କାହିଁକି, କେମିତି ଓ କାହା ପାଇଁ ଏହି ରଜ, ଜାଣନ୍ତୁ ପରମ୍ପରା ପଛର କାହାଣୀ

ଭୁବନେଶ୍ୱର,(ଚିନ୍ମୟୀ ରୟ): ଆସିଛି ରଜ। ଆନନ୍ଦ ଉଲ୍ଲାସର ପର୍ବ ହେଉଛି ରଜ। ବାରମାସର ତେରପର୍ବ ମଧ୍ୟରେ ରଜ ହେଉଛି ଅନନ୍ୟ ପରମ୍ପରା। ବର୍ଷକୁ ଥରେ ପ୍ରତିଟି ଓଡ଼ିଆ ଘରେ ଏହି ପର୍ବକୁ ଥାଏ ଅପେକ୍ଷା। ଆଉ ତା’ର ଆବିର୍ଭାବରେ ମହକି ଉଠେ ପରିବେଶ। ପୋଡ଼ପିଠା, ରଜ ପାନଖିଆ ଓ ଦୋଳି ସାଙ୍ଗକୁ ପୁଚି ଖେଳ ଏହି ପର୍ବକୁ ଆହୁରି ଜମାଇଦିଏ। ଏହାକୁ ବିଶେଷ କରି ଝିଅମାନଙ୍କ ପର୍ବ ବୋଲି କୁହାଯାଏ। ରଜରେ ପୋଡପିଠା ଓ ପାନ ଖାଇବା ସହ ଝିଅ ମାନେ ଦୋଳି ଖେଳିଥାନ୍ତି। ପୁଅମାନେ ଏହି ଦିନଟିରେ କବାଡ଼ି,ବାଗୁଡ଼ି ଖେଳି ଏହାର ମଜା ଉଠାଇ ଥାନ୍ତି। କେବଳ ମଣିଷ ନୁହେଁ ମାଟି ମା’ ବି ମସଗୁଲ ହୁଏ ଏହି ପର୍ବରେ। ରଜସ୍ୱଳା ହୋଇ ଭରିଦିଏ ଶଷ୍ୟଶ୍ୟାମଳାର ଅପୂର୍ବ ସମ୍ଭାର। ଖାଲି ଓଡ଼ିଶା ନୁହେଁ ଭାରତର ଅନ୍ୟ ରାଜ୍ୟର ମଧ୍ୟ ଏହି ପର୍ବ ସହ ରହିଛି ସମ୍ପର୍କ। ତେବେ ଆସନ୍ତୁ ଜାଣିବା ରଜର ମହତ୍ୱ ସମ୍ପର୍କରେ।

ରଜ ପାଳନ- ଜ୍ୟେଷ୍ଠ ମାସର ଶେଷ ଓ ଆଷାଢ଼ ମାସର ଆରମ୍ଭକୁ ମିଶାଇ ଓଡ଼ିଶାରେ ଏହି ତିନିଦିନ ‘ରଜ’ ପାଳନ କରାଯାଏ। ଜ୍ୟେଷ୍ଠ ମାସର ଶେଷଦିନକୁ ପହିଲି ରଜ କୁହାଯାଏ। ଆଉ ଆଷାଡ଼ ମାସର ପ୍ରଥମ ଦିନକୁ ରଜ ସଙ୍କ୍ରାନ୍ତି ଓ ତା’ପରଦିନକୁ ଶେଷ ରଜ ବା ଭୂମିଦହନ କୁହାଯାଏ। ତେବେ ଆଜି ହେଉଛି ପହିଲି ରଜ। ଘରେ ଘରେ ବାସୁଛି ପୋଡ଼ ପିଠାର ମହ ମହ ବାସ୍ନା। ଝିଅ ବହୂମାନେ ନୂଆ ଲୁଗା ପିନ୍ଧି ସଜବାଜ ହୋଇ ପରସ୍ପରକୁ ରଜର ଶୁଭେଚ୍ଛା ଜଣାଇବାରେ ବ୍ୟସ୍ତ।

