ରାସନକାର୍ଡ ପ୍ରସଙ୍ଗ: ମେୟର ଓ କର୍ପୋରେଟର ପଦରୁ ଇସ୍ତଫା ଦେଲେ ଅନିତା ବେହେରା, ୨ ନିଲମ୍ବିତ

କଟକ: ରାସନକାର୍ଡ ପ୍ରସଙ୍ଗରେ ଆନ୍ଦୋଳନ ତେଜୁବାରୁ କଟକ ମେୟର ଅନିତା ବେହେରା ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଏହାସହ ସେ କର୍ପୋରେଟ ପଦବୀରୁ ମଧ୍ୟ ଇସ୍ତଫା ଦେଇଛନ୍ତି। ଦଳ ଓ ସଭାପତି ନବୀନ ପଟ୍ଟନାୟକଙ୍କ ସମ୍ମାନ ଦୃଷ୍ଟିରୁ ସ୍ୱଇଚ୍ଛାରେ ଇସ୍ତଫା ଦେଇଛି। ଏଥିରେ ମୋର କିଛି ଦୋଷ ନାହିଁ, ଭୁଲ ବଶତଃ ରାସନ କାର୍ଡ ତାଲିକାରେ ମୋର ନାଁ ରହିଯାଇଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି। ଏହି ଘଟଣାରେ ସିଏମସି କମିଶନର ୨ଜଣଙ୍କୁ ନିଲମ୍ବିତ କରିଛନ୍ତି। ସିଏମସି […]

katak-mayor

katak-mayor

Rakesh Mallick
  • Published: Tuesday, 29 December 2015
  • Updated: 29 December 2015, 04:58 PM IST

କଟକ: ରାସନକାର୍ଡ ପ୍ରସଙ୍ଗରେ ଆନ୍ଦୋଳନ ତେଜୁବାରୁ କଟକ ମେୟର ଅନିତା ବେହେରା ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଏହାସହ ସେ କର୍ପୋରେଟ ପଦବୀରୁ ମଧ୍ୟ ଇସ୍ତଫା ଦେଇଛନ୍ତି। ଦଳ ଓ ସଭାପତି ନବୀନ ପଟ୍ଟନାୟକଙ୍କ ସମ୍ମାନ ଦୃଷ୍ଟିରୁ ସ୍ୱଇଚ୍ଛାରେ ଇସ୍ତଫା ଦେଇଛି। ଏଥିରେ ମୋର କିଛି ଦୋଷ ନାହିଁ, ଭୁଲ ବଶତଃ ରାସନ କାର୍ଡ ତାଲିକାରେ ମୋର ନାଁ ରହିଯାଇଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି। ଏହି ଘଟଣାରେ ସିଏମସି କମିଶନର ୨ଜଣଙ୍କୁ ନିଲମ୍ବିତ କରିଛନ୍ତି। ସିଏମସି କମ୍ୟୁନିଟ ଅଫଇସର ଅଜୟ ମହାନ୍ତି ନିଲମ୍ବିତ ହୋଇଛନ୍ତି। ସେହିପରି ତାଲିକା ପ୍ରସ୍ତୁତ କରିଥିବା ମ୍ୟୁନିସପାଲଟି ହାଇସ୍କୁଲର ଶିକ୍ଷକ ସରୋଜ ପ୍ରତାପ ମଧ୍ୟ ନିଲମ୍ବିତ ହୋଇଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ଦେବାଶିଷ ସାମନ୍ତରାୟ, ପ୍ରଭାତ ବିଶ୍ୱାଳ ଏବଂ ଚନ୍ଦ୍ର ସାରଥୀ ବେହେରା ପ୍ରମୁଖ ସାମ୍ମାଦିକ ସମ୍ବିଳନୀରେ ଉପସ୍ଥିତ ଥିଲେ। ଆଜି କଟକର ତିନି ବିଧାୟକ, ମେୟର ଓ ଡେପୁଟୀ ମେୟରଙ୍କ ମଧ୍ୟରେ ଏକ ବୈଠକ ବସିଥିଲା। ଏଥିରେ ମେୟର ପଦ ଛାଡ଼ିବା ନେଇ ଆଲୋଚନା ହୋଇଥିଲା।

