ବିଷ୍ଣୁଙ୍କ ସ୍ଥାନରେ କିଏ ?

ଭୁବନେଶ୍ୱର: ରାଜ୍ୟସଭା ସାଂସଦ ବିଷ୍ଣୁ ଦାସଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ଯୋଜନା ବୋର୍ଡ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। ଏହି ନିଯୁକ୍ତି ମିଳିବା ପରେ ୨ରୁ ୩ ଦିନ ମଧ୍ୟରେ ବିଷ୍ଣୁ ସାଂସଦ ପଦରୁ ଇସ୍ତଫା ଦେବେ ବୋଲି କହିଛନ୍ତି। ବିଷ୍ଣୁ ଇସ୍ତଫା ଦେବା ପରେ ତାଙ୍କ ସ୍ଥାନରେ କିଏ ଯିବେ ତାକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ ହେବାରେ ଲାଗିଛି। ବିଶେଷ କରି ନବୀନଙ୍କ ଭଉଣୀ ଗୀତା ମେହେଟ୍ଟାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ଗୀତାଙ୍କ ବାଦ୍‌ ଆଉ କିଛି ବ୍ୟକ୍ତିଙ୍କ ନାଁ ମଧ୍ୟ ଆଗକୁ ଆସୁଛି।

କିଛିଦିନ ପୂର୍ବେ ଗୀତା ଭୁବନେଶ୍ୱର ଆସିଥିଲେ। ସେତେବେଳେ ପଞ୍ଚାୟତ ନିର୍ବାଚନ ଫଳାଫଳ ସମ୍ପର୍କରେ ତାଙ୍କୁ ବିସ୍ତୃତ ଭାବେ ଅବଗତ କରାଯାଇଥିବା ଆଲୋଚନା ହେଉଛି। ତେଣୁ ଦଳୀୟ କାର୍ଯ୍ୟରେ ତାଙ୍କୁ ଅଧିକ ନିୟୋଜିତ କରିବାକୁ ରାଜ୍ୟସଭା ପଠାଯାଇପାରେ। ଗୀତାଙ୍କ ବ୍ୟତୀତ ବିଜେଡି ମୁଖପାତ୍ର ପ୍ରତାପ ଦେବ, ପୂର୍ବତନ ସାଂସଦ ଭୂପିନ୍ଦର ସିଂ, ବିମ୍ବାଧର କୁଅଁରଙ୍କ ନାଁ ମଧ୍ୟ ଶୁଣିବାକୁ ମିଳୁଛି।

ନବୀନ ଯାହାକୁ ରାଜ୍ୟସଭାକୁ ପଠାଇବେ ସେ ଦଳର କ୍ରାଇସେସ୍‌ ମ୍ୟାନେଜର ଭୂମିକା ତୁଲାଇବେ। ପୂର୍ବରୁ ପ୍ୟାରୀମୋହନ ମହାପାତ୍ର ଏବଂ କଳ୍ପତରୁ ଦାସଙ୍କୁ ଯେପରି ଦାୟିତ୍ୱ ତୁଲାଉଥିଲେ। ଯିଏ ବି ରାଜ୍ୟସଭାକୁ ଯିବେ ସେ ମୁଖ୍ୟତଃ ପଲିଟିକାଲ ମ୍ୟାନେଜମେଣ୍ଟ ଦାୟିତ୍ୱରେ ରହିବେ ବୋଲି ଆଲୋଚନା ହେଉଛି।