ଖାଦ୍ୟ ସୁରକ୍ଷା ଆଇନ ହିତାଧିକାରୀ ତାଲିକା ରଦ୍ଦ କର, ପୁନର୍ବାର ସର୍ଭେ କର: ବସନ୍ତ ପଣ୍ଡା

basanta-pandaଭୁବନେଶ୍ୱର: ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ରାଜ୍ୟରେ ଯୋଗ୍ୟ ହିତାଧିକାରୀମାନେ ରାସନ କାର୍ଡ ପାଇବାରୁ ବଞ୍ଚିତ ହୋଇଛନ୍ତି। ଅଯୋଗ୍ୟ ହିତାଧିକାରୀମାନେ ଚଞ୍ଚକତା କରି ହାତେଇ ନେଇଛନ୍ତି ରାସନ କାର୍ଡ। ଏଥିରେ ଶାସକ ଦଳର ନେତା ଓ କର୍ମୀ ବି ସାମିଲ ଅଛନ୍ତି। ତେଣୁ ରାଜ୍ୟ ସରକାର ତୁରନ୍ତ ରାସନ କାର୍ଡ ବଣ୍ଟନ ନେଇ ଚଲାଇଥିବା ପ୍ରକ୍ରିୟାକୁ ବନ୍ଦ କରନ୍ତୁ। ହିତାଧିକାରୀ ତାଲିକାକୁ ରଦ୍ଦ କରନ୍ତି। ଚଳିତ ପ୍ରକ୍ରିୟାକୁ ସରକାର ବନ୍ଦ କରି ପୁନର୍ବାର ସର୍ଭେ କରନ୍ତୁ ଓ ନୂତନ ଭାବେ ରାସନ କାର୍ଡ ବଣ୍ଟନ କରନ୍ତୁ। ରାଜ୍ୟ ବିଜେପିର ନୂଆ ସଭାପତି ବସନ୍ତ ପଣ୍ଡା ଶନିବାର ଏହି ଦାବି କରିଛନ୍ତି। ରାଜ୍ୟ ସଭାପତି ଭାବେ ଦାୟିତ୍ୱ ନେବା ପରେ ଆଜି ସେ ଭୁବନେଶ୍ୱର ସ୍ଥିତ ଦଳୀୟ କାର୍ଯ୍ୟାଳୟରେ କରିଥିବା ପ୍ରଥମ ସାମ୍ବାଦିକ ସମ୍ମିଳନୀରେ ସେ ଏହି ଦାବି କରିଛନ୍ତି।

ବସନ୍ତ କହିଛନ୍ତି, ଖାଦ୍ୟ ସୁରକ୍ଷା ଯୋଜନାରେ ଯୋଗ୍ୟ ହିତାଧିକାରୀମାନଙ୍କୁ ୨୦୧୪ ମସିହାରେ ରାସନ କାର୍ଡ ପ୍ରଦାନ କରାଯିବା କଥା। କିନ୍ତୁ ରାଜ୍ୟ ସରକାର ସମୟ ନେଲେ। ୨୦୧୫ରେ ସରକାର କାର୍ଡ ବଣ୍ଟନ କଲେ। ତଥାପି ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ କାର୍ଡ ଯୋଗାଇ ପାରିଲେ ନାହିଁ। ପୁଣି ଏଥିରେ ବ୍ୟାପକ ଚଞ୍ଚକତା ହୋଇଛି। ଗରିବ ଓ ନିରାଶ୍ରୟ ଲୋକମାନେ କାର୍ଡରୁ ବଞ୍ଚିତ ହୋଇଥିବା ବେଳେ ବିଜୁ ଜନତା ଦଳର ନେତା ଓ କର୍ମୀମାନେ ରାସନ କାର୍ଡ ପାଇଛନ୍ତି। ବିଜେଡିର ବିଧାୟକ, ମେୟର, ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ବ୍ଲକ୍ ଚେୟାରମ୍ୟାନ୍, ବ୍ଳକ୍ ଭାଇସ୍ ଚେୟାରମ୍ୟାନ୍ ଓ ଜିଲ୍ଲା ପରିଷଦ ସଦସ୍ୟ ରାସନ କାର୍ଡ ପାଇଛନ୍ତି। ଆଗାମୀ ଦିନରେ ବିଜେଡିର ମନ୍ତ୍ରୀଙ୍କ ପରିବାରର ସଦସ୍ୟମାନେ ରାସନ କାର୍ଡ ପାଇଥିବା ନେଇ ମଧ୍ୟ ସୂଚନା ଆସିପାରେ। ଅତୀତରେ କେବେ ବି ଏ ପ୍ରକାର ଚଞ୍ଚକତା ଦେଖାଯାଇ ନ ଥିଲା। ଏହା ନିଶ୍ଚିତ ରୂପରେ ବିଡ଼ମ୍ବନା ଓ ଦୁଃଖର ବିଷୟ। ତେଣୁ ତୁରନ୍ତ ରାସନ କାର୍ଡ ବଣ୍ଟନ ନେଇ ଚାଲିଥିବା ପ୍ରକ୍ରିୟାକୁ ବନ୍ଦ କରି ନୂତନ ଭାବେ ସର୍ଭେ କାର୍ଯ୍ୟ କରିବାକୁ ବିଜେପି ରାଜ୍ୟ ସରକାରଙ୍କ ନିକଟରେ ଦାବି କରୁଛି।

ସେ କହିଛନ୍ତି, ଯେତେ ଦିନ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଯୋଗ୍ୟ ହିତାଧିକାରୀ ରାସନ କାର୍ଡ ଓ ରାସନ ପାଇ ନାହାନ୍ତି, ସେତେ ଦିନ ପର୍ଯ୍ୟନ୍ତ ବିଜେପି ସଂଘର୍ଷ ଜାରି ରଖିବ।

ରାସନ କାର୍ଡ ଅନିୟମିତତା ନେଇ କିଛି ସରକାରୀ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ବେଳେ ବିଜେପିର ନୂଆ ରାଜ୍ୟ ସଭାପତି ବସନ୍ତ ପଣ୍ଡା ଏହାକୁ ନାପସନ୍ଦ କରିଛନ୍ତି। ସେ କହିଛନ୍ତି, ରାସନ କାର୍ଡ ବଣ୍ଟନରେ ତ୍ରୁଟି ନେଇ ବର୍ତ୍ତମାନ ଛୋଟ ଛୋଟ କର୍ମଚାରୀଙ୍କ ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି। କିନ୍ତୁ ଯେଉଁମାନେ ବେଆଇନ ଭାବେ ରାସନ କାର୍ଡ ହାତେଇଛନ୍ତି, ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। ରାସନ କାର୍ଡ ଅନିୟମିତତାରେ ନିଜେ ମୁଖ୍ୟମନ୍ତ୍ରୀ ଜଡ଼ିତ। ତାଙ୍କ ମନ୍ତ୍ରୀ ଓ ଦଳର ନେତାମାନେ ମଧ୍ୟ ଏହି ଦୁର୍ନୀତିରେ ଜଡ଼ିତ। କିନ୍ତୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇ ନାହିଁ। ଲୋକ ଦେଖାଣିଆ ଭାବେ କେବଳ କଟକ ମେୟରଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରାଗଲା। ସରକାରଙ୍କର ଯଦି ସତ୍ ସାହାସ ଅଛି, ତା’ହେଲେ ତାଙ୍କୁ ଗିରଫ କରନ୍ତୁ। ଯେଉଁମାନେ ଚଞ୍ଚକତା କରି ରାସନ କାର୍ଡ ହାତେଇଛନ୍ତି ସେମାନଙ୍କୁ ଗିରଫ କରି ଜେଲରେ ଭର୍ତ୍ତି କରାଯାଉ।

ଜନସାଧାରଣ ୧ ଟଙ୍କାରେ ପାଉଥିବା ଚାଉଳ ନେଇ ମଧ୍ୟ ବସନ୍ତ ପଣ୍ଡା ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଯଦି ନବୀନ ପଟ୍ଟନାୟକଙ୍କର ସତସାହାସ ଅଛି, ତା’ହେଲେ କୁହନ୍ତୁ ଏହି ଚାଉଳ ପାଇଁ କେନ୍ଦ୍ର ସରକାର କେତେ ମୂଲ୍ୟ ଦେଉଛନ୍ତି ଓ ରାଜ୍ୟ ସରକାର କେତେ ଦେଉଛନ୍ତି। ୩୦ ଟଙ୍କା ୩୮ ପଇସାରୁ କେନ୍ଦ୍ରର ଭାଗ କେତେ, ରାଜ୍ୟର ଭାଗ କେତେ ଓ ହିତାଧିକାରୀଙ୍କ ଭାଗ କେତେ, ତାହା ସରକାର ସ୍ପଷ୍ଟ କରନ୍ତୁ। ୨୭ଟଙ୍କା ୩୮ପଇସା କେନ୍ଦ୍ର ଦେଉଥିବା ବେଳେ ରାଜ୍ୟ ସରକାର ୨ଟଙ୍କା ସବସିଡି ପ୍ରଦାନ କରି ବାଃ ବାଃ ନେଉଛନ୍ତି।  ବିଭିନ୍ନ ଗଣମାଧ୍ୟମରେ ଓ ପ୍ରଚାର ପତ୍ରରେ ରାଜ୍ୟ ସରକାର ଜାତୀୟ ଖାଦ୍ୟ ନିରାପତ୍ତା ଯୋଜନାକୁ ନିଜର ଶ୍ରେଷ୍ଠ ଯୋଜନା ବୋଲି କହୁଛନ୍ତି। କିନ୍ତୁ ଏହା କେନ୍ଦ୍ର ସରକାରଙ୍କର  ଶ୍ରେଷ୍ଠ ଯୋଜନା। ଯଦି ଯୋଜନାଟି ରାଜ୍ୟ ସରକାରଙ୍କର, ତା’ହେଲେ ଏହାକୁ କାର୍ଯ୍ୟକାରୀ କରିବାରେ କାହିଁକି ୨ ବର୍ଷ ବିଳମ୍ବ କଲେ ବୋଲି ବସନ୍ତ ପ୍ରଶ୍ନ କରିଛନ୍ତି।

ସେ କହିଛନ୍ତି,‘ରାସନକାର୍ଡ ନେଇ ଦେଖାଯାଇଥିବା ତ୍ରୁଟି ବିଚ୍ୟୁତିର ସମାଧାନ ଆଗାମୀ ୧୫ ତାରିଖ ମଧ୍ୟରେ ହୋଇଯିବ ବୋଲି ବିଭାଗୀୟ ମନ୍ତ୍ରୀ କହୁଥିବା ବେଳେ ସଚିବ କହୁଛନ୍ତି ୨ ବର୍ଷ ଲାଗିବ। ତେଣୁ ଆମେ କାହାକୁ ବିଶ୍ୱାସ କରିବୁ? ବର୍ତ୍ତମାନ ପରିସ୍ଥିତିରେ ଆମେ ସଚିବଙ୍କୁ ବିଶ୍ୱାସ କରିବୁ। କାରଣ କିଏ ସରକାର ଚଳାଉଛି, ତାହା ସମସ୍ତଙ୍କୁ ଜଣା। କିନ୍ତୁ ସରକାର ଜବାବ ଦିଅନ୍ତୁ ୨ ବର୍ଷ ପାଇଁ ଲୋକଙ୍କୁ ହନ୍ତସନ୍ତ କରିବାର ଅଧିକାର ତାଙ୍କୁ କିଏ ଦେଲା?’

ରାଜ୍ୟରେ ଦଳର ସ୍ଥିତି ମଜଭୁତ କରିବା ପାଇଁ ୪ ସୂତ୍ରୀ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ସୂଚନା ଦେଇଛନ୍ତି ବସନ୍ତ ପଣ୍ଡା। ସେ କହିଛନ୍ତି, ବିଶେଷ କରି ଯୁବକ ଓ ମହିଳାମାନଙ୍କୁ ଗୁରୁତ୍ୱ ଦିଆଯିବ। କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଚାଲିଥିବା ସରକାର ଅନେକ ଜନହିତକର ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ସେଗୁଡ଼ିକୁ ରାଜ୍ୟର କୋଣଅନୁକୋଣରେ ପହଞ୍ଚାଇବା ପାଇଁ କାର୍ଯ୍ୟ କରାଯିବ। ରାଜ୍ୟରେ ଦଳ ୪୦ ଲକ୍ଷ ପ୍ରାଥମିକ ସଦସ୍ୟ ୫୦ ହଜାର ଗାଁରେ ବୁଲି ବୁଲି ରାଜ୍ୟ ସରକାରଙ୍କ ବିଫଳତା ଓ ମୋଦି ସରକାରଙ୍କ ଜନକଲ୍ୟାଣ ନୀତି ସଂପର୍କରେ ଲୋକଙ୍କୁ ଅବଗତ କରିବେ।

ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତା ସମୀର ମହାନ୍ତି, ପୃଥ୍ୱୀରାଜ ହରିଚନ୍ଦନ, ଭୃଗୁ ବକ୍ସିପାତ୍ର ଓ ନୟନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ଅନ୍ୟପକ୍ଷରେ ବସନ୍ତଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସଂଜୟ ଦାସବର୍ମା। ସେ କହିଛନ୍ତି, ରାଜ୍ୟରେ ଖାଦ୍ୟ ସୁରକ୍ଷା ଆଇନକୁ  କାର୍ଯ୍ୟକାରୀ କରିବା ପାଇଁ ସମସ୍ତ ପ୍ରକାର ସ୍ୱଚ୍ଛତା ଅବଲମ୍ବନ କରାଯାଇଛି। ଏଥିପାଇଁ କେନ୍ଦ୍ର ଓ ଖାଦ୍ୟ ଯୋଗାଣ ମନ୍ତ୍ରାଣାଳୟ ପକ୍ଷରୁ ପ୍ରଶଂସା ମଧ୍ୟ ମିଳିଛି।  ଚଳିତ ମାସରେ କେନ୍ଦ୍ର ଓ ଖାଦ୍ୟ ଯୋଗାଣ ମନ୍ତ୍ରାଣାଳୟ ଯୁଗ୍ମ ସଚିବ ଦୀପକ କୁମାର କହିଥିଲେ ଯେ ଓଡ଼ିଶାରେ ଅତ୍ୟନ୍ତ ସ୍ୱଚ୍ଛତା ଓ ଦକ୍ଷତା ସହ ଖାଦ୍ୟସୁରକ୍ଷା ଆଇନକୁ କାର୍ଯ୍ୟକାରୀ କରାଯାଇଛି। ଏ କ୍ଷେତ୍ରରେ ଓଡ଼ିଶା ସାରା ଭାରତ ବର୍ଷ ପାଇଁ ଉଦାହରଣ। ତେଣୁ ଯେଉଁମାନେ ଏନେଇ ଅଭିଯୋଗ କରୁଛନ୍ତି,  ସେମାନେ ତୁରନ୍ତ ଖାଦ୍ୟ ମନ୍ତ୍ରାଣାଳୟର ଯୁଗ୍ମ ସଚିବଙ୍କ ସହ ଆଲୋଚନା କରନ୍ତୁ। ଖାଦ୍ୟ ସୁରକ୍ଷା ଆଇନକୁ ରାଜ୍ୟର  ୩ କୋଟି ୨୬ ଲକ୍ଷ ୪୧ ହଜାର ଲୋକମାନଙ୍କ ପାଖରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ  ଓ ସ୍ୱଚ୍ଛତା ଉପରେ ପ୍ରଶ୍ନ କରାଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।

ସୂଚନାଯୋଗ୍ୟ, କାର୍ଡ ପ୍ରତ୍ୟାହାର ପାଇଁ ସରକାର ଅଯୋଗ୍ୟ ହିତାଧୀକାରୀଙ୍କୁ ଦେଇଥିବା ଡେଡଲାଇନ୍ ସରିଛି। ଗତକାଲି ସୁଦ୍ଧା ୧ ଲକ୍ଷ ୬୪ ହଜାର ୮୧୧ ଜଣ କାର୍ଡ ପ୍ରତ୍ୟାହାର ପାଇଁ ଆବେଦନ କରିଛନ୍ତି। ତେବେ ଯେଉଁମାନେ କାର୍ଡ ଫେରାଇ ନାହାନ୍ତି ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଖାଦ୍ୟ ଯୋଗାଣ ବିଭାଗ ପ୍ରସ୍ତୁତ ହେଉଛି।