ଅନ୍ୟପକ୍ଷରେ ରାସନକାର୍ଡ ତାଲିକାରେ କଟକ ମେୟରଙ୍କ ନାଁ ଥିବା ଘଟଣାକୁ ନେଇ କଂଗ୍ରେସ ଓ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଖାଲି ସେତିକି ନୁହେଁ, ପୁରୀଘାଟ ଥାନାରେ କଂଗ୍ରେସ ପକ୍ଷରୁ ମେୟରଙ୍କ ନାଁରେ ମାମଲା ମଧ୍ୟ ରୁଜୁ କରାଯାଇଛି।

କଟକ ନଗର ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ମହାନଗର ନିଗମ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଗୌରୀଶଙ୍କର ପାର୍କରୁ ବହୁ ଯୁବକ ଓ ମହିଳା କର୍ମୀ ଏକ ଶୋଭାଯାତ୍ରା ବାହାରି ସିଏମସି କାର୍ଯ୍ୟାଳୟ ଆଗରେ ପହଞ୍ଚିଥିଲେ। ମେୟରଙ୍କୁ ବହିଷ୍କାର ଓ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦଳ ଦାବି କରିଛି।

ଅନ୍ୟପଟେ ସେହି ଏକା ଦାବିରେ କଟକ ନଗର କଂଗ୍ରେସ ପକ୍ଷରୁ ମଧ୍ୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। କଟକ ସହରର ଅନେକ ସାଧାରଣ ଜନତା ଓ ବସ୍ତି ବାସିନ୍ଦା ରାସନ କାର୍ଡ ପାଇବାରୁ ବଞ୍ଚିତ ହୋଇଥିବା ବେଳେ ମେୟରଙ୍କ ନାଁ ତାଲିକାରେ ସାମିଲ ହେବାକୁ ଦଳ ନିନ୍ଦା କରିଛି। ଏହାସହ କଂଗ୍ରେସ ପକ୍ଷରୁ ମେୟରଙ୍କ ବିରୁଦ୍ଧରେ ପୁରୀଘାଟ ଥାନାରେ ଏତଲା ଦିଆଯାଇଛି।

ରାସନକାର୍ଡ ତାଲିକାରେ କଟକ ମେୟର ଅନିତା ବେହେରାଙ୍କ ନାଁ ଥିବା ନେଇ ଅଭିଯୋଗ ଆସିବା ପରେ ଗତକାଲି ସିଏମସି କମିଶନର ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଜଣେ ଡେପୁଟି କମିଶନରଙ୍କ ସହ ୪ ଜଣ ଅଧିକାରୀ ଏହି ଅଭିଯୋଗର ତଦନ୍ତ କରିବେ। ମେୟର ଅନିତାଙ୍କ ନାଁ ରାସନକାର୍ଡ ତାଲିକାରେ ଥିବା ଅଭିଯୋଗ କରି ଗତକାଲି ମହାନଗର ନିଗମ ବୈଠକରେ କର୍ପୋରେଟରମାନେ ହଟ୍ଟଗୋଳ କରିଥିଲେ।

ଏ ନେଇ ବିଜେପି ମୁଖପାତ୍ର ନୟନ ମହାନ୍ତି କହିଛନ୍ତି, ଏହା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ। ତାଙ୍କ ସାହସିକତା ପାଇଁ କଟକବାସୀଙ୍କ ତରଫରୁ ସେ ଧନ୍ୟବାଦର ପାତ୍ର। ମାତ୍ର ସରକାର ଏଥିପ୍ରତି ଦୃଷ୍ଟି ଦେବା ଦରକାର। ମେୟରଙ୍କ ନାମ କିପରି ଓ କିଏ ତାଲିକାରେ ସାମିଲ କଲେ ତାହାର ତଦନ୍ତ କରାଯାଇ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର।

