ରାଜ୍ୟ ଦାବି ମାନି ନେଲା କେନ୍ଦ୍ର: ଏଣିକି ୮୫:୧୫ ଅନୁପାତରେ ମିଳିବ ଚାଉଳ-ଗହମ

riceଭୁବନେଶ୍ୱର: କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଚାଉଳ ଯୋଗାଣକୁ ନେଇ ଲାଗି ରହିଥିବା ବିବାଦର ଅନ୍ତ ଘଟିବାକୁ ଯାଉଛି। ରାଜ୍ୟ ସରକାରଙ୍କ ଦାବି ମୁତାବକ ୮୫:୧୫ ଅନୁପାତରେ ଚାଉଳ ଓ ଗହମ ଯୋଗାଇ ଦେବାକୁ କେନ୍ଦ୍ର ସରକାର ରାଜି ହୋଇଛନ୍ତି। କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରାଳୟ ପକ୍ଷରୁ ରାଜ୍ୟ ସରକାରଙ୍କୁ ଏ ନେଇ ଅବଗତ କରାଯାଇଛି।

କେନ୍ଦ୍ର ଖାଉଟି କଲ୍ୟାଣ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ରାମ ବିଳାସ ପାଶ୍ୱାନ ଏ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖି ଜଣାଇଛନ୍ତି। ଓଡ଼ିଶା ସରକାରଙ୍କ ଦାବି ମୁତାବକ ସଂଶୋଧିତ କୋଟା ମେ’ ମାସରୁ ଲାଗୁ କରାଯାଇଥିବା ପାଶ୍ୱାନ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି। ପୂର୍ବରୁ ଧର୍ମେନ୍ଦ୍ରଙ୍କ ଉପସ୍ଥିତିରେ ପାଶ୍ୱାନ ଅଧିକ ଚାଉଳ କୋଟା ପାଇଁ ରାଜ୍ୟର ଦାବି ବିଚାରକୁ ନେଇ ଜୁନ୍ ମାସରୁ ରାଜ୍ୟକୁ ୮୫:୧୫ ଅନୁପାତରେ ଚାଉଳ ଓ ଗହମ ଦିଆଯିବ ବୋଲି କହିଥିଲେ।

କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟକୁ ଦିଆଯାଇଥିବା ପତ୍ରରେ କୁହାଯାଇଛି, ଏଣିକି ଓଡ଼ିଶାକୁ ୮୫.୪୭ ଭାଗ ଚାଉଳ ଓ ୧୪.୫୩ ଭାଗ ଗହମ ମିଳିବ। ପୂର୍ବରୁ ୭୮.୧୮% ହାରରେ ଓଡ଼ିଶାକୁ ୧,୩୩,୯୭୨ ଟନ୍‌ ଚାଉଳ ମିଳୁଥିଲା। ଏବେ ୮୫.୪୭% ହାରରେ ୧,୪୫,୮୫୯ ଟନ୍‌ ଚାଉଳ ମିଳିବ। ପୂର୍ବରୁ ୨୧.୮୨% ହାରରେ ୩୫,୯୭୮ ଟନ୍‌ ଗହମ ମିଳୁଥିବା ବେଳେ ଏବେ ୧୪.୫୩% ହାରରେ ୨୪,୮୦୦ ଟନ୍‌ ଗହମ ମିଳିବ। ମେ’ ମାସରୁ ଏହି ପରିବର୍ତ୍ତିତ ହାର ଲାଗୁ କରାଯାଇଛି।

ପୂର୍ବରୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ଦିଆଯାଉଥିବା ରିହାତି ଶସ୍ୟରେ ଅନ୍ତର୍ଗତ ଚାଉଳ କୋଟା ବଢାଇବା ପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଆଗରେ ଦାବି କରି ଆସୁଥିଲା। ବିଜେଡି ବିଧାୟକମାନେ ଗତ ବିଧାନସଭା ଅଧିବେଶନରେ ରାଜ୍ୟପାଳଙ୍କୁ ସାକ୍ଷାତ କରିଥିବା ବେଳେ ଦିଲ୍ଲୀରେ ଦଳର ସାଂସଦମାନେ ପାଶ୍ୱାନଙ୍କୁ ଭେଟି ଏହି ଦାବି ଜଣାଇଥିଲେ। ବିଜେଡି ମଧ୍ୟ ଏ ନେଇ ଜିଲ୍ଲାସ୍ତରରେ ବିକ୍ଷୋଭ କରିଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଶ୍ୱାନଙ୍କୁ ଚିଠି ଲେଖିବା ସହ ସାକ୍ଷାତ କରି ୮୫:୧୫ ଅନୁପାତରେ ଚାଉଳ-ଗହମ ଯୋଗାଇ ଦେବାକୁ ଦାବି କରିଥିଲେ।

ମୋଦି ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସି ବାଲେଶ୍ୱରରେ ସାଧାରଣ ସଭାରେ ଯୋଗ ଦେଇ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ଥିବାରୁ କେନ୍ଦ୍ର ସରକାର ରାଜ୍ୟର ଦାବି ମାନି ନେଇଥିବା କୁହାଯାଉଛି।