ଆସନ୍ତା ରେଳ ବଜେଟରେ ଓଡ଼ିଶାର ଆବଶ୍ୟକତାକୁ ଦିଆଯିବ ଗୁରୁତ୍ୱ: ରେଳ ରାଷ୍ଟ୍ରମନ୍ତ୍ରୀ

manojsinha
ରେଳ ରାଷ୍ଟ୍ରମନ୍ତ୍ରୀ ମନୋଜ ସିହ୍ନା ଓ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଆସନ୍ତା ରେଳ ବଜେଟରେ ଓଡ଼ିଶାର ଆବଶ୍ୟକତାକୁ ଗୁରୁତ୍ୱ ଦିଆଯିବ। ତା’ସହ ରାଜ୍ୟରେ ରେଳସେବାକୁ ଆହୁରି ତ୍ୱରାନ୍ୱିତ କରାଯିବ। ଓଡ଼ିଶା ଗସ୍ତରେ ଆସିଥିବା ରେଳ ରାଷ୍ଟ୍ରମନ୍ତ୍ରୀ ମନୋଜ ସିହ୍ନା ରବିବାର ଏକଥା କହିଛନ୍ତି। ଭୁବନେଶ୍ୱରସ୍ଥିତ ପୂର୍ବତଟ ରେଳବାଇର ମୁଖ୍ୟ କାର୍ଯ୍ୟାଳୟରେ ବିଭିନ୍ନ ରେଳ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରିବା ପରେ ରେଳ ରାଷ୍ଟ୍ରମନ୍ତ୍ରୀ କହିଥିଲେ ଯେ ପୂର୍ବତନ ରେଳବାଇ ଅଧୀନରେ ଓଡ଼ିଶାରେ ଅନେକ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଗତ ୧ ବର୍ଷରେ ସେହି ସବୁ ଯୋଜନାଗୁଡ଼ିକ ମଧ୍ୟରୁ କେତୋଟିର କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି ଓ ଚଳିତ ବର୍ଷ କେତୋଟି ସଂପୂର୍ଣ୍ଣ ହୋଇପାରିବ, ସେନେଇ ଆଲୋଚନା କରାଯାଇଥିଲା। ଭବିଷ୍ୟତରେ ଓଡ଼ିଶାରେ ରେଳ ସେବାକୁ କିପରି ଆହୁରି ଭଲ କରି ହେବ, ସେନେଇ ବି ଚର୍ଚ୍ଚା ହୋଇଥିଲା। ବର୍ତମାନ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟରେ ହୋଇଥିବା ଅଗ୍ରଗତି ସନ୍ତୋଷଜନକ ରହିଛି।

ରେଳ ରାଷ୍ଟ୍ରମନ୍ତ୍ରୀ ମନୋଜ ସିହ୍ନା କହିଥିଲେ ଯେ ବୈଠକରେ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ। ରେଳ ସେବା ନେଇ ଓଡ଼ିଶାବାସୀଙ୍କ ରହିଥିବା ଆଶା ସଂପର୍କରେ ସେ ଅବଗତ କରିଥିଲେ। ସେ ଦେଇଥିବା କିଛି ପ୍ରସ୍ତାବ ଉପରେ ମଧ୍ୟ ରେଳବାଇ ବିଚାର କରିବ। ଓଡ଼ିଶାକୁ ସାରା ଦେଶରେ ଏକ ଭଲ ରେଳ ନେଟୱର୍କ ଭାବେ ଗଢ଼ି ତୋଳିବାକୁ ତାଙ୍କ ସରକାର ସଂକଳ୍ପବଦ୍ଧ।

ସେ ଆହୁରି ମଧ୍ୟ କହିଥିଲେ ଯେ କେନ୍ଦ୍ରରେ ନୂଆ ସରକାର ଆସିବା ପରେ ଗତ ଦୁଇଟି ରେଳ ବଜେଟରେ ଓଡ଼ିଶାକୁ ଆଶାଠାରୁ ଅଧିକ ଅର୍ଥ ମଂଜୁର କରାଯାଇଛି। ଆଗାମୀ ବଜେଟରେ ମଧ୍ୟ ଓଡ଼ିଶାର ଆବଶ୍ୟକତାକୁ ଗୁରୁତ୍ୱ ଦିଆଯିବ। ଓଡ଼ିଶାକୁ କେନ୍ଦ୍ର ସରକାର ପ୍ରାଥମିକତା ଦେଉଛନ୍ତି। ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର ଉନ୍ନତି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶେଷ ଧ୍ୟାନ ଦେଉଛନ୍ତି। ତେଣୁ ସେହି ଅନୁସାରେ ରେଳବାଇ ପକ୍ଷରୁ ଓଡ଼ିଶାରେ ମଧ୍ୟ ନିବେଶ କରାଯିବ।

କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଗତ ଦୁଇଟି ରେଳ ବଜେଟରେ ଓଡ଼ିଶାକୁ ପର୍ଯ୍ୟାପ୍ତ ଅର୍ଥ ଦିଆଯାଇଛି। ଆଗାମୀ ବଜେଟରେ ମଧ୍ୟ ଓଡ଼ିଶା ଉଚିତ୍ ପରିମାଣର ଅର୍ଥ ପାଇବ ବୋଲି ଆଶା। ଇତି ମଧ୍ୟରେ ଓଡ଼ିଶା ସରକାର ମଧ୍ୟ ତାଙ୍କ ଅପେକ୍ଷା ସଂପର୍କରେ ଅବଗତ କରାଇ ସାରିଛନ୍ତି। ଆଜି ବୈଠକରେ ରେଳ ସେବା ନେଇ ଓଡ଼ିଶାବାସୀ ଅପେକ୍ଷା, ରାଜ୍ୟ ସରକାରଙ୍କ ବିଭିନ୍ନ ପ୍ରସ୍ତାବ ଓ ଅନ୍ୟାନ୍ୟ ବିଷୟରେ ସମୀକ୍ଷା କରାଯାଇଥିଲା।

ପୁରୀ ଟ୍ରେନ୍ ପୋଡ଼ି ଓ ଆତଙ୍କବାଦୀ ଲିଙ୍କ୍ ସଂପର୍କରେ ପଚରା ଯିବାରେ ମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ ଯେ ରାଜ୍ୟରେ ରେଳ ସୁରକ୍ଷା ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା।

ପୂର୍ବତଟ ରେଳବାଇ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆଜିର ସମୀକ୍ଷା ବୈଠକରେ ଖୋର୍ଦ୍ଧା-ବଲାଙ୍ଗିର, ଅନୁଗୋଳ-ସୁକିନ୍ଦା, ହରିଦାସପୁର-ପାରାଦୀପ ଏବଂ ତାଳଚେର-ବିମଳାଗଡ଼ ରେଳପଥ କାର୍ଯ୍ୟ ସାରିବା ନେଇ ଗୁରୁତ୍ୱ ଦେଇଥିଲେ ରେଳ ରାଷ୍ଟ୍ରମନ୍ତ୍ରୀ।

ଅପରାହ୍ନରେ ମନ୍ତ୍ରୀ ସିହ୍ନା ଜଟଣୀ ଯାଇ ସେଠାରେ ଥିବା ଇଷ୍ଟ କୋଷ୍ଟ ରେଲୱେ ମିକ୍ସଡ ହାଇୟର୍ ସେକେଣ୍ଡାରୀ ସ୍କୁଲର ଶତବାର୍ଷିକୀ ଉତ୍ସବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ରେଳବାଇ କ୍ଷେତ୍ରରେ ଉନ୍ନତି ପାଇଁ ରାଜ୍ୟ ସ୍ୱାର୍ଥକୁ ଗୁରୁତ୍ୱ ଦେବା ପାଇଁ ଦାବି କରିଛନ୍ତି ପିସିସି ସଭାପତି ପ୍ରସାଦ ହରିଚନ୍ଦନ। ଝାରସୁଗୁଡ଼ା-ରାଉଲକେଲା ରେଳପଥକୁ ସମ୍ୱଲପୁର ରେଳତଟ ଅଧୀନକୁ ଆଣିବା, ଭୁବନେଶ୍ୱରକୁ ବିଶ୍ୱସ୍ତରୀୟ ରେଳ ଷ୍ଟେସନ କରିବା, ଭୁବନେଶ୍ୱର-କଟକ-ପରୀକୁ ନେଇ ମେଟ୍ରୋ ରେଳୱେ ସ୍ଥାପନ, ରେଳଡବା ତିଆରି କାରଖାନା ଓ ଖୋର୍ଦ୍ଧା-ବଲାଙ୍ଗିରକୁ ନିର୍ଦ୍ଦିଷ୍ଟ ସମୟ ଭିତରେ ସାରିବା ପାଇଁ ଦଳ ପକ୍ଷରୁ ସେ ଦାବି କରିଛନ୍ତି।