ଭୁବନେଶ୍ୱର: ଭାଗ ଚାଷୀ ଚିହ୍ନଟ ନେଇ ରାଜ୍ୟ ସରକାର ଏଯାଏଁ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନେଇନାହାନ୍ତି। ଏ ନେଇ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିର ରିପୋର୍ଟକୁ ଅପେକ୍ଷା କରାଯାଇଥିବା ରାଜସ୍ୱ ସଚିବ ମୋନା ଶର୍ମା କହିଛନ୍ତି। ଚଳିତ ମରୁଡ଼ି ସ୍ଥିତିର ମୁକାବିଲା ଲାଗି ୨୦୧୧ରେ ଯେଭଳି ଭାବେ ମରୁଡ଼ି ସହାୟତା ଦିଆଯାଉଥିଲା, ବର୍ତ୍ତମାନ ମଧ୍ୟ ଆରଆଇଙ୍କ ରିପୋର୍ଟ ଆଧାରରେ ଗ୍ରାମ୍ୟ କମିଟି ପ୍ରକୃତ ଚାଷୀକୁ ଚିହ୍ନଟ କରିବା ପରେ ଏଗ୍ରିକଲଚରାଲ୍ ଇନପୁଟ୍ ସବସିଡି ପ୍ରଦାନ କରାଯାଉଛି ବୋଲି ସେ କହିଛନ୍ତି।
ଜମି ଅଧିଗ୍ରହଣ ସମ୍ପର୍କରେ ମଧ୍ୟ ମତ ରଖିଛନ୍ତି ରାଜସ୍ୱ ସଚିବ। ଜମି ଅଧିଗ୍ରହଣ ଆଇନ ୨୦୧୩ ଅନୁସାରେ ଏବେ ଜମି ଅଧିଗ୍ରହଣ ଚାଲିଥିବା ସେ ସୂଚନା ଦେଇଛନ୍ତି। ଜମି ଅଧିଗ୍ରହଣ ପୂର୍ବରୁ ସୋସିଆଲ୍ ଇମ୍ପାକ୍ଟକୁ ଅନୁଧ୍ୟାନ କରାଯାଉଛି ଏବଂ ସେଥିପାଇଁ ରାଜ୍ୟ ସରକାର ନବକୃଷ୍ଣ ଚୌଧୁରୀ ଇନଷ୍ଟିଚ୍ୟୁଟକୁ ରାଜ୍ୟ ସ୍ତରୀୟ ଏଜେନ୍ସି ଭାବେ ମନୋନୀତ କରିଛନ୍ତି। ସୋସିଆଲ୍ ଇମ୍ପାକ୍ଟ ଆସେସମେଣ୍ଟ ଅନୁଧ୍ୟାନ ଦ୍ୱାରା ଜମି ଅଧିଗ୍ରହଣ ପୂର୍ବରୁ ସ୍ଥାନୀୟ ଲୋକଙ୍କ ସହ ଆଲୋଚନାର ଏକ ସୁଯୋଗ ସୃଷ୍ଟି ହୋଇଥିବା ସେ କହିଛନ୍ତି। ଆଜି ସଚିବାଳୟରେ ଏ ନେଇ ବୈଠକ ବସିଥିଲା। ଏହି ସମୀକ୍ଷା ବୈଠକରେ ଜମି ଅଧିଗ୍ରହଣ, ଜମିର ରେଜିଷ୍ଟ୍ରେସନ, ରାଜସ୍ୱ ବିଭାଗର କୋର୍ଟରେ ଥିବା ମାମଲା, ଗ୍ରିଭାନ୍ସ ରିଡ୍ରେସାଲ୍ ସିଷ୍ଟମ୍ ଏବଂ ରେଭିନ୍ୟୁ ଟ୍ରେନିଂ ନେଇ ମଧ୍ୟ ଆଲୋଚନା ହୋଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।