ରଜ ପର୍ବ କ’ଣ- ଏହି ପର୍ବର ଆକ୍ଷରିକ ଅର୍ଥ ହେଉଛି ରଜବତୀ ହେବା ବା ରଜସ୍ୱଳା ହେବା। ଏହି ଦିନ ସାରା ରାଜ୍ୟବାସୀ ଧରିତ୍ରି ମା’ର ମାତୃତ୍ୱ କାମନା କରିଥାନ୍ତି। ଆଷାଢ଼ ମାସର ପ୍ରଥମ ବର୍ଷା ପରେ ପୃଥିବୀମାତା ରଜବତୀ ହୁଅନ୍ତି ବା ଉତ୍ପାଦନ କ୍ଷମ ହୋଇ ଧରିତ୍ରୀକୁ ଶସ୍ୟଶ୍ୟାମଳା କରିଥାନ୍ତି। ସେଥିପାଇଁ ରଜ ତିନି ଦିନ  ଭୂମି ଖନନ ଓ ଚାଷ କାମ ବନ୍ଦ ରହିଥାଏ ଓ ପ୍ରଜନନକ୍ଷମ ଧରତ୍ରୀ ମାଆଙ୍କୁ ବିଶ୍ରାମ ଦିଆଯାଏ। ଏହି ଦିନରେ ମାଟିରେ ଖାଲିପାଦରେ ଚାଲିବା ମନା। ପାଦରେ କଦଳି ପଟୁଆରେ ତିଆରି ଚପଲ ପିନ୍ଧି ଝିଅମାନେ ଚଲାବୁଲା କରିବାର ପରମ୍ପରା ରହିଛି।  ରଜ ତିନି ଦିନ ପରେ ଚତୁର୍ଥ ଦିନ ସକାଳୁ ଶିଳପୁଆରେ ହଳଦୀ କନା ଗୁଡ଼ାଇ ସିନ୍ଦୂର, କଜଳ ଦେଇ କଳସରେ ଆମ୍ବଡାଳ ରଖି କ୍ଷୀରରେ ସ୍ନାନ କରାଯାଏ। ମାସିକ ଧର୍ମର ବିଧି ଅନୁଯାୟୀ ତିନିଦିନ ରଜସ୍ୱଳା ହୋଇ ମାତା ଅସୁଦ୍ଧ ରହିବା ପରେ ଏହି ଦିନ ତାଙ୍କୁ ସ୍ନାନ କରାଯାଇ ଶୁଦ୍ଧ କରାଯାଏ।

ମାଟି ଓ ଆକାଶର ମିଳନର ପର୍ବ- ଗ୍ରୀଷ୍ମ ଋତୁର ଡହ ଡହ ଗରମ ପରେ ମୌସୁମୀର ଆଗମନରେ ନେଇଆସେ କେତେ ଆନନ୍ଦ ଓ ଉଲ୍ଲାସ। ସୂର୍ଯ୍ୟଦେବଙ୍କ ପ୍ରଖର କିରଣରେ ଫାଟି ପଡ଼ିଥିବା ଶୁଖିଲା ମାଟି ଅନେଇ ବସିଥାଏ ମୌସୁମୀକୁ। ଆଉ ଆଷାଡ଼ର ସେହି ପହିଲି ବର୍ଷା ଭିଜାଇ ଦେଇଥାଏ ମାଟି ମା’କୁ। ପ୍ରଥମ ବର୍ଷାର ସ୍ପର୍ଶରେ ଆଦ୍ର ହୋଇଥିବା ମାଟିର ଭୂରୁଭୂରୁ ବାସ୍ନା ମହକାଇ ଦେଇଥାଏ ଗାଁ ଦାଣ୍ଡକୁ। ଆଉ ଏହି ବର୍ଷା ମାଟିକୁ ଛୁଇଁଲେ ଧରଣୀ ମା’ ଋତୁମତି ହେବା ଖୁସିରେ ସାରା ରାଜ୍ୟ ଉତ୍ସବମୁଖର ହୋଇଉଠେ। ଧରଣୀ ମା’ ପ୍ରଜନନକ୍ଷମ ହୋଇପଡ଼େ। ଆଉ କେଇ ଦିନରେ ବସୁନ୍ଧରା ମାତୃତ୍ୱ ଲାଭ କରି ଭରିଦିଏ ଶସ୍ୟଶ୍ୟାମଳା।

ରଜକୁ କାହିଁକି ଝିଅଙ୍କ ପର୍ବ କୁହାଯାଏ– ଜଣେ  ଝିଅ ଯେପରି ବାଲ୍ୟରୁ କୈଶୋର ଓ ଋତୁମତି ହୋଇ ଯୌବନ ଲାଭ କରିଥାଏ, ଠିକ୍‌ ସେମିତି ଆମ ମାଟି ମା’ ମଧ୍ୟ ଯୌବବନ ଲାଭ କରି ସମଗ୍ର ଧରାକୁ ଶସ୍ୟଶ୍ୟାମଳା କରିପକାଏ। ତେଣୁ ମା’ ପରି ମାଟି ମଧ୍ୟ ପୂଜନୀୟ। ତେଣୁ ଏହାକୁ ଝିଅଙ୍କ ପର୍ବ ବୋଲି କୁହାଯାଏ। ଏହି ତିନିଦିନ ଝିଅ ବହୂମାନଙ୍କୁ ମଧ୍ୟ କାମ କରିବା ମନା। ଧରଣୀ ମା’ ପରି ଝିଅବହୂମାନଙ୍କୁ ମଧ୍ୟ ଏହି ତିନିଦିନ ବିଶ୍ରାମ ଦିଆଯାଏ। ସମସ୍ତେ କେବଳ ପୋଡ଼ ପିଠା ଖାଇ, ରଜ ଦୋଳିରେ ଝୁଲି ରଜପାନର ପାନର ମଜା ନେଇ ଖୁସି ମନାଇଥାନ୍ତି।

ଅନ୍ୟ ରାଜ୍ୟରେ ବି ରହିଛି ପରମ୍ପରା- ଆସାମର ନୀଳାଚଳ ପର୍ବତର ସମୁଦ୍ର ପତ୍ତନରୁ ପ୍ରାୟ ୮୦୦ ଫୁଟ୍‌ ଉଚ୍ଚରେ ଗୌହାଟିରେ ଏକ ମନ୍ଦିର ରହିଛି। ଏହି ମନ୍ଦିରକୁ ଦେଶର ୫୧ ଶକ୍ତିପୀଠରୁ ଗୋଟିଏ ବୋଲି ବିବେଚନା କରାଯାଏ। ଏଠି ମା’ କାମାକ୍ଷା ଦେବୀ ପୂଜା ପାଆନ୍ତି। ବିଶ୍ୱାସ ରହିଛି, ଭଗବାନ ବିଷ୍ଣୁ ଯେତେବେଳେ ଦେବୀ ସତୀଙ୍କର ଶବକୁ ସୁଦର୍ଶନ ଚକ୍ରରେ ଛେଦନ କରି ଖଣ୍ଡ ଖଣ୍ଡ କରିଦେଇଥିଲେ, ସେତେବେଳେ ତାଙ୍କର ଯୋନିର ଅଂଶ ଏହି ସ୍ଥାନରେ ପଡ଼ିଥିଲା। ଏହି ମନ୍ଦିରରେ ମାତାଙ୍କ ଯୋନି ପୂଜା କରାଯାଏ। ଓଡ଼ିଶାରେ ରଜ ପାଳନ ପରି ଏଠାରେ ମଧ୍ୟ ପ୍ରତ୍ୟେକ ବର୍ଷ ତିନିଦିନ ପାଇଁ ମାତାଙ୍କ ମନ୍ଦିର ବନ୍ଦ ରୁହେ। କୁହାଯାଏ ଦେବୀ କାମାକ୍ଷା ଏହି ସମୟରେ ରଜସ୍ୱାଳା ହୋଇଥାନ୍ତି ଓ ତାଙ୍କ ଶରୀରୁ ରକ୍ତ ନିର୍ଗତ ହୋଇଥାଏ।

ଏହି ତିନି ଦିନ ମାତା ଋତୁମତି ହେବା ଖୁସିରେ ଏଠାରେ ଏକ ମେଳା ଆୟୋଜନ ହୋଇଥାଏ। ମେଳାର ନା ହେଉଛି ‘ଆମ୍ବୁବାଚୀ’। ଉକ୍ତ ସମୟରେ ଏହି ଶକ୍ତିପୀଠର ଆଧ୍ୟାତ୍ମିକ ଶକ୍ତି ଆହୁରି ବଢ଼ିଯାଏ। ତେଣୁ ଦେଶର କୋଣ ଅନୁକୋଣରୁ ସାଧୁ ସନ୍ଥ ଓ ତାନ୍ତ୍ରିକଙ୍କର ସୁଅ ଛୁଟିଥାଏ। ଏମାନେ ଏହି ତିନିଦିନ ମନ୍ଦିରର ଆଖପାଖରେ ଗୁମ୍ଫାରେ ରହି ସାଧନା କରଥାନ୍ତି।

ଓଡ଼ିଶାରେ ଯେପରି ତିନିଦିନ ରଜ ପରେ ଚତୁର୍ଥ ଦିନ ବସୁମତୀ ସ୍ନାନ କରାଯାଏ। ‌ଏଠାରେ ମଧ୍ୟ ସେହିପରି ଚତୁର୍ଥ ଦିନ ମନ୍ଦିରର ଦ୍ୱାର ଖୋଲେ। ମାତାଙ୍କର ଦିବ୍ୟ ପ୍ରସାଦ ପାଇବା ପାଇଁ ଭକ୍ତ ଓ ସାଧୁ ସନ୍ଥଙ୍କର ଭିଡ଼ ଜମେ। ଏହି ଦିବ୍ୟ ପ୍ରସାଦ ହେଉଛି ଏକ ଲାଲ୍‌ ରଙ୍ଗର ବସ୍ତ୍ର। ଏହି ବସ୍ତ୍ରକୁ ମା’ କାମାକ୍ଷା ରଜସ୍ୱାଳା ହେବା ସମୟରେ ପରିଧାନ କରିଥାନ୍ତି ବୋଲି କୁହାଯାଏ। ଏହି ବସ୍ତ୍ରର ଏକ ଖଣ୍ଡ ଯାହାକୁ ମିଳିଯାଏ ତା’ର ଜୀବନର ସମସ୍ତ ବାଧା, ବିଘ୍ନ, ଦୁଃଖ ଓ ଦୁର୍ଦ୍ଦଶା ଦୂର ହୋଇଯାଏ ବୋଲି ବିଶ୍ୱାସ ରହିଛି।