ପ୍ରତି ନିର୍ବାଚନ ପୂର୍ବରୁ ବଦଳିବ ସଂରକ୍ଷିତ ପଞ୍ଚାୟତ ଆସନ

cabeneetଭୁବନେଶ୍ୱର: ଏଣିକି ସଂରକ୍ଷିତ ପଞ୍ଚାୟତ ଆସନଗୁଡ଼ିକ ପ୍ରତି ଟର୍ମରେ ପରିବର୍ତ୍ତନ ହୋଇପାରିବ। ପୂର୍ବରୁ ଦୁଇଟି ଟର୍ମରେ ଏଗୁଡ଼ିକରେ ପରିବର୍ତ୍ତନ କରାଯାଉଥିଲା। ଆଜି ରାଜ୍ୟ କ୍ୟାବିନେଟ୍ ଏ ସଂପର୍କିତ ଆଇନରେ ସଂଶୋଧନ ଆଣିବା ପାଇଁ ଆଗତ ହୋଇଥିବା ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି।

କ୍ୟାବିନେଟ୍‌ର ଏହି ନିଷ୍ପତ୍ତି ଅନୁଯାୟୀ ଏଣିକି ପ୍ରତି ପଞ୍ଚାୟି ନିର୍ବାଚନ ପୂର୍ବରୁ ସଂରକ୍ଷଣ ଆସନ ସ୍ଥିର କରିବା କ୍ଷମତା ସରକାରଙ୍କ ପାଖରେ ରହିବ।

ରାଜ୍ୟରେ ୫୦୦ଟି ନୂଆ ଗ୍ରାମ ପଞ୍ଚାୟତ ଗଠନ କରିବା ନେଇ ଆଗତ ପ୍ରସ୍ତାବ ଉପରେ ମଧ୍ୟ ମୋହର ମାରିଛି ରାଜ୍ୟ କ୍ୟାବିନେଟ୍। ତା’ସହିତ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ଥିବା ଜିଲ୍ଲା ପରିଷଦ ଓ ପଞ୍ଚାୟତ ସମିତି ଆଇନରେ ସଂଶୋଧନ ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ୍ ମଞ୍ଜୁରୀ ଦେଇଛି।

ରାଜ୍ୟରେ ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ନେଇ ଆସିଥିବା ପ୍ରସ୍ତାବ ଉପରେ ମୋହର ମାରିଛି କ୍ୟାବିନେଟ୍। ରାଜ୍ୟରେ ଥିବା ସମସ୍ତ ସରକାରୀ ଓ ଘରୋଇ ମେଡିକାଲ କଲେଜଗୁଡ଼ିକ ଏହି ବିଶ୍ୱବିଦ୍ୟାଳୟ ଅଧୀନରେ ପରିଚାଳିତ ହେବ। ମେଡିକାଲ୍ କଲେଜ୍‌ଗୁଡ଼ିକର ରେଜିଷ୍ଟ୍ରେସନ୍, ନାଁ ଲେଖା, ପରୀକ୍ଷା ପରିଚାଳନା ଓ ପ୍ରଶାସନିକ ବ୍ୟବସ୍ଥା ଏହି ବିଶ୍ୱବିଦ୍ୟାଳୟ ନିୟନ୍ତ୍ରଣରେ ରହିବ।

ସେହିପରି ବିହାର-ଓଡ଼ିଶା ପଲିଗ୍ରିମ୍ ଆକ୍ଟରେ ସଂଶୋଧନ କରିବା ନେଇ ଆସିଥିବା ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି। ଫଳରେ ଏଣିକି ପୁରୀର ହବିଷ୍ୟାଳିଙ୍କ ରହିବା ପାଇଁ ଥିବା ଲଜ୍ ଓ ଧର୍ମଶାଳାର ପରିଚାଳନା ଦାୟିତ୍ୱ ଆର୍‌ଡିସିଙ୍କ ବଦଳରେ ଜିଲ୍ଲାପାଳଙ୍କ ହାତରେ ରହିବ।

ଆସ୍କା ଚିନିକଳକୁ ୧୫ କୋଟି ଟଙ୍କାର କ୍ୟାସ୍ କ୍ରେଡିଟ୍ ଦେବା ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ୍ ମଞ୍ଜୁରୀ ଦେଇଛି। ଏହା ସହିତ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ କୃତିତ୍ୱ ହାସଲ କରିଥିବା କ୍ରୀଡ଼ାବିତ୍‌ଙ୍କୁ ସରକାରୀ ଓ ରାଷ୍ଟ୍ରାୟତ କଂପାନୀରେ ନିଯୁକ୍ତି ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି।