ସଞ୍ଜୟ ଛୋଟ ମାଛ, ଆହୁରି ବଡ଼ ମାଛ ଚିଟ୍‌ଫଣ୍ଡ୍ ଦୁର୍ନୀତିରେ ସାମିଲ ଅଛନ୍ତି: ପ୍ୟାରୀ

pyariଭୁବନେଶ୍ୱର: ଚିଟ୍‌ଫଣ୍ଡ ଦୁର୍ନୀତିରେ ଯଦି ସଞ୍ଜୟ ଦାସବର୍ମାଙ୍କ ନାଁ ଆସୁଛି ତା’ହେଲେ ସେ ହେଉଛନ୍ତି ଛୋଟ ମାଛ। ଏଥିରେ ବହୁ ବଡ଼ ମାଛ ସାମିଲ ଅଛନ୍ତି ବୋଲି ଆଜି କହିଛନ୍ତି ଓଡ଼ିଶା ଜନମୋର୍ଚ୍ଚା ସଭାପତି ପ୍ୟାରୀମୋହନ ମହାପାତ୍ର। ତେବେ ଏ ବଡ଼ ମାଛମାନେ କିଏ ତାହା ସେ କହି ନାହାନ୍ତି।

ସଞ୍ଜୟଙ୍କ ସହିତ ପୂର୍ବରୁ ତାଙ୍କ ବହୁତ ଭଲ ସଂପର୍କ ଥିଲା ବୋଲି ପଚରା ଯିବାରେ ପ୍ୟାରୀ କହିଥିଲେ,“ ସବୁ ବିଜେଡି ନେତାଙ୍କ ସହିତ ମୋର ଭଲ ସଂପର୍କ ଥିଲା। ମୋ ତରଫରୁ କାହାରି ସହିତ ଖରାପ ସଂପର୍କ ନାହିଁ।”

ନୈତିକତା ଦୃଷ୍ଟିରୁ ସଞ୍ଜୟ ଇସ୍ତଫା ଦେବା ନେଇ ଯେଉଁ କଥା ଉଠୁଛି ସେ ସଂପର୍କରେ ନିଜର ପ୍ରତିକ୍ରିୟା ରଖି ସେ କହିଥିଲେ,“ନୈତିକତା ପ୍ରଶ୍ନଟା ନବୀନ ପଟ୍ଟନାୟକଙ୍କ ପାଇଁ, ମୋ ପାଇଁ ନୁହେଁ।”

ଚିଟ୍‌ଫଣ୍ଡ୍‌ ଦୁର୍ନୀତି ତଦନ୍ତରେ ସିବିଆଇକୁ ପ୍ରଭାବିତ କରାଯାଉଥିବା ନେଇ ହେଉଥିବା ଅଭିଯୋଗ ସଂପର୍କରେ ପଚରାଯିବାରେ ପ୍ୟାରୀ କହିଥିଲେ,“ସିବିଆଇର ତଦନ୍ତ ପ୍ରଭାବିତ ହେଉଥିବା ବିଷୟରେ ମୁଁ କିଛି କହିବି ନାହିଁ। କାରଣ ମୋ ଘର ସର୍ଚ୍ଚ କରିବା ପାଇଁ ସିବିଆଇକୁ ବ୍ୟବହାର କରାଯାଇଥିଲା। ତେଣୁ ମୁଁ କ’ଣ କହିବି ସିବିଆଇ ତଦନ୍ତ ପ୍ରଭାବିତ ହୋଇଥିବା ବିଷୟରେ?”

ଅନ୍ୟପକ୍ଷରେ ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି,“ସେ (ପ୍ୟାରୀ) କାହାକୁ ବଡ଼ ମାଛ କହୁଛନ୍ତି ତାହା ସ୍ପଷ୍ଟ କରିବା ଉଚିତ୍। ତଦନ୍ତରେ କେହି ବଡ଼ ଅବା ଛୋଟ ନୁହଁନ୍ତି।”