ଭୁବନେଶ୍ୱର: ବିବାଦୀୟ ସିଡି ଓ ରିଷି ମୃତ୍ୟୁ ଘଟଣାକୁ ନେଇ ବିଜେପି ପ୍ରତିନିଧି ଦଳ ରାଜଭବନକୁ ଯାଇ ରାଜ୍ୟପାଳ ଏସ୍ସି ଜମୀରଙ୍କୁ ଭେଟିଛନ୍ତି। ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ନେତୃତ୍ୱରେ ୧୪ ଜଣିଆ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଭେଟି ଏହି ଦୁଇ ଘଟଣାର ନିରପେକ୍ଷ ତଦନ୍ତ ଦାବି କରିବା ସହ ବନ୍ଦ ବେଳେ ବିଜେପି କର୍ମୀଙ୍କୁ ଆକ୍ରମଣ ନେଇ ଅବଗତ କରିଥିଲେ।
ବିବାଦୀୟ ସିଡିରେ ମେୟରଙ୍କ ସମ୍ପୃକ୍ତି ନେଇ ଅଭିଯୋଗ ଆସିଥିବାରୁ ଦଳ ପକ୍ଷରୁ ତାଙ୍କ ବହିଷ୍କାର ଦାବି କରାଯାଇଛି। ମେୟର ଜଣେ ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବାରୁ ତଦନ୍ତ ପ୍ରଭାବିତ ହେବାର ଆଶଙ୍କା ରହିଛି। ତେଣୁ ରାଜ୍ୟପାଳ ଏଥିରେ ହସ୍ତକ୍ଷେପ କରନ୍ତୁ ବୋଲି ସେମାଦେ ଦାବି କରିଛନ୍ତି।
ଦଳ ପକ୍ଷରୁ କୁହାଯାଇଛି ଭିଡିଓରେ ଥିବା ଅନ୍ୟ ବ୍ୟକ୍ତି ଜଣଙ୍କ ଡବ୍ଲ୍ୟୁ ଆଣ୍ଡ ସିଡିରେ କାମ କରୁଥିବା ଆମେ ଶୁଣିବାକୁ ପାଇଛୁ। ତାଙ୍କୁ ଏବଂ ବିଏମ୍ସିରେ କାମ କରୁଥିବା ମୃତ ରିଷିଙ୍କୁ ଜେରା କରାଯାଉ ବୋଲି ପ୍ରତିନିଧି ଦଳ ଦାବି କରିଛନ୍ତି।
ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି,“ବିବାଦୀୟ ଭିଡିଓ ଓ ରିଷି ମୃତ୍ୟୁ ଘଟଣାରେ ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନାଙ୍କ ସମ୍ପୃକ୍ତି ଅଭିଯୋଗ ଆସିଛି। ତାଙ୍କୁ ବହିଷ୍କାର କରିବା ଓ ଉଭୟ ଘଟଣାର ନିରପେକ୍ଷ ତଦନ୍ତ କରାଯିବା ନେଇ ଆମେ ଦାବି କରିଆସୁଛି। ହେଲେ ମୁଖ୍ୟମନ୍ତ୍ରୀ କୌଣସି ପଦକ୍ଷେପ ନେଉନାହାନ୍ତି।”
ସେ କହିଛନ୍ତି,“ଆମ ପ୍ରତିନିଧି ଦଳ ଡିଭିଓ କ୍ଲିପିଂ ନେଇ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯାଇଥିଲେ। ଉଦ୍ଦେଶ୍ୟ ଥିଲା ମୁଖ୍ୟମନ୍ତ୍ରୀ ଏହା ଦେଖିବା ପରେ ମେୟରଙ୍କ ବିରୋଧରେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ନେବେ। ହେଲେ ଆମକୁ ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ କରିବାକୁ ସୁଯୋଗ ଦିଆଗଲାନାହିଁ। ଏହାର ପ୍ରତିବାଦରେ ଆମେ ଭୁବନେଶ୍ୱର ବନ୍ଦ ଡାକରା ଦେଇଥିଲୁ। ଯାହାକୁ ଭୁବନେଶ୍ୱରବାସୀ ସମର୍ଥନ ଜଣାଇଥିଲେ। ମେୟରଙ୍କୁ ବହିଷ୍କାର କରାଯାଉ ନ ଥିବାରୁ ସେ ତାଙ୍କ ପଦବୀ ବ୍ୟବହାର କରି ତଦନ୍ତକୁ ପ୍ରଭାବିତ କରୁଛନ୍ତି। ପୋଲିସ ଉପରେ ଚାପ ପ୍ରୟୋଗ କରୁଛନ୍ତି। ରାଜ୍ୟ ସରକାର ଓ ପୋଲିସ ପାଖରୁ ନିରାଶ ହେବା ପରେ ଆମେ ଆଜି ରାଜ୍ୟପାଳଙ୍କୁ ଭେଟି ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ତୁରନ୍ତ ଗିରଫ କରାଯିବା ସହ ଘଟଣାର ନିରପେକ୍ଷ ତଦନ୍ତ କରାଯିବାକୁ ଅନୁରୋଧ କରିଛୁ। ଏହାସହ ମେୟରଙ୍କୁ ବରଖାସ୍ତ କରିବାକୁ ଅମେ ନିବେଦନ କରିଛୁ।”
ସେ ଆହୁରି କହିଛନ୍ତି,“ଆମେ ଆଶା କରୁଛୁ, ରାଜ୍ୟପାଳ ଆମ ଅନୁରୋଧ ରକ୍ଷା କରିବେ ଓ ରାଜ୍ୟ ସରକାରଙ୍କୁ ଘଟଣାର ନିରପେକ୍ଷ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେବେ।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।