ବଢ଼ିଲା ରମେଶଙ୍କ ମୁସ୍କିଲ୍, ବଳାତ୍କାର ମାମଲା ରୁଜୁ

ବ୍ରହ୍ମପୁର: ଗିରଫ ପୂର୍ବତନ କଂଗ୍ରେସ ବିଧାୟକ ରମେଶ ଜେନାଙ୍କ ନାଁରେ ପୂର୍ବରୁ ହତ୍ୟା, ହତ୍ୟା ଉଦ୍ୟମ ଭଳି ମାମଲା ରୁଜୁ ହୋଇଥିବା ବେଳେ ଏବେ ଆସିଛି ଜଣେ ମହିଳାଙ୍କୁ ବଳାତ୍କାର ଭଳି ସଂଗୀନ ଅଭିଯୋଗ। ପୁଣି ଥରେ ନୁହେଁ ରମେଶ ତାଙ୍କୁ ଧମକ ଦେଇ ଏକାଧିକ ଥର ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆସିବା ପରେ ଶୁକ୍ରବାର ବ୍ରହ୍ମପୁର ଟାଉନ୍‌ ଥାନାରେ ତାଙ୍କ ନାଁରେ ଆଇପିସି ଧାରା  ୩୫୪ସି, ୨୬ବି, ୩୭୬ (୨)ଏନ୍ ଓ  […]

ramesh-jena-rape-case

ramesh-jena-rape-case

Rakesh Mallick
  • Published: Saturday, 09 April 2016
  • Updated: 16 April 2016, 09:03 AM IST

Sports

Latest News

[caption id="attachment_78069" align="alignleft" width="300"]ramesh-jena-rape-case ଅଭିଯୁକ୍ତ ଆଣିଥିବା ମହିଳା[/caption]

ବ୍ରହ୍ମପୁର: ଗିରଫ ପୂର୍ବତନ କଂଗ୍ରେସ ବିଧାୟକ ରମେଶ ଜେନାଙ୍କ ନାଁରେ ପୂର୍ବରୁ ହତ୍ୟା, ହତ୍ୟା ଉଦ୍ୟମ ଭଳି ମାମଲା ରୁଜୁ ହୋଇଥିବା ବେଳେ ଏବେ ଆସିଛି ଜଣେ ମହିଳାଙ୍କୁ ବଳାତ୍କାର ଭଳି ସଂଗୀନ ଅଭିଯୋଗ। ପୁଣି ଥରେ ନୁହେଁ ରମେଶ ତାଙ୍କୁ ଧମକ ଦେଇ ଏକାଧିକ ଥର ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆସିବା ପରେ ଶୁକ୍ରବାର ବ୍ରହ୍ମପୁର ଟାଉନ୍‌ ଥାନାରେ ତାଙ୍କ ନାଁରେ ଆଇପିସି ଧାରା  ୩୫୪ସି, ୨୬ବି, ୩୭୬ (୨)ଏନ୍ ଓ  ୩୭୭ରେ କେଶ୍ ନମ୍ୱର ୫୯/୧୬ରେ ଏକ ମାମଲା ରୁଜୁ ହୋଇଛି। ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।

ରମେଶଙ୍କ ନାଁରେ ଅଭିଯୋଗ ଆଣିଥିବା ମହିଳା ଜଣଙ୍କ ଜଣେ ବିଧବା। ତାଙ୍କ ଘର ବ୍ରହ୍ମପୁର ସହରର ଗାନ୍ଧୀ ନଗର ଅଞ୍ଚଳରେ।