କଂଗ୍ରେସ ନଗର ସଭାପତି ମହମ୍ମଦ ମୁକିମ କହିଛନ୍ତି, ବିରୋଧ ପରେ ତାଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରାଯାଇଛି। ସେ କହିଛନ୍ତି ଅନିତାଙ୍କ ନାମ ତାଲିକାରେ ଥିବା ସରକାରଙ୍କଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀ ସମସ୍ତଙ୍କୁ ଜଣାଥିଲା। ତାଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରାଯିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର। ଏହାସହ ତାଲିକାର ଯାଞ୍ଚ କରାଯାଇ ରାଜ୍ୟରେ ଯେଉଁଠି ବି ବିଜେଡି ନେତା ଓ କର୍ମୀଙ୍କୁ ବେଆଇନ ଭାବେ ସାମିଲ କରାଯାଇଛି ତାହା ଲୋକଲୋଚନକୁ ଅଣାଯାଉ।

କଂଗ୍ରେସ ମୁଖପାତ୍ର ସୁଲୋଚନା ଦାସ କହିଛନ୍ତି, ସରକାରଙ୍କ ପାଖରେ କୌଣସି ବିକଳ୍ପ ନ ଥିଲା। ତଥାପି ତାଙ୍କ ପଦକ୍ଷେପ ସ୍ୱାଗତଯୋଗ୍ୟ। ଆମେ ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛୁ। ସେ ପଦ ଛାଡି ନ ଥିଲେ ନିରପେକ୍ଷ ତଦନ୍ତ ହୋଇପାରି ନ ଥାନ୍ତି।

ବାରବାଟୀ-କଟକ ବିଧାୟକ ଦେବାଶିଷ ସାମନ୍ତରାୟ ଅନିତାଙ୍କୁ ଉଭୟ ମେୟର ଓ କର୍ପୋରେଟର ପଦବୀରୁ ଇସ୍ତଫା ଦେଇଥିବାରୁ ଧନ୍ୟବାଦ ଦେଇଛନ୍ତି। ସେ କହିଛନ୍ତି, ତାଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରାଯାଇ ନ ଥିଲା। ପରବର୍ତ୍ତୀ ସମୟରେ ନିୟମ ଅନୁସାରେ ଏଠାରେ ଉପନିର୍ବାଚନ କରାଯିବ। ତେବେ ଏପରି ତାଲିକା ପ୍ରସ୍ତୁତିରେ ଯେଉଁ ଅଫିସର ସମ୍ପୃକ୍ତ ଥିବେ ତାଙ୍କୁ ନିଲମ୍ବିତ କରାଯିବ।

ବିଧାୟକ ଚନ୍ଦ୍ରସାରଥୀ ବେହେରା ମଧ୍ୟ ଅନିତାଙ୍କୁ ତାଙ୍କ ପଦକ୍ଷେପ ଲାଗି ସ୍ୱାଗତ ଜଣାଇଛନ୍ତି। ସେ କହିଛନ୍ତି, ଯେଉଁ ତ୍ରୁଟି ହୋଇଛି ସେଥିପାଇଁ କେବଳ ତାଙ୍କୁ ଦୋଷ ଦିଆଯିବା ଠିକ ନୁହେଁ। ତାଙ୍କ ସ୍ୱାମୀ ରାସନ କାର୍ଡ ପାଇଁ ଆବେଦନ କରିଥିଲେ। ସେ ଏହା ଜାଣି ନ ଥିଲେ। ଯେଉଁ ପ୍ରଶାସନିକ ଅଧିକାରୀ ତାଲିକା ଯାଞ୍ଚ କରୁଥିଲେ ସେମାନେ କିପରି ଜାଣି ପାରିଲେ ନାହିଁ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos