୀ କାର୍ଯ୍ୟ ହୋଇଥାଇପାରେ ବୋଲି ଆଶଙ୍କା କରି ରାଜ୍ୟ ପୋଲିସ୍‌ଙ୍କ ସୁପାରିଶକ୍ରମେ କେନ୍ଦ୍ର ଗୃହମନ୍ତ୍ରଣାଳୟ ଏନ୍‌ଆଇଏକୁ ଏହାର ତଦନ୍ତ ଭାର ଦେଇଥିଲେ।