ସେ କହିଛନ୍ତି,“ମୋ ସ୍ୱାମୀଙ୍କ ବସ୍ ଓ ମଦ ବ୍ୟବସାୟ ଥିଲା। ସେତେବେଳେ ରମେଶ ଜେନା ତାଙ୍କଠାରୁ ଦାଦାବଟି ନେଉଥିଲେ। ୨୦୦୪ରେ ମୋ ସ୍ୱାମୀଙ୍କର ସେରିବ୍ରାଲ୍ ମ୍ୟାଲେରିଆରେ ମୃତ୍ୟୁ ହୋଇଯାଇଥିଲା। ଏହା ପରେ ମୁଁ ତାଙ୍କ ବସ୍‌ଗୁଡ଼ିକୁ ଚଲାଇବାକୁ ଉଦ୍ୟମ କରିଥିଲି। ତେବେ ରମେଶ ଓ ତାଙ୍କ ସହଯୋଗୀମାନେ ମୋତେ ବସ୍ ଚଲାଇବାକୁ ଦେଇ ନ ଥିଲେ। ତା’ପରେ ମୁଁ ଆସ୍କାରୁ ବ୍ରହ୍ମପୁର ଚାଲି ଆସିଲି। ଏଠି ରହି ବସ୍‌ଗୁଡ଼ିକୁ ଚଲାଇବି ବୋଲି ଭାବିଲି। କିନ୍ତୁ ଏଠି ବି ସେମାନେ ମୋତେ ବସ୍‌ଗୁଡ଼ିକୁ ଚଲାଇବାକୁ ଦେଇ ନ ଥିଲେ। ତେଣୁ ମୁଁ ବାଧ୍ୟ ହୋଇ ବସ୍‌ଗୁଡ଼ିକୁ ବିକ୍ରି କରି ଦେଇଥିଲି। ୨୦୧୩ରେ ଦିନେ ରମେଶ ତାଙ୍କର ଜଣେ ସହଯୋଗୀ ବିଧୂ ବିଶୋଇଙ୍କୁ ନେଇ ମୋ ଘରକୁ ଆସିଥିଲେ। “ବସ୍‌ଗୁଡ଼ିକୁ କାହିଁକି ବିକି ଦେଲୁ?” ବୋଲି ପଚାରିଥିଲେ ଏବଂ “ମୋତେ କାହିଁକି ପଇସା ମାଗିଲୁ ନାହିଁ?” ବୋଲି କହିଥିଲେ। ଆମେ କଥା ହେଉଥିବା ବେଳେ ବିଧୂ ବିଶୋଇ ବାହାର ପଟୁ କବାଟ ବନ୍ଦ କରି ଦେଲା। ତା’ପରେ ରମେଶ ଜେନା ମୋତେ ଧର୍ଷଣ କଲେ। ଏ ସଂପର୍କରେ କାହାକୁ କହିଲେ ପରିବାର ସମସ୍ତଙ୍କୁ ଉଡ଼ାଇ ଦେବେ ବୋଲି ସେ ଧମକ ଦେଇଥିଲେ। ସେ ଧମକ ଦେବା ସତ୍ତ୍ୱେ ମୁଁ ପୋଲିସ୍ ପାଖକୁ ଯାଇଥିଲି। କିନ୍ତୁ ପୋଲିସ୍ ମୋ କଥା ଶୁଣି ନ ଥିଲା। କାହାଠୁ ସହଯୋଗ ନ ପାଇ ମୁଁ ଚୁପ୍ ରହିଲି।”

ଅଭିଯୋଗ ଆଣିଥିବା ମହିଳା କହିଛନ୍ତି,“ତିନି ଚାରି ମାସ ପରେ ରମେଶ ଜେନା ପୁଣି ସେହି ବିଧୂ ବିଶୋଇକୁ ନେଇ ମୋ ଘରକୁ ଆସିଥିଲେ। ମୋ ସହିତ ଶାରୀରିକ ସଂପର୍କ ରଖିବାକୁ କହିଥିଲେ। ମୁଁ ମନା କରିବା ପରେ ସେ ମୋର ଏକ ଭିଡିଓ ଦେଖାଇ ଥିଲେ। ଶାରୀରିକ ସଂପର୍କ ନ ରଖିଲେ ଉକ୍ତ ଭିଡିଓକୁ ମାର୍କେଟରେ ଛାଡ଼ି ଦେବେ ବୋଲି କହିଥିଲେ। ଏହିପରି କରି ସେ ମୋତେ ସାତ ଆଠ ଥର ଧର୍ଷଣ କରିଥିଲେ। ମୁଁ ଏ ସଂପର୍କରେ କାହାକୁ କହି ନ ଥିଲି। କେବଳ ମୋ ମା’କୁ କହିଥିଲି।”

ସେ କହିଛନ୍ତି,“ଗତ ଜାନୁଆରୀ ୨୮ ତାରିଖ ରାତି ପ୍ରାୟ ସାଢ଼େ ୧୦ଟା ବେଳେ ମୁଁ ଘରେ ବସି ଟିଭି ଦେଖୁଥିଲି। ରମେଶ ଜେନା ଆସିଲେ। ତାଙ୍କ ସହିତ ଆଉ ଦୁଇ ଜଣ ଥିଲେ। ମୁଁ ସେମାନଙ୍କୁ ଚିହ୍ନି ନାହିଁ। ସେମାନେ ଘର ବାହାରେ ଥିଲେ। ସେ ଘରେ ପଶିବା ପରେ ଟିଭିର ଭଲ୍ୟୁମ୍ ବଢ଼ାଇ ଦେଇଥିଲେ। ଆଉ ପୂର୍ବ ଭଳି ଜୋରଜବରଦସ୍ତି କଲେ। ସାଢ଼େ ୧୧ଟା ବେଳେ ସେ ପଳାଇଲେ। ଏ ଘଟଣା ସଂପର୍କରେ ମୁଁ ମୋ ମା’ଙ୍କୁ କହିଲି। ଆଉ ସହି ହେଉନି ବୋଲି ତାଙ୍କୁ କହିଥିଲି। ଏଥର ପୋଲିସ୍‌ରେ ଅଭିଯୋଗ କରିବ ନ ହେଲେ ଆତ୍ମହତ୍ୟା କରି ଦେବି ବୋଲି କହିଥିଲି।”

ସେ କହିଛନ୍ତି,“ରମେଶ ଜେନା ଗିରଫ ହେବା ପରେ ପୋଲିସ୍ ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ଦେଖିବା ପରେ ମୋର ଟିକେ ସାହସ ହେଲା। ମୋ କଥା କେହି ଶୁଣିବେ ବୋଲି ମୋର ବିଶ୍ୱାସ ଆସିଲା। ଏହା ପରେ  ମୁଁ ଏସ୍‌ପିଙ୍କୁ ଭେଟି ଅଭିଯୋଗ କଲି। ଲିଖିତ ଭାବେ ଅଭିଯୋଗ କରିବା ପାଇଁ ସେ ମୋତେ କହିଥିଲେ। ପୂର୍ବରୁ ପୋଲିସ୍ ଅଭିଯୋଗ ରଖି ନ ଥିବା କଥା ବି ମୁଁ ଏସ୍‌ପିଙ୍କୁ ଜଣାଇଲି।”

ବ୍ରହ୍ମପୁର ଏସ୍‌ପି ଆଶିଷ କୁମାର ସିଂ କହିଛନ୍ତି,“ରମେଶ ଜେନାଙ୍କ ନାଁରେ ଜଣେ ମହିଳା ବଳାତ୍କାର ଭଳି ସଂଗୀନ ଅଭିଯୋଗ ଆଣିଛନ୍ତି। ଏପରିକି ମହିଳାଙ୍କ ଭିଡିଓ ବି ସେ ପ୍ରସ୍ତୁତ କରିଥିବା ଅଭିଯୋଗ ଆସିଛି। ଏଥିରେ ବିଧୂ ବିଶୋଇ ନାମକ ଜଣେ ବ୍ୟକ୍ତି ରମେଶଙ୍କୁ ସାହାଯ୍ୟ କରିଥିବା ଅଭିଯୋଗ ହୋଇଛି। ଗତ ଦୁଇ ବର୍ଷ ହେଲାଣି ରମେଶ ଉକ୍ତ ମହିଳାଙ୍କୁ ବହୁ ହଇରାଣ କରିଥିବା ଅଭିଯୋଗ ହୋଇଛି। ଯେହେତୁ ଅଭିଯୋଗ କରିଥିବା ମହିଳା ଜଣଙ୍କୁ ନିୟମିତ ଭାବେ ଧମକ ଦିଆଯାଉଥିଲା, ତେଣୁ ତାଙ୍କୁ ସୁରକ୍ଷା ଯୋଗାଇ ଦିଆଯିବ।”

ପୂର୍ବରୁ ଏହି ମହିଳାଙ୍କ ଅଭିଯୋଗ ପୋଲିସ୍ ରଖି ନ ଥିବା ସଂପର୍କରେ ଏସ୍‌ପି କହିଛନ୍ତି,“ଏହି ଅଭିଯୋଗର ତଦନ୍ତ କରାଯିବ। କିଏ ଓ କାହିଁକି ଏହି ଅଭିଯୋଗ ରଖି ନ ଥିଲା ତା’ର ତଦନ୍ତ କରାଯାଇ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

ଜଣେ ଅପରାଧୀକୁ ଧରିବାକୁ ଯାଇ ବ୍ରହ୍ମପୁର ପୁଲିସ୍ ଗତ ମାସରେ ଭୁବନେଶ୍ୱରର ଏକ ଏପାର୍ଟମେଣ୍ଟରୁ କଂଗ୍ରେସ ନେତା ତଥା ସାନଖେମୁଣ୍ଡିର ପୂର୍ବତନ ବିଧାୟକ ରମେଶ ଜେନାକୁ ପୁଲିସ ଧରିଥିଲା। ପରେ ତାଙ୍କୁ ଗିରଫ କରିଥିଲା। ଗିରଫ ପରଠାରୁ ତାଙ୍କ ନାଁରେ ବେଆଇନ୍ ଅସ୍ତ୍ରଶସ୍ତ୍ର ରଖିବା, ହତ୍ୟା, ହତ୍ୟା ଉଦ୍ୟମ, ଜମି ହଡ଼ପ, ଦାଦା ବଟି ଆଦାୟ କରିବା ଓ ବେଆଇନ ଗୁଟ୍‌ଖା ବ୍ୟବସାୟ ଭଳି ଗୋଟିଏ ପରେ ଗୋଟିଏ ମାମଲା ଯୋଡ଼ି ହୋଇ ଚାଲିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos